MahaDevi Adishakti: ଫେବୃଆରୀରେ ଆସୁଛି "ମହାଦେବୀ ଆଦିଶକ୍ତି"
ନବରାତ୍ରୀରେ ମାଆ ଦୁର୍ଗାଙ୍କ ଦିବ୍ୟ ଗାଥାର ଝଲକ, ରିଲିଜ୍ ହେଲା ‘ମହାଦେବୀ ଆଦିଶକ୍ତି: ଦ ଲିଜେଣ୍ଡ ଅଫ୍ ମାଆ ଦୁର୍ଗା’ର ଫାଷ୍ଟ ଲୁକ୍, ହାତରେ ଅଙ୍କା ଆନିମେସନ୍ ରେ ଜୀବନ୍ତ ହେବ ମାଆଙ୍କ ଦିବ୍ୟ ଗାଥା ।

ଭୁବନେଶ୍ୱର: ପବିତ୍ର ନବରାତ୍ରୀ ଅବସରରେ ବଡ଼ ପରଦାକୁ ଆସିବାକୁ ଯାଉଛି ମାଆ ଆଦିଶକ୍ତିଙ୍କ ମହିମା ଉପରେ ଆଧାରିତ ଏକ ନୂଆ ପୌରାଣିକ ଆନିମେଟେଡ୍ ଫିଲ୍ମ। ନିର୍ଦ୍ଦେଶକ ମିଲିନ୍ଦ ନନ୍ଦନୱାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଛି ‘ମହାଦେବୀ ଆଦିଶକ୍ତି: ଦ ଲିଜେଣ୍ଡ ଅଫ୍ ମାଆ ଦୁର୍ଗା’। ନିର୍ମାତାଙ୍କ ପକ୍ଷରୁ ଫିଲ୍ମର ପ୍ରଥମ ଝଲକ ସହ ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଏହି ଫିଲ୍ମରେ ମାଆ ଆଦିଶକ୍ତିଙ୍କ ବିଭିନ୍ନ ଦିବ୍ୟ ରୂପ, ଶକ୍ତି ଓ ମହିମାକୁ ପରଦାରେ ଉପସ୍ଥାପନ କରାଯିବ। ମହିଷାସୁରମର୍ଦ୍ଦିନୀଙ୍କ ଠାରୁ ମାଆ କାଳୀଙ୍କ ଉଗ୍ର ସ୍ୱରୂପ ପର୍ଯ୍ୟନ୍ତ, ଦେବୀଙ୍କ ସହ ଜଡ଼ିତ ବିଭିନ୍ନ ପୌରାଣିକ ଗାଥାକୁ ଏଥିରେ ଦେଖିବାକୁ ମିଳିବ। ଭାରତୀୟ ପୌରାଣିକ ପରମ୍ପରା ଓ ସନାତନ ଧର୍ମର ଆଧ୍ୟାତ୍ମିକ ଭାବଧାରାକୁ ଆନିମେସନ୍ ମାଧ୍ୟମରେ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ଏହି ଫିଲ୍ମର ମୁଖ୍ୟ ଆକର୍ଷଣ ହେବ। ଫିଲ୍ମଟିର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ନିର୍ମାଣ ଶୈଳୀ। ଆଧୁନିକ କମ୍ପ୍ୟୁଟର ଗ୍ରାଫିକ୍ସ ବଦଳରେ ହାତରେ ଅଙ୍କା ଆନିମେସନ୍ ଜରିଆରେ ଏହାକୁ ପ୍ରସ୍ତୁତ କରାଯାଉଛି। ଏହି ପ୍ରକଳ୍ପରେ ୧୫୦ରୁ ଅଧିକ ଆନିମେଟର୍ କାମ କରୁଛନ୍ତି। ନବରାତ୍ରୀର ପ୍ରଥମ ଦିନରେ ଫିଲ୍ମର ଫାଷ୍ଟ ଲୁକ୍ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

ନିର୍ମାତାଙ୍କ ଘୋଷଣା ଅନୁଯାୟୀ, ‘ମହାଦେବୀ ଆଦିଶକ୍ତି: ଦ ଲିଜେଣ୍ଡ ଅଫ୍ ମାଆ ଦୁର୍ଗା’ ୨୦୨୭ ଫେବୃଆରୀରେ ସିନେମା ହଲ୍ରେ ମୁକ୍ତିଲାଭ କରିବ। ନିର୍ଦ୍ଦେଶକ ମିଲିନ୍ଦ ନନ୍ଦନୱାରଙ୍କ ମତରେ, ଭାରତ ହେଉଛି ଆଧ୍ୟାତ୍ମିକତା, ଭକ୍ତି ଓ ଚିରନ୍ତନ ଜ୍ଞାନର ଭୂମି। ସନାତନ ଧର୍ମର କାହାଣୀଗୁଡ଼ିକ ଭାରତୀୟ ସଭ୍ୟତାର ମୂଳଦୁଆ ଗଢ଼ିଛି। ଏହି ପୌରାଣିକ ଗାଥାଗୁଡ଼ିକୁ ନୂଆ ପିଢ଼ି ପାଖରେ ଆକର୍ଷଣୀୟ ଢଙ୍ଗରେ ପହଞ୍ଚାଇବା ଫିଲ୍ମର ଏକ ଉଦ୍ଦେଶ୍ୟ। ସମ୍ପ୍ରତି ପୌରାଣିକ କାହାଣୀ ଆଧାରିତ ଆନିମେସନ୍ ଫିଲ୍ମ ପ୍ରତି ଦର୍ଶକଙ୍କ ଆଗ୍ରହ ବଢ଼ୁଥିବା ଦେଖାଯାଉଛି। ‘ମହାବତାର ନରସିଂହ’ର ସଫଳତା ଏହି ଧାରାକୁ ଆହୁରି ଉତ୍ସାହିତ କରିଛି। ପୌରାଣିକ କାହାଣୀ, ଭାରତୀୟ ସଂସ୍କୃତି ଓ ଆନିମେସନ୍ର ସମନ୍ୱୟ ଦର୍ଶକଙ୍କୁ ଏକ ନୂଆ ଅନୁଭୂତି ଦେବାର ଆଶା ସୃଷ୍ଟି କରିଛି। ଏବେ ସମସ୍ତଙ୍କ ନଜର ୨୦୨୭ ଫେବୃଆରୀ ଉପରେ। ମାଆ ଦୁର୍ଗାଙ୍କ ଦିବ୍ୟ ଗାଥାକୁ ହାତରେ ଅଙ୍କା ଆନିମେସନ୍ ମାଧ୍ୟମରେ ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ଉତ୍ସୁକତା ବଢ଼ିବାରେ ଲାଗିଛି।
