Pawan Kalyan’s Divorce Shock : ତୃତୀୟ ବିବାହ ବି ଭାଙ୍ଗିଲା! ପତ୍ନୀଙ୍କଠାରୁ ଅଲଗା ହେବେ ପବନ କଲ୍ୟାଣ
୧୩ ବର୍ଷର ସମ୍ପର୍କରେ ଲାଗିଲା ବ୍ରେକ୍ ! କାହିଁକି ପତ୍ନୀ ଅନ୍ନାଙ୍କଠାରୁ ଅଲଗା ହେବେ ପବନ କଲ୍ୟାଣ? ସାମ୍ନାକୁ ଆସିଲା ବଡ଼ ଖବର |

ପରଦାର ହିରୋଙ୍କ ବ୍ୟକ୍ତିଗତ ଜୀବନରେ ବଡ଼ ମୋଡ଼ | ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ପବନ କଲ୍ୟାଣ ଓ ସ୍ତ୍ରୀ ଅନ୍ନା କୋନିଡେଲା ସହ ବିବାହର ୧୩ ବର୍ଷ ପରେ ଅଲଗା ହେବାର ନିଷ୍ପତି ନେଇଛନ୍ତି | ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ପାରସ୍ପରିକ ସହମତିରେ ହୋଇଥିଲା | ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ତରଫରୁ ଜାରି ହୋଇଥିବା ବୟାନରେ କହିଥିଲେ ଏହି ନିଷ୍ପତି ପାରସ୍ପରିକ ସହମତି ଓ ସମ୍ମାନର ସହିତ ନିଆଯାଇଛି | ବୟାନ ଅନୁସାରେ, ଯଦିଓ ଉଭୟଙ୍କ ବୈବାହିକ ସମ୍ପର୍କ ଶେଷ ହୋଇଛି, ତଥାପି ସେମାନେ ଭଲ ବନ୍ଧୁ ହୋଇ ରହିବେ | ଏହା ସହିତ ଉଭୟ ମିଶି ନିଜ ପିଲାମାନଙ୍କ ଲାଳନପାଳନର ଦାୟିତ୍ୱ ତୁଲାଇବେ |ପିଲାମାନଙ୍କ ଖୁସି ଓ ମଙ୍ଗଳ ଉଭୟଙ୍କ ପାଇଁ ସବୁଠାରୁ ପ୍ରଥମ ପ୍ରାଥମିକତା ରହିବ |
ପବନ ଓ ଅନ୍ନା ନିଜର ଶୁଭଚିନ୍ତକଙ୍କୁ ନିଜର ଖରାପ ସମୟରେ ନିଜର ଗୋପନୀୟତାକୁ ଗୋପନୀୟତାକୁ ସମ୍ମାନ ଦେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି |ପବନ କଲ୍ୟାଣ ଏହି ବିବାହ ତୃତୀୟ ବିବାହ ଥିଲା | ଏହା ପୂର୍ବରୁ ତାଙ୍କର ୨ଟି ବିବାହ ଛାଡପତ୍ରରେ ଶେଷ ହୋଇଛି |
ପ୍ରଥମ ବିବାହ: ପରିବାରର ଇଚ୍ଛାରେ ନନ୍ଦିନୀଙ୍କୁ କରିଥିଲେ ବିବାହ
ପବନ କଲ୍ୟାଣ ଫିଲ୍ମ ଡେବ୍ୟୁ କରିବାର ପ୍ରାୟ ଏକ ବର୍ଷ ପରେ ନନ୍ଦିନୀଙ୍କୁ ବିବାହ କରିଥିଲେ। କୁହାଯାଏ ଯେ, ପରିବାରର ପ୍ରୟାସରେ ଏହି ବିବାହ ସ୍ଥିର ହୋଇଥିଲା। ଏକ ସାକ୍ଷାତକାରରେ ପବନ କହିଥିଲେ ଯେ, ପରିବାରର କଥା ରଖି ସେ ଏହି ସମ୍ପର୍କକୁ ଗ୍ରହଣ କରିଥିଲେ। କିନ୍ତୁ କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ସମସ୍ୟା ଆରମ୍ଭ ହୋଇଥିଲା | ନନ୍ଦିନୀଙ୍କ ସହ ବିବାହିତ ଥିବା ସମୟରେ ହିଁ ପବନ କଲ୍ୟାଣଙ୍କ ନିକଟତା ତାଙ୍କ ସହ-ଅଭିନେତ୍ରୀ ରେଣୁ ଦେଶାଇଙ୍କ ସହ ବଢ଼ିବାକୁ ଲାଗିଥିଲା | ଉଭୟ ଏକାଠି ରହିବା ଆରମ୍ଭ କରିଥିଲେ। ୨୦୦୪ ମସିହାରେ ରେଣୁ ଏକ ପୁତ୍ର ସନ୍ତାନ ଅକିରା ନନ୍ଦନଙ୍କୁ ଜନ୍ମ ଦେଇଥିଲେ।

ଏହି ସମୟରେ ନନ୍ଦିନୀ ପବନଙ୍କ ବିରୋଧରେ ଦ୍ୱିତୀୟ ବିବାହ ସମ୍ବନ୍ଧୀୟ ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲେ। ସେ IPC ଧାରା ୪୯୪ ଅନୁଯାୟୀ ପବନଙ୍କ ପରିବାରର କିଛି ସଦସ୍ୟ ଏବଂ ରେଣୁ ଦେଶାଇଙ୍କୁ ମଧ୍ୟ ଏହି ମାମଲାରେ ସାମିଲ କରିଥିଲେ। ରିପୋର୍ଟ ଅନୁଯାୟୀ, ନନ୍ଦିନୀ ଭରଣପୋଷଣ ପାଇଁ ପ୍ରତି ମାସରେ ୫ ଲକ୍ଷ ଟଙ୍କା ଦାବି କରିଥିଲେ | ୨୦୦୭ ମସିହାରେ ପବନ ଓ ନନ୍ଦିନୀଙ୍କ ଛାଡ଼ପତ୍ର ହୋଇଥିଲା | ରିପୋର୍ଟ ଅନୁସାରେ, ଛାଡ଼ପତ୍ର ସମୟରେ ପବନ ନନ୍ଦିନୀଙ୍କୁ ୫ କୋଟି ଟଙ୍କା ଭରଣପୋଷଣ ବାବଦରେ ଦେଇଥିଲେ।
ଦ୍ୱିତୀୟ ବିବାହ: ରେଣୁ ଦେଶାଇଙ୍କ ସହ ମଧ୍ୟ ତିଷ୍ଠିଲାନି ସମ୍ପର୍କ
ନନ୍ଦିନୀଙ୍କଠାରୁ ଛାଡ଼ପତ୍ର ହେବାର ପ୍ରାୟ ଦୁଇ ବର୍ଷ ପରେ ପବନ କଲ୍ୟାଣ ୨୮ ଜାନୁଆରୀ ୨୦୦୯ରେ ରେଣୁ ଦେଶାଇଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟ ଏକ କନ୍ୟା ସନ୍ତାନ ଆଧ୍ୟାଙ୍କ ମାତାପିତା ହୋଇଥିଲେ | ଏହି ସମ୍ପର୍କ ମଧ୍ୟ ଅଧିକ ଦିନ ତିଷ୍ଠି ପାରିନଥିଲା। ବିବାହର ପ୍ରାୟ ତିନି ବର୍ଷ ପରେ ୨୦୧୨ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା |

ପବନ ଓ ରେଣୁଙ୍କ ଅଲଗା ହେବାର କାରଣକୁ ନେଇ ବିଭିନ୍ନ ଖବର ସାମ୍ନାକୁ ଆସିଥିଲା। କିଛି ରିପୋର୍ଟରେ ଦାବି କରାଯାଇଥିଲା ଯେ, ଆର୍ଥିକ ସମସ୍ୟା ସମୟରେ ପବନ ନିଜ ଭାଇ ନାଗେନ୍ଦ୍ର ବାବୁଙ୍କୁ ସାହାଯ୍ୟ କରିବା ଉଭୟଙ୍କ ମଧ୍ୟରେ ବିବାଦର କାରଣ ହୋଇଥିଲା। ତେବେ ପବନ କିମ୍ବା ରେଣୁ କେବେ ମଧ୍ୟ ସାର୍ବଜନୀନ ଭାବେ ଛାଡ଼ପତ୍ରର ପ୍ରକୃତ କାରଣ ବିଷୟରେ କହିନଥିଲେ | କୁହାଯାଏ ଯେ, ପବନ ନିଜ ଓକିଲଙ୍କ ଜରିଆରେ ବିବାହ ସମ୍ପର୍କକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ଉଦ୍ୟମ ସଫଳ ହୋଇନଥିଲା। ଛାଡ଼ପତ୍ର ସମୟରେ ପବନ 'ତୀନ୍ ମାର୍' ଫିଲ୍ମର ସୁଟିଂ କରୁଥିଲେ। ଏହି ଫିଲ୍ମଟି ବଲିଉଡ୍ ଫିଲ୍ମ 'ଲଭ୍ ଆଜ୍ କଲ୍'ର ରିମେକ୍ ଥିଲା |
ତୃତୀୟ ବିବାହ: ରୁଷୀୟ ମଡେଲ୍ ଅନ୍ନା ଲେଜନେଭାଙ୍କୁ କଲେ ବିବାହ
ରେଣୁ ଦେଶାଇଙ୍କଠାରୁ ଛାଡ଼ପତ୍ର ପରେ ପବନ କଲ୍ୟାଣଙ୍କ ସାକ୍ଷାତ ରୁଷୀୟ ମଡେଲ୍ ଅନ୍ନା ଲେଜନେଭାଙ୍କ ସହ ହୋଇଥିଲା। ଏକ ଫିଲ୍ମର ସୁଟିଂ ସମୟରେ ଉଭୟଙ୍କ ଦେଖା ହୋଇଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ନିକଟତା ବଢ଼ିଥିଲା ଏବଂ ୩୦ ସେପ୍ଟେମ୍ବର ୨୦୧୩ରେ ସେମାନେ ବିବାହ କରିଥିଲେ | ଏହି ବିବାହରୁ ପବନ ଦୁଇଟି ସନ୍ତାନର ପିତା ହୋଇଥିଲେ। ତାଙ୍କ ଝିଅଙ୍କ ନାମ ପୋଲେନା ଅଞ୍ଜନା ପବନୋଭା ଏବଂ ପୁଅଙ୍କ ନାମ ମାର୍କ ଶଙ୍କର ପବନୋଭିଚ୍ | ତିନିଟି ବିବାହକୁ ନେଇ ଏକଦା ପବନ କଲ୍ୟାଣ କହିଥିଲେ ଯେ, ତାଙ୍କର ବିବାହ କରିବାର କୌଣସି ଯୋଜନା ନଥିଲା। କିନ୍ତୁ ସମୟ ଓ ପରିସ୍ଥିତି ଅନୁସାରେ ସବୁକିଛି ଘଟିଥିଲା | ଗୋଟିଏ ବିବାହ ସଫଳ ନହେବାରୁ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ ପଡ଼ିଥିଲା |
ତୃତୀୟ ବିବାହ ମଧ୍ୟ ଶେଷ, ପିଲାମାନଙ୍କ ଲାଳନପାଳନ କରିବେ ମିଳିତ ଭାବେ
ବିବାହର ପ୍ରାୟ ୧୩ ବର୍ଷ ପରେ ପବନ କଲ୍ୟାଣ ଏବଂ ଅନ୍ନା କୋନିଡେଲା ମଧ୍ୟ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି। ଉଭୟଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଜୀବନର ଏକ ବଡ଼ ସମୟ ଏକାଠି ବିତାଇବା ପରେ ସେମାନେ ପାରସ୍ପରିକ ବୁଝାମଣା ଓ ସମ୍ମାନର ସହ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି | ବିବୃତିରେ ଆହୁରି କୁହାଯାଇଛି ଯେ, ବୈବାହିକ ସମ୍ପର୍କ ଶେଷ ହୋଇଥିଲେ ମଧ୍ୟ ଉଭୟ ଭଲ ବନ୍ଧୁ ହୋଇ ରହିବେ। ନିଜ ପିଲାମାନଙ୍କ ପାଇଁ ଉଭୟ ସମର୍ପିତ ମାତାପିତାଙ୍କ ଭୂମିକା ତୁଲାଇବେ | ପବନ କଲ୍ୟାଣ ଏବଂ ଅନ୍ନା ଏହି ନିଷ୍ପତ୍ତି ପରେ ନିଜର ନିକଟ ସମ୍ପର୍କୀୟ ଓ ପ୍ରଶଂସକମାନଙ୍କୁ ଏହି କଷ୍ଟକର ସମୟରେ ସେମାନଙ୍କ ବ୍ୟକ୍ତିଗତ ଜୀବନର ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ କରିଛନ୍ତି।
