WARNING OVER PAK CONTENT:ଭାରତରେ ପାକିସ୍ତାନୀ ସିରିଜ୍ ରିଲିଜ୍ ନେଇ ଝଡ଼
ଭାରତରେ ପାକିସ୍ତାନୀ କଣ୍ଟେଣ୍ଟ ପ୍ରସାରଣ ନକରିବାକୁ ନେଟଫ୍ଲିକ୍ସକୁ କଡ଼ା ନିର୍ଦ୍ଦେଶ ଦେଇଛି କେନ୍ଦ୍ର। ୨୦୨୫ ମସିହାର ଆଡଭାଇଜୋରି ପାଳନ କରିବାକୁ ମନେ ପକାଇଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ପାକିସ୍ତାନୀ ୱେବ୍ ସିରିଜ୍ 'ଜୋ ବଚେ ହୈଁ ସଙ୍ଗ୍ ସମେଟ୍ ଲୋ'ର ସମ୍ଭାବ୍ୟ ରିଲିଜ୍କୁ ନେଇ ବିବାଦ ପରେ ଏହି ପଦକ୍ଷେପ ନେଇଛି କେନ୍ଦ୍ର।
ଭାରତରେ ପାକିସ୍ତାନୀ କଣ୍ଟେଣ୍ଟ ଦେଖାଇପାରିବନି ନେଟଫ୍ଲିକ୍ସ। ଏନେଇ ଓଟିଟି ପ୍ଲାଟଫର୍ମକୁ କଡ଼ା ତାଗିଦ୍ କରିଛି କେନ୍ଦ୍ର ସରକାର। ୨୦୨୫ ମସିହା ମେ' ୮ ତାରିଖରେ ଜାରି ହୋଇଥିବା ଆଡଭାଇଜୋରିକୁ ପାଳନ କରିବାକୁ କହିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ପାକିସ୍ତାନୀ ୱେବ୍ ସିରିଜ୍ 'ଜୋ ବଚେ ହୈଁ ସଙ୍ଗ୍ ସମେଟ୍ ଲୋ'ର ସମ୍ଭାବ୍ୟ ରିଲିଜ୍କୁ ନେଇ ଏହି ବିବାଦ ଆରମ୍ଭ ହୋଇଛି।୨୦୨୫ ଏପ୍ରିଲ ୨୨ରେ ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନରେ ତିଆରି ଫିଲ୍ମ, ୱେବ୍ ସିରିଜ୍, ଗୀତ, ପଡକାଷ୍ଟ ଓ ଅନ୍ୟାନ୍ୟ ଡିଜିଟାଲ୍ କଣ୍ଟେଣ୍ଟ ପ୍ରସାରଣ ବନ୍ଦ କରିବାକୁ ଓଟିଟି ପ୍ଲାଟଫର୍ମଗୁଡ଼ିକୁ ପରାମର୍ଶ ଦେଇଥିଲା କେନ୍ଦ୍ର। ଗତବର୍ଷ ଜୁନ୍ରେ ନେଟଫ୍ଲିକ୍ସ ମଧ୍ୟ ସରକାରଙ୍କୁ ଜଣାଇଥିଲା ଯେ, ଭାରତୀୟ ଦର୍ଶକଙ୍କ ପାଇଁ କୌଣସି ପାକିସ୍ତାନୀ ଫିଲ୍ମ କିମ୍ବା ସିରିଜ୍ ଉପଲବ୍ଧ କରାଯାଇନାହିଁ।ତେବେ ଫୱାଦ ଖାନ୍, ମାହିରା ଖାନ୍ ଓ ସାନମ ସଇଦଙ୍କ ଅଭିନୀତ ଏହି ସିରିଜ୍ର ଟ୍ରେଲର ଆସିବା ପରେ ବିବାଦ ତେଜିଛି। ନଭେମ୍ବର ୨୪ ଓ ୨୫ରେ ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ ଏବଂ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସିରିଜ୍ର ରିଲିଜ୍ ରୋକିବାକୁ ଦାବି କରିଛନ୍ତି।ଡିସେମ୍ବର ୪ରେ ସିରିଜ୍ର ବିଶ୍ୱବ୍ୟାପୀ ପ୍ରିମିୟର ହେବାକୁ ଥିବାବେଳେ ଭାରତରେ ଏହା ରିଲିଜ୍ ହେବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଏହି ବିବାଦକୁ ନେଇ ଭାରତକୁ ସମାଲୋଚନା କରିଛନ୍ତି ପାକିସ୍ତାନର ମନ୍ତ୍ରୀ ଅହସାନ ଇକବାଲ। ଖେଳ, ପାଣି ପରେ ଏବେ କଳା ଓ ସଂସ୍କୃତିକୁ ମଧ୍ୟ ରାଜନୀତିର ଅସ୍ତ୍ର କରାଯାଉଥିବା ସେ କହିଛନ୍ତି।
