Anirudh Kavya: ଗ୍ରୀସ୍ ରେ ବିବାହ କଲେ ଅନିରୁଦ୍ଧ- କାବ୍ୟା,୨୧ରେ ଚେନ୍ନାଇରେ ଭବ୍ୟ ରିସେପ୍ସନ୍
ଗ୍ରୀସ୍ ରେ ବିବାହ କଲେ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଓ ସନରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା ମାରନ୍। ନଭେମ୍ବର ୨୧ରେ ଚେନ୍ନାଇରେ ଭବ୍ୟ ରିସେପ୍ସନ୍।
ବ୍ଯୁରୋ: ଦକ୍ଷିଣ ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଓ ସନ୍ ଟିଭି ନେଟୱର୍କର ମାଲିକ କଳାନିଧି ମାରନଙ୍କ ଝିଅ କାବ୍ୟା ମାରନ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନଭେମ୍ବର ୧୧ ତାରିଖରେ ଗ୍ରୀସ୍ରେ ଏକ ଭବ୍ୟ ସମାରୋହରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ବିବାହ ପରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହି ବିବାହ ଉତ୍ସବରେ ସୁପରଷ୍ଟାର ରଜନୀକାନ୍ତ ଏବଂ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ସମେତ ଅନେକ ନାମୀଦାମୀ ବ୍ୟକ୍ତି ଯୋଗ ଦେଇଥିବା ଖବର ମିଳିଛି। ଅନିରୁଦ୍ଧ ନିଜ ବିବାହର କିଛି ସୁନ୍ଦର ଫଟୋ ଇନଷ୍ଟାଗ୍ରାମରେ ସେୟାର କରି "My once in a lifetime, for a lifetime 11.11" ବୋଲି ଲେଖିଛନ୍ତି।

ବିବାହ ଉତ୍ସବରେ ଅନିରୁଦ୍ଧ ଆଇଭରି ରଙ୍ଗର କୁର୍ତ୍ତା, ଭେଷ୍ଟି ଓ ଏମ୍ବ୍ରୋଡେରୀ କାମ ଥିବା ଜ୍ୟାକେଟ୍ ପିନ୍ଧିଥିବା ବେଳେ କାବ୍ୟା ପିଙ୍କ୍ ରଙ୍ଗର ଆକର୍ଷଣୀୟ ଲେହେଙ୍ଗାରେ ନଜର ଆସିଥିଲେ। ବିବାହ ପରେ ନଭେମ୍ବର ୨୧ରେ ଚେନ୍ନାଇରେ ଏକ ଭବ୍ୟ ରିସେପ୍ସନ୍ ଆୟୋଜନ ହେବାର ସୂଚନା ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ବହୁ ରାଜନୈତିକ ନେତା ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ସେହିପରି ଏ.ଆର୍. ରହମାନ, କମଲ ହାସନ, ଧନୁଷ ଓ ଅଲ୍ଲୁ ଅର୍ଜୁନଙ୍କ ଭଳି ଚଳଚ୍ଚିତ୍ର ଜଗତର ବହୁ ନାମୀଦାମୀ କଳାକାରଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।
'ହ୍ବାଏ ଦିସ୍ କୋଲାବେରୀ ଡି' ଗୀତ ମାଧ୍ୟମରେ ଅନିରୁଦ୍ଧ ସାରା ଦେଶରେ ଲୋକପ୍ରିୟତା ହାସଲ କରିଥିଲେ। ଅନ୍ୟପଟେ କାବ୍ୟା ମାରନ୍ ସନ୍ ଟିଭି ନେଟୱର୍କର ନିର୍ଦ୍ଦେଶିକା ଏବଂ ଆଇପିଏଲ୍ ଟିମ୍ ସନରାଇଜର୍ସ ହାଇଦ୍ରାବାଦର ସିଇଓ ଅଟନ୍ତି। ଏହି ହାଇପ୍ରୋଫାଇଲ୍ ବିବାହକୁ ନେଇ ଉଭୟଙ୍କ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।
