TIME100 Next India 2026 ତାଲିକାରେ ଆର୍ୟନ ଖାନ୍; ଶାହରୁଖଙ୍କ ପୁଅରୁ ନିର୍ଦ୍ଦେଶକ ଭାବେ ନୂଆ ପରିଚୟ
TIME100 Next India 2026 ତାଲିକାରେ ସ୍ଥାନ ପାଇଲେ ଆର୍ୟନ ଖାନ୍। ବିଶାଳ ଭରଦ୍ୱାଜଙ୍କ ପ୍ରଶଂସା ସହ ଶାହରୁଖ ଖାନ୍ ଙ୍କୁ ନେଇ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି।
ବ୍ଯୁରୋ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କୁ ମିଳିଛି ଆନ୍ତର୍ଜାତୀୟ ସ୍ୱୀକୃତି। TIME ପକ୍ଷରୁ ପ୍ରକାଶିତ ପ୍ରଥମ TIME100 Next India 2026 ତାଲିକାରେ ସ୍ଥାନ ପାଇଛନ୍ତି ଆର୍ୟନ। ଭାରତୀୟ ସିନେମାର ଭବିଷ୍ୟତ ଗଢ଼ୁଥିବା ଯୁବ ନିର୍ଦ୍ଦେଶକଙ୍କ ମଧ୍ୟରେ ତାଙ୍କୁ ସାମିଲ କରାଯାଇଛି। ନଭେମ୍ବର ୧୯ରେ ପ୍ରକାଶିତ ଏହି ତାଲିକାରେ ଆର୍ୟନଙ୍କ ସହ ନିର୍ଦ୍ଦେଶିକା ପାୟଲ କାପାଡ଼ିଆ ଓ ଥେଜା ରିଓଙ୍କୁ ମଧ୍ୟ ସ୍ଥାନ ମିଳିଛି। ଆର୍ୟନଙ୍କ ଏହି ସଫଳତା ପଛରେ ରହିଛି ତାଙ୍କର ନିର୍ଦ୍ଦେଶନା ଯାତ୍ରା। ୨୦୨୫ରେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ବ୍ୟଙ୍ଗାତ୍ମକ ସିରିଜ୍ ‘The Ba*ds of Bollywood’ ମାଧ୍ୟମରେ ସେ ନିର୍ଦ୍ଦେଶକ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ। ଏହି ସିରିଜ୍ ତାଙ୍କୁ ଚର୍ଚ୍ଚାକୁ ଆଣିବା ସହ ଚଳଚ୍ଚିତ୍ର ଜଗତରେ ତାଙ୍କର ସୃଜନଶୀଳତାକୁ ସାମ୍ନାକୁ ଆଣିଛି।

TIME ପକ୍ଷରୁ ଆର୍ୟନଙ୍କ ଉପରେ ଲେଖାଯାଇଥିବା ବିଶେଷ ଫିଚରରେ ତାଙ୍କୁ ପ୍ରଶଂସା କରିଛନ୍ତି ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ସଙ୍ଗୀତକାର ବିଶାଳ ଭରଦ୍ୱାଜ। ଶାହରୁଖଙ୍କ ପୁଅ ହୋଇଥିବାରୁ ଆର୍ୟନଙ୍କଠାରେ ଅହଂଭାବ ଥିବ ବୋଲି ପ୍ରଥମେ ଭାବିଥିଲେ ବୋଲି ସେ କହିଛନ୍ତି। ମାତ୍ର ସାକ୍ଷାତ ପରେ ଆର୍ୟନଙ୍କୁ ଜଣେ ଅତ୍ୟନ୍ତ ନମ୍ର, ଭଦ୍ର ଓ ସମ୍ମାନପ୍ରଦାନ କରୁଥିବା ଯୁବକ ଭାବେ ପାଇଥିଲେ। ତାଙ୍କ ଭିତରେ ଏକ ସ୍ୱତନ୍ତ୍ର ସୃଜନଶୀଳ ଦୃଷ୍ଟିକୋଣ ରହିଥିବା କଥା ମଧ୍ୟ ଭରଦ୍ୱାଜ ଉଲ୍ଲେଖ କରିଛନ୍ତି।
ଏହି ସମ୍ମାନ ମଧ୍ୟରେ ଆର୍ୟନଙ୍କ ଆଗାମୀ ପ୍ରୋଜେକ୍ଟକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି। ସେ ନିଜ ବାପା ଶାହରୁଖ ଖାନ୍ଙ୍କୁ ନେଇ ଏକ ଫିଲ୍ମ ନିର୍ଦ୍ଦେଶନା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏହାର କାହାଣୀ ମଧ୍ୟ ଆର୍ୟନ ନିଜେ ଶାହରୁଖଙ୍କ ପାଇଁ ଲେଖିଛନ୍ତି। ଏବେ ଏହି ନୂଆ ଫିଲ୍ମକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।
