England Star's Desi Avatar Goes Viral : କ୍ରିକେଟରରୁ ଦେଶୀ ବାବୁ, ପିଟରସନଙ୍କ ନୂଆ ଅବତାର
ଫୁଲେରାରେ ଦେଶୀ ଅବତାରରେ କେଭିନ୍ ପିଟରସନ୍ ! ‘ପଞ୍ଚାୟତ ୫’ରେ ତାଙ୍କ ଏଣ୍ଟ୍ରିକୁ ନେଇ ବଢ଼ିଲା ଉତ୍ସାହ।

କ୍ରିକେଟ୍ ପଡ଼ିଆରେ ନିଜ ବ୍ୟାଟିଂର ଜଲୱା ଦେଖାଇଥିବା ଇଂଲଣ୍ଡର ପୂର୍ବତନ ଷ୍ଟାର୍ କ୍ରିକେଟର କେଭିନ୍ ପିଟରସନ୍ ଏବେ ଫୁଲେରାରେ ! ହେଲେ ଏଥର ତାଙ୍କ ହାତରେ ବ୍ୟାଟ୍ ନୁହେଁ, ଆଉ ଅନ୍ଦାଜ ବି ସମ୍ପୂର୍ଣ୍ଣ ଦେଶୀ। କୁର୍ତ୍ତା-ପାଇଜାମା, ମୁଣ୍ଡରେ ଗାମୁଛା ଆଉ ହାତରେ ଦାନ୍ତକାଠି… ପିଟରସନଙ୍କ ଏହି ନିଆରା ଅବତାର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ନିକଟରେ ୱେବ୍ ସିରିଜ୍ ‘ପଞ୍ଚାୟତ ୫’ର ପ୍ରଡକ୍ସନ୍ ଟିମ୍ ପକ୍ଷରୁ ଜାରି ହୋଇଥିବା ଏକ ଭିଡିଓରେ କେଭିନ୍ ପିଟରସନଙ୍କୁ ଫୁଲେରା ଗାଁରେ ଦେଖିବାକୁ ମିଳିଛି। ଗାଁର ଦେଶୀ ପରିବେଶ ସହ ତାଳ ମିଳାଇ ସେ କୁର୍ତ୍ତା-ପାଇଜାମା ପିନ୍ଧି ମୁଣ୍ଡରେ ଗାମୁଛା ବାନ୍ଧିଛନ୍ତି। କେବଳ ସେତିକି ନୁହେଁ, ସହରୀ ଷ୍ଟାଇଲ୍ ଛାଡ଼ି ଦାନ୍ତକାଠିରେ ଦାନ୍ତ ଘଷିବା ସହ ଗାଁ ଚା’ର ମଜା ମଧ୍ୟ ନେଉଛନ୍ତି। ଏହା ସହ ‘ପଞ୍ଚାୟତ’ ସିରିଜ୍ର ଚର୍ଚ୍ଚିତ ପାଣି ଟାଙ୍କିକୁ ମଧ୍ୟ ଦେଖୁଥିବାର ନଜର ଆସିଛନ୍ତି। ତାଙ୍କର ଏହି ଦେଶୀ ଅନ୍ଦାଜ ଦେଖି ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି।
ଫୁଲେରାକୁ ନେଇ କ’ଣ କହିଲେ ପିଟରସନ୍?
ଭିଡିଓରେ ନିଜ ପରିଚୟ ଦେଇ ପିଟରସନ୍ କହୁଛନ୍ତି, “ମୁଁ କେଭିନ୍ ପିଟରସନ୍। ଇଂଲଣ୍ଡର ପୂର୍ବତନ କ୍ରିକେଟର। ଲଣ୍ଡନରୁ ସିଡନୀ ପର୍ଯ୍ୟନ୍ତ ସାରା ଦୁନିଆ ବୁଲିଛି, କିନ୍ତୁ ଫୁଲେରା ଭଳି ଜାଗା ଦୁନିଆରେ ଆଉ କେଉଁଠି ନାହିଁ।”ଫୁଲେରାରେ ପାଦ ଦେବା ମାତ୍ରେ ସେ ‘ପଞ୍ଚାୟତ’ର କିଛି ଲୋକପ୍ରିୟ ଡାଏଲଗ୍କୁ ମଧ୍ୟ ନିଜ ଷ୍ଟାଇଲ୍ରେ କହିଛନ୍ତି। ତେବେ ତାଙ୍କର ଏହି ଅନ୍ଦାଜ ଦେଖି ଲାଗୁଛି, ଫୁଲେରାର ମାହୋଲ ତାଙ୍କୁ ବେଶ୍ ପସନ୍ଦ ଆସିଛି।
କେବେ ଆସିବ ‘ପଞ୍ଚାୟତ ୫’?
ଦୀପକ କୁମାର ମିଶ୍ରଙ୍କ ନିର୍ଦ୍ଦେଶନାରେ ନୂଆ ସିଜନ୍ ପୁଣିଥରେ ଦର୍ଶକଙ୍କୁ ଫୁଲେରାର ମଜାଦାର ଦୁନିଆକୁ ନେଇଯିବ। ଏଥିରେ ଜିତେନ୍ଦ୍ର କୁମାର, ରଘୁବୀର ଯାଦବ, ନୀନା ଗୁପ୍ତା, ସୁନୀତା ରାଜୱର, ଫୈଜଲ ମଲିକ୍, ଚନ୍ଦନ ରୟ, ସାଂବିକା, ଦୁର୍ଗେଶ କୁମାର ଏବଂ ଅଶୋକ ପାଠକଙ୍କ ଭଳି କଳାକାର ପୁଣିଥରେ ନିଜ ନିଜ ଚରିତ୍ରରେ ନଜର ଆସିବେ।ସୂଚନା ଅନୁସାରେ, ‘ପଞ୍ଚାୟତ ସିଜନ୍ ୫’ର ପ୍ରିମିୟର୍ ୩ ଡିସେମ୍ବର ୨୦୨୬ରେ ଆମାଜନ୍ ପ୍ରାଇମ୍ ଭିଡିଓରେ ହେବ। ଏବେ ପ୍ରଶ୍ନ ହେଉଛି, ଫୁଲେରାର ଏହି ନୂଆ ଅତିଥି କେଭିନ୍ ପିଟରସନ୍ କ’ଣ ‘ପଞ୍ଚାୟତ ୫’ରେ କୌଣସି ବଡ଼ ଧମାକା କରିବେ? ଏହା ଜାଣିବାକୁ ଦର୍ଶକଙ୍କ ଅନେଇ ବସିଛନ୍ତି ପଞ୍ଚାୟତ ସିରିଜକୁ !
