BIG B Personality Status:ଅଦାଲତରେ ହାଜର ହେବେ ଅମିତାଭ!
ଅମିତାଭ ବଚ୍ଚନଙ୍କ ପର୍ସନାଲିଟି ରାଇଟ୍ସ ବା ବ୍ୟକ୍ତିତ୍ୱ ଅଧିକାର ସମ୍ପର୍କିତ ମାମଲାରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେତେକ ପକ୍ଷଙ୍କ ସହ ହୋଇଥିବା ଆପୋସ ବୁଝାମଣା ଚୂଡ଼ାନ୍ତ ନହୁଏ ଏବଂ ଅମିତାଭ ବଚ୍ଚନ ମାମଲାକୁ ଆଗକୁ ନେବାକୁ ଚାହାନ୍ତି, ତେବେ ତାଙ୍କୁ ପରବର୍ତ୍ତୀ ଶୁଣାଣିରେ ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥିତ ରହିବାକୁ ପଡ଼ିବ।

ଅଦାଲତରେ ହାଜର ହେବେ ଅମିତାଭ ବଚ୍ଚନ। ବଲିଉଡର ମହାନାୟକ ଅମିତାଭଙ୍କୁ ୪ ବର୍ଷ ପୁରୁଣା ପର୍ସନାଲିଟି ଷ୍ଟାଟସ ବା ବ୍ୟକ୍ତିତ୍ୱ ଅଧିକାର ମାମଲାରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୨୦୨୨ରେ ଅମିତାଭ ବଚ୍ଚନ ନିଜର ସ୍ୱର, ନାଁ, ଫଟୋ ଓ ପରିଚୟକୁ ବିନା ଅନୁମତିରେ ବ୍ୟବସାୟିକ ବ୍ୟବହାର ଓ ଜାଲି ଲଟେରି ସ୍କାମ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଏର କରିଥିଲେ। ସେତେବେଳେ କୋର୍ଟ ତାଙ୍କ ପକ୍ଷରେ ଅନ୍ତରୀଣ ଆଦେଶ ଦେଇଥିଲେ। ଦିଲ୍ଲୀ ଅଦାଲତର ଜଷ୍ଟିସ ପୁରୁଷେନ୍ଦ୍ର କୁମାର କୌରବଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଯଦି ପ୍ରତିବାଦୀଙ୍କ ସହ ଆପୋଷ ବୁଝାମଣା ହୋଇପାରୁନି। ଆଉ ଅମିତାଭ ନିଜ ମାମଲାକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି। ତାହେଲେ ଆଗାମୀ ଶୁଣାଣୀରେ ଅମିତାଭଙ୍କୁ ନିଜେ ଅଦାଲତରେ ହାଜର ହେବାକୁ ପଡ଼ିବ। ବୁଝାମଣା ସମ୍ପର୍କିତ ଜଡ଼ିତ ଔପଚାରିକତା ପୁରା କରିବାକୁ ଅଦାଲତ ନଭେମ୍ୱର ୧୬ ଯାଏ ସମୟ ଦେଇଛନ୍ତି। ଅମିତାଭ ବଚ୍ଚନଙ୍କ ପର୍ସନାଲିଟି ରାଇଟ୍ସ ବା ବ୍ୟକ୍ତିତ୍ୱ ଅଧିକାର ସମ୍ପର୍କିତ ମାମଲାରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେତେକ ପକ୍ଷଙ୍କ ସହ ହୋଇଥିବା ଆପୋସ ବୁଝାମଣା ଚୂଡ଼ାନ୍ତ ନହୁଏ ଏବଂ ଅମିତାଭ ବଚ୍ଚନ ମାମଲାକୁ ଆଗକୁ ନେବାକୁ ଚାହାନ୍ତି, ତେବେ ତାଙ୍କୁ ପରବର୍ତ୍ତୀ ଶୁଣାଣିରେ ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥିତ ରହିବାକୁ ପଡ଼ିବ।
କୋର୍ଟ କାହିଁକି ବ୍ୟକ୍ତିଗତ ଉପସ୍ଥିତି ପାଇଁ କହିଲେ?
ଅମିତାଭ ବଚ୍ଚନଙ୍କ ପକ୍ଷରୁ ଓକିଲ କୋର୍ଟକୁ ଜଣାଇଥିଲେ ଯେ କେତେକ ପ୍ରତିପକ୍ଷଙ୍କ ସହ ମଧ୍ୟସ୍ଥତା ମାଧ୍ୟମରେ ଆପୋଷ ବୁଝାମଣା ହୋଇଛି। କିନ୍ତୁ ଆବଶ୍ୟକ ଆଇନଗତ କାଗଜପତ୍ରରେ ଦସ୍ତଖତ ହୋଇନଥିବାରୁ ଚୁକ୍ତିକୁ ଆନୁଷ୍ଠାନିକ ଭାବେ କୋର୍ଟରେ ଦାଖଲ କରାଯାଇପାରିନଥିଲା। ଏଥିପାଇଁ ଅମିତାଭଙ୍କ ପକ୍ଷରୁ ଅଧିକ ସମୟ ମଗାଯାଇଥିଲା। କୋର୍ଟ ସେହି ଅନୁରୋଧକୁ ଗ୍ରହଣ କରି ନଭେମ୍ୱକ ୧୬ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।
ପର୍ସନାଲିଟି ରାଇଟ୍ସ କ’ଣ?
ପର୍ସନାଲିଟି ରାଇଟ୍ସ ହେଉଛି ଜଣେ ବ୍ୟକ୍ତିଙ୍କ ନାମ, ଫଟୋ, ସ୍ୱର, ପରିଚୟ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ବୈଶିଷ୍ଟ୍ୟର ବାଣିଜ୍ୟିକ ବ୍ୟବହାର ଉପରେ ତାଙ୍କର ଅଧିକାର ସହ ଜଡ଼ିତ ଆଇନଗତ ସୁରକ୍ଷା।
ଉଦାହରଣ ସ୍ୱରୂପ:
କେହି ଅମିତାଭ ବଚ୍ଚନଙ୍କ ଫଟୋ ବ୍ୟବହାର କରି ନିଜ ଉତ୍ପାଦ ବିକ୍ରି କରିବା।
ତାଙ୍କ ସ୍ୱରକୁ ନକଲ କରି ଲୋକଙ୍କୁ ଠକିବା।
ତାଙ୍କ ନାମରେ ନକଲି ଲଟେରି କିମ୍ୱା ପୁରସ୍କାର ଯୋଜନା ଚଳାଇବା।
ତାଙ୍କ ଅନୁମତି ବିନା ଟି-ସାର୍ଟ, ପୁସ୍ତକ କିମ୍ବା ଅନ୍ୟ ବାଣିଜ୍ୟିକ ସାମଗ୍ରୀରେ ତାଙ୍କ ପରିଚୟ ବ୍ୟବହାର କରିବା।
ତେବେ ପ୍ରତ୍ୟେକ ଫଟୋ କିମ୍ୱା ସ୍ୱର ବ୍ୟବହାର ଆପେଆପେ ବେଆଇନ ହୋଇଯାଏନି। ବ୍ୟବହାରର ପ୍ରକୃତି, ଅନୁମତି, କପିରାଇଟ୍ ଏବଂ ଅନ୍ୟ ପ୍ରଯୁଜ୍ୟ ଆଇନ ଉପରେ ନିର୍ଭର କରେ।
୨୦୨୨ରେ ଏହି ମାମଲା କାହିଁକି ଆରମ୍ଭ ହୋଇଥିଲା?
ଅମିତାଭ ବଚ୍ଚନ ୨୦୨୨ରେ ଦିଲ୍ଲୀ ହାଇକୋର୍ଟରେ ନିଜ ବ୍ୟକ୍ତିତ୍ୱ ଓ ପ୍ରଚାର ସମ୍ପର୍କିତ ଅଧିକାରର ସୁରକ୍ଷା ପାଇଁ ମାମଲା ଦାଏର କରିଥିଲେ। ତାଙ୍କ ଅଭିଯୋଗରେ ମୁଖ୍ୟତଃ ନିମ୍ନଲିଖିତ ବିଷୟ ଥିଲା:
ନକଲି KBC ଲଟେରି- କେତେକ ମୋବାଇଲ୍ ଆପ୍ ଏବଂ ଅନଲାଇନ୍ ଯୋଜନାରେ ‘କୌନ୍ ବନେଗା କରୋଡ଼ପତି’ ସହ ଅମିତାଭଙ୍କ ନାମକୁ ଯୋଡ଼ି ଲୋକଙ୍କୁ ଲଟେରି କିମ୍ୱା ପୁରସ୍କାର ମିଳିବାର ମିଥ୍ୟା ଦାବି କରାଯାଉଥିବା ଅଭିଯୋଗ ହୋଇଥିଲା।
ନାମ, ଫଟୋ ଓ ସ୍ୱରର ଦୁରୁପଯୋଗ- ଅନୁମତି ବିନା ତାଙ୍କ ପରିଚୟ ବ୍ୟବହାର କରି ବ୍ୟବସାୟିକ ଲାଭ ଉଠାଇବା ଏବଂ ଲୋକଙ୍କୁ ଭ୍ରମିତ କରିବା ନେଇ ସେ ଆପତ୍ତି ଉଠାଇଥିଲେ।
ବିନା ଅନୁମତିରେ ବାଣିଜ୍ୟିକ ବ୍ୟବହାର- ପୁସ୍ତକ ପ୍ରକାଶକ, ଟି-ସାର୍ଟ ବିକ୍ରେତା ଏବଂ ଅନ୍ୟ ବ୍ୟବସାୟୀଙ୍କ ଦ୍ୱାରା ତାଙ୍କ ପରିଚୟର ବ୍ୟବହାରକୁ ରୋକିବା ପାଇଁ ମଧ୍ୟ ସେ କୋର୍ଟଙ୍କ ହସ୍ତକ୍ଷେପ ଚାହିଁଥିଲେ।
୨୫ ନଭେମ୍ୱର ୨୦୨୨ରେ ହାଇକୋର୍ଟ କ’ଣ କହିଥିଲେ?
ତତ୍କାଳୀନ ଜଷ୍ଟିସ୍ ନବୀନ ଚାୱଲା ଅମିତାଭ ବଚ୍ଚନଙ୍କ ସପକ୍ଷରେ ଏକ ଅନ୍ତରୀଣ ନିଷେଧାଦେଶ ଜାରି କରିଥିଲେ। କୋର୍ଟଙ୍କ ପ୍ରାଥମିକ ମତ ଥିଲା ଯେ କେତେକ ବ୍ୟକ୍ତି ତାଙ୍କର ପ୍ରସିଦ୍ଧିକୁ ବ୍ୟବହାର କରି ନିଜ ବ୍ୟବସାୟ ଆଗକୁ ବଢ଼ାଉଥିବା ଅଭିଯୋଗ ଗୁରୁତ୍ୱପୂର୍ଣ୍ଣ। ଏହା ଅଭିନେତାଙ୍କ ସମ୍ମାନ ଓ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇପାରେ ବୋଲି କୋର୍ଟ ମତ ଦେଇଥିଲେ। ଏହି ଅନ୍ତରୀଣ ଆଦେଶରେ ଅନୁମତି ବିନା ତାଙ୍କ ପରିଚୟର ଦୁରୁପଯୋଗକୁ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
