JAILER 2 :ଜେଲର-୨ର ହିନ୍ଦୀ ସଂସ୍କରଣକୁ ନେଇ ବିବାଦ
ଅକ୍ଟୋବର ୧୫ରେ ରିଲିଜ୍ ହେବାକୁ ଯାଉଛି ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର ୨’ | ଗୋଟିଏ ପଟେ ବକ୍ସ ଅଫିସ୍ରେ ରେକର୍ଡ ଭାଙ୍ଗିବାର ଆକଳନ, ଆଉ ଏପଟେ ହିନ୍ଦୀ ସଂସ୍କରଣକୁ ନେଇ ମଲ୍ଟିପ୍ଲେକ୍ସରେ ଅଡ଼ୁଆ। ରଜନୀକାନ୍ତଙ୍କ ଫିଲ୍ମକୁ ନେଇ ଏଥର ଚର୍ଚ୍ଚା କେବଳ ଆକ୍ସନ୍ କିମ୍ବା ଷ୍ଟାର୍କାଷ୍ଟରେ ସୀମିତ ନୁହେଁ ବରଂ ବଡ଼ ବକ୍ସ ଅଫିସ୍ ଆକଳନ ଏବଂ ମିଥୁନଙ୍କ ରୋଚକ ସର୍ତ୍ତ ପାଇଁ ମଧ୍ୟ ଫିଲ୍ମଟି ରିଲିଜ୍ ପୂର୍ବରୁ ଚର୍ଚ୍ଚାରେ ଅଛି।
ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଫିଲ୍ମ ‘ଜେଲର ୨’ ଅକ୍ଟୋବର ୧୫ରେ ପରଦାକୁ ଆସିବାକୁ ଯାଉଛି । ନେଲସନ୍ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ ଏହି ସିକ୍ୱେଲ୍ରେ ରଜନୀକାନ୍ତ ପୁଣି ଥରେ ଟାଇଗର୍ ମୁଥୁଭେଲ୍ ପାଣ୍ଡିଆନ୍ ଭାବେ ଫେରୁଛନ୍ତି। ତେବେ ରିଲିଜ୍ ପୂର୍ବରୁ ଫିଲ୍ମକୁ ନେଇ ଯେତିକି ଉତ୍ସାହ, ସେତିକି ଚର୍ଚ୍ଚା ହିନ୍ଦୀ ସଂସ୍କରଣର ପ୍ରଦର୍ଶନକୁ ନେଇ ମଧ୍ୟ ଦେଖିବାକୁ ମିଳୁଛି।
ଟ୍ରେଡ୍ ଆନାଲିଷ୍ଟ ରମେଶ ବାଲାଙ୍କ ଆକଳନ ଅନୁସାରେ, ଫିଲ୍ମର ବିଶ୍ୱବ୍ୟାପୀ ଅଗ୍ରିମ ବୁକିଂ ପ୍ରାୟ ୪୦ କୋଟି ଟଙ୍କାରେ ପହଞ୍ଚିଛି। ଫିଲ୍ମଟି ଭାରତରେ ପ୍ରଥମ ଦିନରେ ପ୍ରାୟ ୯୦ କୋଟି ଟଙ୍କା ଏବଂ ପ୍ରଥମ ସପ୍ତାହାନ୍ତରେ ୨୫୦ କୋଟି ଟଙ୍କା ଆୟ କରିପାରେ। ଏହା କେବଳ ପ୍ରାରମ୍ଭିକ ଆକଳନ ହେଲେବି ରଜନୀକାନ୍ତଙ୍କ ଷ୍ଟାର୍ଡମ୍ ଓ ପ୍ରଥମ ‘ଜେଲର’ର ସଫଳତା ଯୋଗୁଁ ଫିଲ୍ମକୁ ନେଇ ଆଶା ଆକାଶଛୁଆଁ ହୋଇଛି।କିନ୍ତୁ ଏହି ଉତ୍ସାହ ଭିତରେ ଉତ୍ତର ଭାରତରେ ହିନ୍ଦୀ ସଂସ୍କରଣକୁ ନେଇ ଅଡ଼ୁଆ ବଢ଼ିଛି। OTTରେ ଚାରି ସପ୍ତାହ ମଧ୍ୟରେ ଫିଲ୍ମ ଆଣିବାକୁ ନିର୍ମାତା ଚାହୁଁଥିବାବେଳେ, PVR-INOX ଓ Cinepolis ଆଠ ସପ୍ତାହର ଥିଏଟର୍ ଏକ୍ସକ୍ଲୁସିଭିଟି ଚାହୁଁଛନ୍ତି। ଏହି ଟଣାଓଟରା ଯୋଗୁଁ ଉକ୍ତ ମଲ୍ଟିପ୍ଲେକ୍ସଗୁଡ଼ିକ ଉତ୍ତର ଭାରତରେ ହିନ୍ଦୀ ଭର୍ସନ୍ ଦେଖାଇବେ ନାହିଁ ବୋଲି ରିପୋର୍ଟ ଆସିଛି।ଏହି ବିବାଦ ଯୋଗୁଁ ହିନ୍ଦୀ ଦର୍ଶକଙ୍କୁ କେତେକ ସ୍ୱତନ୍ତ୍ର ଓ ସିଙ୍ଗଲ୍ ସ୍କ୍ରିନ୍ ସିନେମା ହଲ୍ ଉପରେ ନିର୍ଭର କରିବାକୁ ପଡ଼ିପାରେ। ତେବେ ହିନ୍ଦୀ ସଂସ୍କରଣର ରିଲିଜ୍ ବାତିଲ୍ ହୋଇନାହିଁ।
ଏହି ଫିଲ୍ମର ପ୍ରଚାର ସମୟରେ ରଜନୀକାନ୍ତ ନିଜ ବସ୍ କଣ୍ଡକ୍ଟର ଦିନକୁ ମନେ ପକାଇଛନ୍ତି। ସୁପରଷ୍ଟାର ହେବା ପରେ ବି ସେ ନିଜ ସଂଘର୍ଷର ଦିନଗୁଡ଼ିକୁ ଭୁଲିନାହାନ୍ତି। ସେପଟେ ମିଥୁନ ଚକ୍ରବର୍ତ୍ତୀଙ୍କ କାଷ୍ଟିଂକୁ ନେଇ ରଜନୀ ଏକ ରୋଚକ ଘଟଣା କହିଛନ୍ତି। ମିଥୁନଙ୍କ ସର୍ତ୍ତ ଥିଲା କି ତାଙ୍କୁ କେହି ମାଡ଼ ମାରିବେ ନାହିଁ କି ଗୁଳି କରିବେ ନାହିଁ | ଏହି କଥା ଫିଲ୍ମକୁ ନେଇ ଚର୍ଚ୍ଚାରେ ଆଉ ଏକ ମସଲା ଯୋଡ଼ିଛି।ତେବେ, ଫିଲ୍ମରେ ମୋହନଲାଲ୍, ବିଦ୍ୟା ବାଲନ୍, ବିଜୟ ସେତୁପତି, ଶିବରାଜକୁମାର ଓ ମିଥୁନଙ୍କ ଭଳି ତାରକାଙ୍କ ଉପସ୍ଥିତି ଏହାର ଆକର୍ଷଣ ବଢ଼ାଇଛି। ନଭେମ୍ବରରେ ଆମାଜନ୍ ପ୍ରାଇମ୍ ଭିଡିଓରେ ଫିଲ୍ମଟି ଆସିପାରେ ବୋଲି ରିପୋର୍ଟ ରହିଛି। ୨୦୨୩ରେ ଆସିଥିବା ପ୍ରଥମ ‘ଜେଲର’ ବଡ଼ ବ୍ୟବସାୟିକ ସଫଳତା ପାଇଥିଲା, ତେଣୁ ସିକ୍ୱେଲ୍କୁ ନେଇ ଆଶା ମଧ୍ୟ ଅଧିକ। ଏବେ ଦର୍ଶକଙ୍କ ନଜର ରିଲିଜ୍ ଓ ପରବର୍ତ୍ତୀ OTT ତାରିଖ ଉପରେ ରହିଛି।
