Rinku Singh Grand Wedding : ରିଙ୍କୁ-ପ୍ରିୟାଙ୍କ ବାହାଘରରେ ଷ୍ଟାର୍ଙ୍କ ମେଳା, ମୋଦୀଙ୍କୁ ନିମନ୍ତ୍ରଣ
ରିଙ୍କୁ-ପ୍ରିୟାଙ୍କ ରାଜକୀୟ ବାହାଘର! ୨ ହଜାର ଅତିଥିଙ୍କୁ ନିମନ୍ତ୍ରଣ, ତାଲିକାରେ ମୋଦୀ, ଯୋଗୀ ଓ ଅଖିଳେଶ!

କ୍ରିକେଟ୍ ମଇଦାନରେ ଛକା ବର୍ଷା କରୁଥିବା ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜଙ୍କ ସହ ଡିସେମ୍ବର ୪ ତାରିଖରେ ସେ ବିବାହ ବନ୍ଧନରେ ବାନ୍ଧି ହେବେ। ଏହି ହାଇପ୍ରୋଫାଇଲ୍ ବିବାହ ଉତ୍ସବକୁ ନେଇ ଏବେ ରାଜନୀତିଠାରୁ କ୍ରିକେଟ୍ ଜଗତ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ହୋଟେଲ ରାମାଡାରେ ଏହି ଭବ୍ୟ ବିବାହ ସମାରୋହ ଆୟୋଜିତ ହେବ। ଏଥିରେ ପ୍ରାୟ ୨ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଡିସେମ୍ବର ୩ ତାରିଖରୁ ମେହେନ୍ଦୀ, ପୂଜା ଓ ଅନ୍ୟାନ୍ୟ ପାରମ୍ପରିକ ରୀତିନୀତି ଆରମ୍ଭ ହେବ। ଡିସେମ୍ବର ୪ରେ ମୁଖ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏହି ବିବାହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଡିମ୍ପଲ ଯାଦବ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ ପଠାଯାଇଛି। ରିଙ୍କୁ ନିଜ ପରିବାର ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ବିବାହ କାର୍ଡ ଦେଇଥିବାବେଳେ ତାଙ୍କ ପରିବାର ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। କେବଳ ରାଜନେତା ନୁହନ୍ତି, ବଲିଉଡ୍ ବାଦଶାହ ଓ ଶାହରୁଖ ଖାନଙ୍କୁ ମଧ୍ୟ ବିବାହ ପାଇଁ ନିମନ୍ତ୍ରଣ ଦିଆଯାଇଛି। କ୍ରିକେଟ୍ ଜଗତରୁ ବିରାଟ କୋହଲି, ରୋହିତ ଶର୍ମା, ମହେନ୍ଦ୍ର ସିଂହ ଧୋନୀ, ଗୌତମ ଗମ୍ଭୀର, ସୁରେଶ ରାଇନା, ଭୁବନେଶ୍ୱର କୁମାର ଓ କୁଲଦୀପ ଯାଦବଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ପ୍ରାୟ ୯୦ ଜଣ ସାଂସଦ ଓ ବିଧାୟକଙ୍କ ସହ ୮ରୁ ୧୦ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଡକାଯାଇଛି। ଅତିଥିଙ୍କ ପାଇଁ ଖାଦ୍ୟପେୟରେ ମଧ୍ୟ ବିଶେଷ ବ୍ୟବସ୍ଥା ରହିଛି। ବିବାହର ମେନ୍ୟୁ ସମ୍ପୂର୍ଣ୍ଣ ନିରାମିଷ ରଖାଯାଇଥିବା ରିପୋର୍ଟରେ କୁହାଯାଇଛି। ପ୍ରିୟାଙ୍କ ବିବାହ ପୋଷାକ ଓ ବନାରସୀ ଶାଢ଼ିକୁ ନେଇ ମଧ୍ୟ ବିଶେଷ ପ୍ରସ୍ତୁତି ହୋଇଛି। ରିପୋର୍ଟ ଅନୁଯାୟୀ ,୨୦୨୫ ଜୁନ୍ ୮ ତାରିଖରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ଏବେ ଡିସେମ୍ବର ୪ରେ ସେମାନେ ବିବାହ କରିବାକୁ ଯାଉଛନ୍ତି। ନିମନ୍ତ୍ରଣ ପାଇଥିବା ଅତିଥିମାନଙ୍କ ମଧ୍ୟରୁ କେଉଁ କେଉଁ ବଡ଼ ଚେହେରା ବାହାଘରରେ ଯୋଗଦେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
