Katrina & Vicky: ଦୀପାବଳିରେ ପୁଅର ମୁହଁ ଦେଖାଇଲେ କ୍ୟାଟ୍ରିନା-ଭିକି
ଦୀପାବଳିରେ ପ୍ରଥମଥର ପୁଅ ଭିହାନ କୌଶଲଙ୍କ ମୁହଁ ଦେଖାଇଲେ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ। ସୋସିଆଲ ମିଡିଆରେ ଭାଇରାଲ ହେଲା ପରିବାରର ସୁନ୍ଦର ଫଟୋ।
ମୁମ୍ବାଇ: ବଲିଉଡ୍ର ଚର୍ଚ୍ଚିତ ଦମ୍ପତି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ଦୀପାବଳିର ଶୁଭ ଅବସରରେ ପ୍ରଶଂସକଙ୍କୁ ଦେଇଛନ୍ତି ଏକ ବଡ଼ ସରପ୍ରାଇଜ୍। ନିଜ ପୁଅ ଭିହାନ କୌଶଲଙ୍କ ମୁହଁ ପ୍ରଥମଥର ପାଇଁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ଏହି ଷ୍ଟାର୍ ଦମ୍ପତି। ଦୀପାବଳି ଅବସରରେ ଉଭୟ ଇନଷ୍ଟାଗ୍ରାମରେ ଏକ ଯୁଗ୍ମ ପୋଷ୍ଟ ଶେୟାର କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି। ଏହି ସୁନ୍ଦର ଫଟୋ ସହ କ୍ୟାଟ୍ରିନା ଓ ଭିକି ଲେଖିଛନ୍ତି, “ଆମର ସବୁଠାରୁ ଉଜ୍ଜ୍ୱଳ ଦୀପାବଳି... ସମସ୍ତଙ୍କ ଜୀବନରେ ପ୍ରେମ, ଆଲୋକ ଓ ଖୁସି ଭରିଯାଉ। ଶୁଭେଚ୍ଛା ଜଣାଉଛୁ- ଭିକି, କ୍ୟାଟ୍ରିନା ଓ ଭିହାନ।” ଫଟୋରେ କ୍ୟାଟ୍ରିନା ହଳଦିଆ ରଙ୍ଗର ସୁନ୍ଦର ଏମ୍ବ୍ରୋଡରି ସଲୱାର ସୁଟ୍ ପିନ୍ଧିଥିବା ବେଳେ କାନରେ ଝୁମକା ଓ ଖୋଲା କେଶରେ ତାଙ୍କ ଲୁକ୍ ବେଶ୍ ଆକର୍ଷଣୀୟ ଲାଗୁଥିଲା। ସେହିପରି ଭିକି ହାତୀଦାନ୍ତ ରଙ୍ଗର ସୁନା କାମ ଥିବା ବନ୍ଧଗଳା କୁର୍ତ୍ତା ଓ ଟ୍ରାଉଜର ପିନ୍ଧିଥିଲେ। ଛୋଟ ଭିହାନ ମଧ୍ୟ ଆଇଭରି କୁର୍ତ୍ତା-ପାଇଜାମା ସହ ହଳଦିଆ ନେହରୁ ଜ୍ୟାକେଟ୍ ପିନ୍ଧି ବାପା-ମାଆଙ୍କ ସହ ରଙ୍ଗ ମିଳାଇଥିଲେ। ନଭେମ୍ବର ୭ ତାରିଖରେ ଭିହାନଙ୍କ ପ୍ରଥମ ଜନ୍ମଦିନ ଥିଲା। ୨୦୨୫ ନଭେମ୍ବର ୭ରେ ଏହି ଦମ୍ପତି ପୁତ୍ର ସନ୍ତାନର ଜନକ-ଜନନୀ ହୋଇଥିବା ଘୋଷଣା କରିଥିଲେ। ପରେ ୨୦୨୬ ଜାନୁଆରୀରେ ପୁଅର ନାଁ ଭିହାନ କୌଶଲ ବୋଲି ଜଣାଇଥିଲେ। ଏକ ସାକ୍ଷାତକାରରେ ଭିକି କହିଥିଲେ, ପତ୍ନୀ ଓ ପୁଅର ଛୋଟ ଛୋଟ ଖୁସିର ମୁହୂର୍ତ୍ତ ଦେଖିବା ତାଙ୍କୁ ଜୀବନର ସବୁଠାରୁ ବଡ଼ ଆନନ୍ଦ ଦେଇଥାଏ। ଏହା ତାଙ୍କୁ ଅଧିକ ସମ୍ବେଦନଶୀଳ ଓ ଦାୟିତ୍ୱବାନ କରିଛି ବୋଲି ସେ କହିଥିଲେ।
