Arun and Deepika:‘ନୋଟିସ୍’ ଫିଲ୍ମରେ ପୁଣି ରାମ-ସୀତାଙ୍କ ଯୋଡ଼ି
ରାମାୟଣର ରାମ-ସୀତା ଯୋଡ଼ିକୁ ୩୯ ବର୍ଷ ପରେ ପୁଣି ଏକାଠି ଦେଖିବେ ଦର୍ଶକ। ଅରୁଣ ଗୋଭିଲ୍ ଓ ଦୀପିକା ଚିଖଲିଆଙ୍କ ଅଭିନୀତ ଫିଲ୍ମ ‘ନୋଟିସ୍’ରେ ରହିଛି ସାଧାରଣ ଲୋକଙ୍କ ସଂଘର୍ଷ ଓ ନ୍ୟାୟ ପାଇଁ ଲଢ଼େଇର ଭାବପ୍ରବଣ କାହାଣୀ।
୩୯ ବର୍ଷ ପରେ ପୁଣି ଏକାଠି ପରଦାକୁ ଫେରୁଛନ୍ତି ରାମାୟଣର ଲୋକପ୍ରିୟ ଯୋଡ଼ି ଅରୁଣ ଗୋଭିଲ୍ ଓ ଦୀପିକା ଚିଖଲିଆ। ଉଭୟଙ୍କ ଅଭିନୀତ ନୂଆ ଫିଲ୍ମ ‘ନୋଟିସ୍’ ଶୁକ୍ରବାର ୱେଭ୍ସ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି। ମେରଠ-ହାପୁଡ଼ ଲୋକସଭା ଆସନର ବିଜେପି ସାଂସଦ ଅରୁଣ ଗୋଭିଲ୍ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ସାଧାରଣ ଲୋକଙ୍କ ସଂଘର୍ଷ, ନ୍ୟାୟ ପାଇବାର ଆଶା ଏବଂ ପ୍ରଭାବଶାଳୀ ଲୋକଙ୍କ ବିରୋଧରେ ଜଣେ ସାଧାରଣ ନାଗରିକଙ୍କ ଲଢ଼େଇକୁ ଭାବପ୍ରବଣ ଢଙ୍ଗରେ ଦର୍ଶାଯାଇଛି। ଏଥିରେ ଅରୁଣ ଗୋଭିଲ୍ ନାରାୟଣ ଗୁପ୍ତା ଚରିତ୍ରରେ ଅଭିନୟ କରିଛନ୍ତି। ସରକାରୀ ବ୍ୟବସ୍ଥା ସହ ଜଣେ ସାଧାରଣ ପରିବାରର ସଂଘର୍ଷକୁ ସେ ନିଜ ଅଭିନୟ ମାଧ୍ୟମରେ ଜୀବନ୍ତ କରିବାକୁ ଉଦ୍ୟମ କରିଛନ୍ତି। ସେହିପରି ‘ପଞ୍ଚାୟତ’ ଧାରାବାହିକରେ ଅଭିନୟ କରିଥିବା ପଙ୍କଜ ଝା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖା ଦେବେ। ଏହାବ୍ୟତୀତ ଆଦିତ୍ୟ ରଘୁବଂଶୀ, ତ୍ରିପୁରାରୀ ଯାଦବ, ଠାକୁର ରାଜବୀର ସିଂହ, ନଗିନା ବୋପଚେ, ମେନିକା ରାୟ, ସୁନୀଲ କୁମାର ସିଂହ, ମହେନ୍ଦ୍ର ପ୍ରତାପ ସିଂହ, ଅଭିନବ ଶର୍ମା, ସମୀର ମଲିକ, ପ୍ରମୋଦ ସୈନି, ଶୈଳେନ୍ଦ୍ର ଓ ଦିନେଶ ଭାଟିଙ୍କ ସମେତ ଅନେକ କଳାକାର ଏହି ଫିଲ୍ମରେ ଅଭିନୟ କରିଛନ୍ତି।ଫିଲ୍ମର ନିର୍ମାଣ, ଲେଖନୀ ଓ ଅଭିନୟ ଦାୟିତ୍ୱ ଆଦିତ୍ୟ ପ୍ରତାପ ସିଂହ ରଘୁବଂଶୀ ତୁଲାଇଥିବା ବେଳେ ପ୍ରଦୀପ ଗୁପ୍ତା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏବି ମୋହନ ଓ ଅମୃତ ରାଜ ପଟକଥା ଏବଂ ସଂଳାପ ଲେଖିଛନ୍ତି। ଏହାବ୍ୟତୀତ କୈଳାସ ଖେର ଓ ଅଙ୍କିତା ଚୌହାନଙ୍କ କଣ୍ଠରେ ପ୍ରଭୁ ଶ୍ରୀରାମ ଓ ଚିତ୍ରକୂଟର ପବିତ୍ର ଭୂମିକୁ ସମର୍ପିତ ଗୀତ ‘ରାମ ଅବଧ ମେଁ ଆଏ’ ଫିଲ୍ମର ଅନ୍ୟତମ ଆକର୍ଷଣ ରହିଛି। ଏହା ସହ ‘ନା ରଗଡ଼ା ନା ରୌବ’ ଭଳି ଲୋକସଙ୍ଗୀତ ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିବ।
