Celebrity Security:ଲୋକଙ୍କଠାରୁ ଦୂରେଇ ରହିବେ ବଲିଉଡ୍ ସେଲିବ୍ରିଟି
ଅଜଣା ଲୋକଙ୍କଠାରୁ ଦୂରେଇ ରହିବାକୁ ବଲିଉଡ୍ କଳାକାରଙ୍କୁ ପରାମର୍ଶ ଦେଇଛି ମୁମ୍ବାଇ ପୋଲିସ | ବଲିଉଡ୍ ଷ୍ଟାରଙ୍କ ସୁରକ୍ଷାକୁ ନେଇ ଚିନ୍ତା ଲାଗିରହିଥିବା ବେଳେ ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ଏବଂ ସେଲିବ୍ରିଟିଙ୍କ ଘର ଉପରେ ନଜର ରଖାଯାଉଥିବା ଖବର ପରେ ମୁମ୍ବାଇ ପୋଲିସ ଜାରି କରିଛି ନୂଆ ସୁରକ୍ଷା ନିର୍ଦ୍ଦେଶାବଳୀ।

ମୁମ୍ବାଇ:ବଲିଉଡ୍ କଳାକାରଙ୍କ ସୁରକ୍ଷାକୁ ନେଇ ଅଧିକ ସତର୍କ ହୋଇଛି ମୁମ୍ବାଇ ପୋଲିସ। ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ଘଟଣା ଏବଂ କିଛି ସେଲିବ୍ରିଟିଙ୍କ ଘର ଉପରେ କଥିତ ଭାବେ ରେକି କରାଯାଇଥିବା ଖବର ସାମ୍ନାକୁ ଆସିବା ପରେ ଫିଲ୍ମ ଜଗତର ବ୍ୟକ୍ତିତ୍ୱଙ୍କ ପାଇଁ ସୁରକ୍ଷା ଆଡଭାଇଜରି ଜାରି କରିଛି ପୋଲିସ। ଏହି ଆଡଭାଇଜରିରେ ସାଧାରଣ ସ୍ଥାନକୁ ଯିବା ସମୟରେ ଅଧିକ ସତର୍କ ରହିବା ସହ ଭିଡ଼ଭାଡ଼ ଅଞ୍ଚଳକୁ ଯିବାରୁ ଦୂରେଇ ରହିବାକୁ କଳାକାରଙ୍କୁ ପରାମର୍ଶ ଦିଆଯାଇଛି। ଅଜଣା ଓ ଅପରିଚିତ ଲୋକଙ୍କ ଭିଡ଼ଠାରୁ ଦୂରେଇ ରହିବା ସହ ସୁରକ୍ଷା ବିପଦ ଥିବା ସମ୍ଭାବନା ରହିଥିବା କାର୍ଯ୍ୟକ୍ରମରେ ଯୋଗ ନଦେବାକୁ କୁହାଯାଇଛି। ଏପରିକି ସାର୍ବଜନୀନ ସ୍ଥାନରେ ପ୍ରଶଂସକଙ୍କ ସହ ସେଲ୍ଫି ନେବା ସମୟରେ ମଧ୍ୟ ସତର୍କ ରହିବାକୁ ପୋଲିସ ପରାମର୍ଶ ଦେଇଛି। ଗତ କିଛି ସମୟ ଧରି ବଲିଉଡ୍ର ଅନେକ କଳାକାରଙ୍କୁ ଧମକ ମିଳୁଥିବା ଖବର ସାମ୍ନାକୁ ଆସିଛି। ଏହି ଧମକ ପଛରେ କଥିତ ଭାବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ହାତ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏଭଳି ପରିସ୍ଥିତିରେ କୌଣସି ଅଘଟଣକୁ ଏଡ଼ାଇବା ଏବଂ କଳାକାରଙ୍କ ବ୍ୟକ୍ତିଗତ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୋଲିସ ଏହି ପଦକ୍ଷେପ ନେଇଛି। ଏଥିସହ କଳାକାରମାନେ ନିଜର ଲୋକେସନ୍, ସାର୍ବଜନୀନ କାର୍ଯ୍ୟକ୍ରମ ଏବଂ ବ୍ୟକ୍ତିଗତ ଗତିବିଧି ସମ୍ପର୍କରେ ମଧ୍ୟ ସତର୍କ ରହିବାକୁ ପୋଲିସ ପରାମର୍ଶ ଦେଇଛି।
