Rajpal Yadav: ଚେକ୍ ବାଉନ୍ସ ମାମଲା: ରାଜପାଲ ଯାଦବଙ୍କୁ ବଡ଼ ଆଶ୍ୱସ୍ତି
ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି । ୧.୧୫ କୋଟି ଜମା, ବାକି ୮୫ ଲକ୍ଷ ପାଇଁ ଅକ୍ଟୋବର ୧୩ ଯାଏ ସମୟ । ରାଜପାଲଙ୍କୁ ପୁଣି ଫିଲ୍ମ କରିବାକୁ କହିଲେ CJI ସୂର୍ଯ୍ୟକାନ୍ତ ।
ନୂଆଦିଲ୍ଲୀ: ଚେକ୍ ବାଉନ୍ସ ମାମଲାରେ ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି। ବୁଧବାର କୋର୍ଟରେ ହାଜର ହୋଇ ରାଜପାଲ ୧ କୋଟି ୧୫ ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିଛନ୍ତି। ବାକି ୮୫ ଲକ୍ଷ ଟଙ୍କା ପରିଶୋଧ ପାଇଁ ଅକ୍ଟୋବର ୧୩ ଯାଏ ସମୟ ଦିଆଯାଇଛି। ଚେକ୍ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟ ରାଜପାଲ ଯାଦବଙ୍କୁ ୩ ମାସ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ମାମଲାର ଶୁଣାଣି CJI ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ କରୁଛନ୍ତି।
ଶୁଣାଣି ବେଳେ ରାଜପାଲ ନିଜର ଆର୍ଥିକ ସ୍ଥିତି ଓ ଗତ କିଛି ବର୍ଷର ସଂଘର୍ଷ ବିଷୟରେ କୋର୍ଟକୁ ଜଣାଇଥିଲେ। ତାଙ୍କ କହିବା ଅନୁସାରେ, ଗୋଟିଏ ଫିଲ୍ମକୁ ନେଇ ପ୍ରାୟ ୧୭ କୋଟି ଟଙ୍କାର କ୍ଷତି ହୋଇଥିବା ବେଳେ, ଗତ ୧୩ ବର୍ଷରେ ଫିଲ୍ମ ନିର୍ମାଣ ନହେବା କାରଣରୁ ମୋଟ ପ୍ରାୟ ୨୨ କୋଟି ଟଙ୍କାର କ୍ଷତି ହୋଇଛି। ରାଜପାଲ କହିଥିଲେ ଯେ, ସେ ୨୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ଏବେ ପୁଣି ତାଙ୍କୁ କାମ ମିଳିଥିବାରୁ ଧୀରେ ଧୀରେ ସମସ୍ତ ଟଙ୍କା ପରିଶୋଧ କରିଦେବେ ବୋଲି କୋର୍ଟକୁ କହିଛନ୍ତି।
ରାଜପାଲଙ୍କ କଥା ଶୁଣି CJI ସୂର୍ଯ୍ୟକାନ୍ତ ହାଲୁକା ମଜାଳିଆ ଢଙ୍ଗରେ ପଚାରିଥିଲେ—ଏବେ କୌଣସି ଫିଲ୍ମ କିମ୍ବା ସିରିଏଲରେ କାମ କରୁଛନ୍ତି ନା ବୁଲୁଛନ୍ତି? ଏହାପରେ CJI ରାଜପାଲଙ୍କୁ ଭଲ ଫିଲ୍ମ ତିଆରି କରି ଦର୍ଶକଙ୍କୁ ପୁଣି ମନୋରଞ୍ଜନ କରିବାକୁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ତାଙ୍କ ଇମେଜ୍ ପୁଣି ଫେରିଆସିବ ବୋଲି କହିଥିଲେ। ଏପରିକି କୋର୍ଟରେ ଥିବା କିଛି ଓକିଲ ଭଲ ଅଭିନେତା ବୋଲି କହି ସେମାନଙ୍କୁ ଫିଲ୍ମରେ ରୋଲ୍ ଦେବାକୁ ମଧ୍ୟ ମଜାଳିଆ ଢଙ୍ଗରେ କହିଥିଲେ CJI। ରାଜପାଲଙ୍କ ଫିଲ୍ମ ‘Ata Pata Laapata’ର ନାଁକୁ ନେଇ ମଧ୍ୟ CJI ହାଲୁକା ମଜା କରିଥିଲେ।
ଅଭିଯୋଗ ଅନୁସାରେ, ୨୦୧୦ରେ ଏକ ଫିଲ୍ମ ପାଇଁ ରାଜପାଲ ପ୍ରାୟ ୫ କୋଟି ଟଙ୍କାର ଆର୍ଥିକ ସହାୟତା ନେଇଥିଲେ। ଏହି ଟଙ୍କା ପରିଶୋଧ ପାଇଁ ୨୦୧୩ରେ ୧ କୋଟି ୫ ଲକ୍ଷ ଟଙ୍କା ଲେଖାଏଁ ୭ଟି ଚେକ୍ ଦିଆଯାଇଥିଲା। ତେବେ ଚେକ୍ଗୁଡ଼ିକ ବାଉନ୍ସ ହୋଇଯିବା ପରେ ମାମଲା ଆଇନଗତ ବିବାଦର ରୂପ ନେଇଥିଲା। ପରବର୍ତ୍ତୀ ସମୟରେ ରାଜପାଲ, ତାଙ୍କ ପତ୍ନୀ ଓ ତାଙ୍କ କମ୍ପାନୀ ପ୍ରାୟ ୧୧ କୋଟି ଟଙ୍କା ସୁଧ ସହ ପରିଶୋଧ କରିବା ନେଇ ଚୁକ୍ତି କରିଥିଲେ। କିନ୍ତୁ ଟଙ୍କା ପରିଶୋଧ ନହେବାରୁ ବିବାଦ ଜାରି ରହିଥିଲା।
ବଲିଉଡ୍ରେ କମେଡି ଚରିତ୍ର ପାଇଁ ରାଜପାଲ ଯାଦବ ବେଶ୍ ଲୋକପ୍ରିୟ। ‘ଭୁଲ୍ ଭୁଲୈୟା’, ‘ଚୁପ୍ ଚୁପ୍ କେ’, ‘ଫିର୍ ହେରା ଫେରି’, ‘ମୁଝସେ ଶାଦି କରୋଗୀ’, ‘ଭାଗମ ଭାଗ’ ଓ ‘ଭୂତନାଥ’ ଭଳି ଅନେକ ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କୁ ହସାଇଛି।
ଏବେ ଚେକ୍ ବାଉନ୍ସ ମାମଲାରେ ୧ କୋଟି ୧୫ ଲକ୍ଷ ଟଙ୍କା ଜମା ପରେ ନଜର ରହିଛି ଅବଶିଷ୍ଟ ୮୫ ଲକ୍ଷ ଟଙ୍କା ଉପରେ। ଅକ୍ଟୋବର ୧୩ରେ ଏହି ଟଙ୍କା ଜମା ହେବାକୁ ଥିବା ବେଳେ, ରାଜପାଲଙ୍କୁ CJIଙ୍କ ‘ଭଲ ଫିଲ୍ମ କରି ଇମେଜ୍ ଫେରାନ୍ତୁ’ ପରାମର୍ଶ ମଧ୍ୟ ଚର୍ଚ୍ଚାରେ ରହିଛି।
