Ranveer Kapoor Apologise:ଭୁଲ୍ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ରଣବୀର
ଦଶହରାରେ 'ରାମାୟଣ'ର ପ୍ରଚାର ସମୟରେ "ସତ୍ୟର ଅନ୍ତ" ସମ୍ବନ୍ଧୀୟ ଏକ ବିବାଦୀୟ ମନ୍ତବ୍ୟ ଦେବା ପରେ, ରଣବୀର କପୁର ନିକଟରେ ଚେନ୍ନାଇ ପହଞ୍ଚିଥିଲେ ଏବଂ ସେଠାରେ ନିଜ ଭୁଲ୍ ସ୍ୱୀକାର କରି ଏବେ କ୍ଷମା ମାଗିଛନ୍ତି ଅଭିନେତା।

‘ରାମାୟଣ’ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥିବା ବଲିଉଡ୍ ଅଭିନେତା ରଣବୀର କପୁର ଏବେ ନିଜର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ। ଦୀପାବଳି ଅବସରରେ ସିନେମା ହଲ୍କୁ ଆସିବାକୁ ଯାଉଛି ଫିଲ୍ମ ‘ରାମାୟଣ: ପାର୍ଟ ୱାନ୍’। ଦଶହରା ଅବସରରେ କୋଲକାତାରେ ଏହାର ପ୍ରମୋସନ୍ ସମୟରେ ରଣବୀର କପୁର ଏମିତି ଏକ ମନ୍ତବ୍ୟ ଦେଇଦେଲେ, ଯାହାକୁ ନେଇ ସୋସିଆଲ୍ ମିଡିଆରେ ତୁମୁଳ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଦଶହରାରେ ଭଲ ଉପରେ ମନ୍ଦର ବିଜୟ କଥା କହିବାବେଳେ ରଣବୀର କହିଥିଲେ, ଦୁଷ୍ଟତା ଯେତେ ଶକ୍ତିଶାଳୀ ହେଲେ ବି ଶେଷରେ ‘ସଚ୍ଚାଇ ଓ ଅଚ୍ଛାଇ’ର ଅନ୍ତ ହେବ। ତାଙ୍କ ଏହି କଥାର ଅର୍ଥକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ପରେ ଚେନ୍ନାଇର ଏକ ପ୍ରମୋସନାଲ୍ ଇଭେଣ୍ଟରେ ରଣବୀର ଏହି ଘଟଣା ପାଇଁ କ୍ଷମା ମାଗିଥିଲେ। ସେ କହିଥିଲେ, ଏହା ଥିଲା ତାଙ୍କର ଜିଭ ଖସିଯିବାର ଭୁଲ୍। ସେ କହିବାକୁ ଚାହୁଁଥିଲେ, ମନ୍ଦ ଯେତେ ଶକ୍ତିଶାଳୀ ହେଲେ ବି ଶେଷରେ ବିଜୟ ସତ୍ୟ ଓ ଭଲର ହେବ। ନିଜ କଥାକୁ ବୁଝାଇବାକୁ ଯାଇ ସେ ଫିଲ୍ମ ‘ରକଷ୍ଟାର୍’ର ଗୀତର ଧାଡ଼ି ‘ଜୋ ଭି ମୈଁ କେହନା ଚାହୁଁ, ବର୍ବାଦ କରେ ଅଲଫାଜ୍ ମେରେ’ ମଧ୍ୟ ଉଲ୍ଲେଖ କରିଥିଲେ। ଏହା ସହ ସେ ନିଜ ଭୁଲ୍ ପାଇଁ ଆନ୍ତରିକ ଭାବେ କ୍ଷମା ମାଗିଥିଲେ। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମାୟଣ: ପାର୍ଟ ୱାନ୍’ରେ ରଣବୀର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମଟି ନଭେମ୍ବର ୫, ୨୦୨୬ରେ ରିଲିଜ୍ ହେବାକୁ ଯୋଜନା ରହିଛି।
