Police Action for loud music :ରାତିଅଧ ଯାଏ ମନ୍ଦିରରେ ମାଇକ୍ : ବର୍ଷିଲେ ସେଲିବ୍ରେଟି
ଟଲିଉଡ୍ ସୁପରଷ୍ଟାର୍ ଆଲୁ ଅର୍ଜୁନଙ୍କ ସାନଭାଇ ତଥା ଜଣାଶୁଣା ଅଭିନେତା ଆଲୁ ଶିରିଶ ନିଜ ଆପାର୍ଟମେଣ୍ଟ ପାଖ ଅଞ୍ଚଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଜୁଥିବା ହାଇ-ଡେସିବେଲ ମ୍ୟୁଜିକ୍କୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ହାଇଦ୍ରାବାଦର ଶେଖପେଟ୍ ସ୍ଥିତ ଏକ ମନ୍ଦିରରୁ ରାତି ୨ରୁ ୩ଟା ପର୍ଯ୍ୟନ୍ତ ଅନୁମତିପ୍ରାପ୍ତ ଡେସିବେଲ୍ ସୀମା ବାହାରେ ମାଇକ୍ ବାଜୁଥିବାରୁ ସାଧାରଣ ଲୋକେ ହଇରାଣ ହେଉଥିବା ସେ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓ ସେୟାର କରି ସେ ପୋଲିସର ହସ୍ତକ୍ଷେପ ଲୋଡ଼ିବା ପରେ ପ୍ରଶାସନ ତୁରନ୍ତ ଆକ୍ସନ ନେଇଛି। |
ହାଇଦ୍ରାବାଦ: ଭାରତରେ ବ୍ୟକ୍ତିଗତ ଶାନ୍ତି ଏବଂ ଧାର୍ମିକ ସ୍ୱାଧୀନତା ସବୁବେଳେ ଅସନ୍ତୁଳିତ ଅବସ୍ଥାରେ ଥାଏ | ଟଲିଉଡ୍ ଅଭିନେତା ଆଲୁ ଶିରିଶଙ୍କ ଅଭିଯୋଗ ପରେ ପୁଣି ଥରେ ସାମ୍ନାକୁ ଆସିଛି ଏହାର ଏକ ନମୁନା |ମନ୍ଦିରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଜୁଥିବା ହାଇ-ଭଲ୍ୟୁମ୍ ମ୍ୟୁଜିକ୍ ବିରୋଧରେ ହେଇଛି ଅଭିଯୋଗ | ହାଇଦ୍ରାବାଦ ସହରର ପ୍ଲସ୍ ଅଞ୍ଚଳ ଶେଖପେଟର ଆପାର୍ଟମେଣ୍ଟ 'ଅପର୍ଣ୍ଣା ୱାନ'ର ବାସିନ୍ଦା ଥିବା ଶିରିଶ ସୋସିଆଲ ମିଡିଆରେ ହାଇଦ୍ରାବାଦ ସିଟି ପୋଲିସକୁ ଟ୍ୟାଗ୍ କରି ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସ୍ପଷ୍ଟ ଶୁଣାଯାଉଛି ଯେ ସ୍ଥାନୀୟ ବିନୋବା ନଗର ସ୍ଥିତ ହନୁମାନ ମନ୍ଦିରରୁ ରାତି ପ୍ରାୟ ୨ଟାରୁ ୩ଟା ପର୍ଯ୍ୟନ୍ତ ବାଜୁଛି ଲାଉଡସ୍ପିକର। ଏହା ଦ୍ୱାରା ଶୋଇପାରୁ ନାହାନ୍ତି ଆପାର୍ଟମେଣ୍ଟର ବୟୋଜ୍ୟେଷ୍ଠ ବ୍ୟକ୍ତି, ଶିଶୁ ଏବଂ ଚାକିରିଆ କର୍ମଜୀବୀମାନେ | ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଯାଇ ମନ୍ଦିର କମିଟି ଓ ସଂଗଠକମାନଙ୍କୁ ଭଲ୍ୟୁମ୍ କମାଇବା ପାଇଁ ଏବଂ ନିର୍ଦ୍ଧାରିତ ସମୟ ସୀମା ପରେ ମାଇକ୍ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛି ।
ପ୍ରକୃତ ଘଟଣାଟି ହେଉଛି,ଅଭିନେତା ଜଣକ ଗଣେଶ ପୂଜା ସମୟରେ ହିଁ ସ୍ଥାନୀୟ ଫିଲ୍ମ ନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ,କିନ୍ତୁ ବିସର୍ଜନ ଯାଏ ସହ୍ୟ କରିବାକୁ ପଡିବ ବୋଲି କହିଥିଲା ପୋଲିସ | ତେବେ,ଵିସର୍ଜନ ୩ ଦିନ ପୂର୍ବରୁ ହେଇ ସାରିଥିବାବେଳେ ରାତିରେ ମ୍ୟୁଜିକ୍ ବାଜିବା ବନ୍ଦ ହୋଇନାହିଁ, ଯାହା ନିୟମର ସ୍ପଷ୍ଟ ଉଲ୍ଲଂଘନ । ମାତ୍ର ଏହି ଘଟଣା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଯେ, ଧାର୍ମିକ କାର୍ଯ୍ୟକ୍ରମ ବାହାନାରେ ରାତି ୩ଟା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ନିଦ ଓ ସ୍ୱାସ୍ଥ୍ୟକୁ ନଜରଅନ୍ଦାଜ କରିବା କେତେଦୂର ଯୁକ୍ତିଯୁକ୍ତ?
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାତ୍ରି ୧୦ଟା ପରେ ଲାଉଡସ୍ପିକର ବ୍ୟବହାର ଉପରେ କଟକଣା ରହିଛି,ଏପରିକି ତେଲେଙ୍ଗାନା ହାଇକୋର୍ଟ ମଧ୍ୟ ପର୍ବପର୍ବାଣୀ ସମୟରେ ରାତି ଅଧରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଗାଇଡଲାଇନ ଲାଗୁ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଘଟଣାର ପୃଷ୍ଠଭୂମି ଦେଖିଲେ ଜଣାପଡ଼େ ଯେ, ଭାରତରେ ସେଲିବ୍ରେଟିମାନେ ଅଭିଯୋଗ କଲେ ହିଁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, କିନ୍ତୁ ସାଧାରଣ ନାଗରିକଙ୍କ ଅଭିଯୋଗ ଅନେକ ସମୟରେ ଅଣଦେଖା ହୋଇ ରହିଯାଏ ।
