Nepal China Border FlashFlood:ନେପାଳ ବନ୍ୟାରେ ୧୩୫୫ ମୃତ
ନେପାଳ-ଚୀନ୍ ସୀମାରେ ଅଗଷ୍ଟ ୨୬ରେ ଆଇସ୍-ରକ୍ ଆଭାଲାଞ୍ଚ ପରେ ଆସିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ବିପର୍ଯ୍ୟସ୍ତ ହୋଇଛି ଉତ୍ତର ନେପାଳ। ସରକାରୀ ତଥ୍ୟ ଅନୁସାରେ ମୃତ୍ୟୁସଂଖ୍ୟା ୧,୩୫୫ରେ ପହଞ୍ଚିଥିବାବେଳେ ୪,୯୯୬ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ପ୍ରାୟ ୫୮୯ ଜଣ ବିଦେଶୀ ନାଗରିକ ରହିଛନ୍ତି। ଏପର୍ଯ୍ୟନ୍ତ ୧୩,୩୯୬ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ୨୧ ହଜାରରୁ ଅଧିକ ସୁରକ୍ଷାକର୍ମୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ନେପାଳ ସରକାର ଆଜି ଜାତୀୟ ଶୋକ ଦିବସ ପାଳନ କରୁଥିବାବେଳେ, ନିଖୋଜଙ୍କ ସନ୍ଧାନ ଓ ମୃତଦେହ ଚିହ୍ନଟ ପାଇଁ ଅଭିଯାନ ଜାରି ରହିଛି।

ନେପାଳ-ଚୀନ୍ ସୀମାନ୍ତରେ ଅଗଷ୍ଟ ୨୬ରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍କଳନରେ ମୃତ୍ୟୁସଂଖ୍ୟା ଏବେ ୧୩୫୫ରେ ପହଞ୍ଚିଛି। ନେପାଳ ସରକାରଙ୍କ ତଥ୍ୟ ଅନୁସାରେ, ୮ଟି ଜିଲ୍ଲାରୁ ୧୩୫୫ଟି ମୃତଦେହ ଉଦ୍ଧାର ହୋଇଛି। ସେଥିମଧ୍ୟରୁ ୯୮ଟି ମୃତଦେହ ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତର ହୋଇଛି। ଏବେ ବି ୪,୯୯୬ ଜଣଙ୍କ ପତ୍ତା ମିଳୁନାହିଁ। ନିଖୋଜଙ୍କ ମଧ୍ୟରେ ୫୮୯ ଜଣ ବିଦେଶୀ ନାଗରିକ ଓ ପ୍ରାୟ ୧୦୦ ଜଣ ସୁରକ୍ଷାକର୍ମୀ ଏବଂ ସରକାରୀ କର୍ମଚାରୀ ରହିଛନ୍ତି। ଏହି ବିପର୍ଯ୍ୟୟରେ ୧୩,୩୯୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ୬,୬୭୨ ଜଣ ଆହତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ୨୧ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି।
ଅଗଷ୍ଟ ୨୬ରେ ହିମାଳୟ ଅଞ୍ଚଳରେ ବରଫ ଓ ପଥର ଧସିବା ପରେ ବିଶାଳ ଡେବ୍ରିସ୍ ଫ୍ଲୋ ସୃଷ୍ଟି ହୋଇଥିଲା। ଏହା ପରେ ବୋଟେକୋଶୀ ଓ ତ୍ରିଶୂଳୀ ନଦୀପଥରେ ପାଣି, କାଦୁଅ, ବରଫ ଓ ପଥରର ପ୍ରଚଣ୍ଡ ସ୍ରୋତ ତଳକୁ ମାଡ଼ିଆସିଥିଲା। ରାସୁୱା, ନୁୱାକୋଟ୍ ସମେତ ଅନେକ ଅଞ୍ଚଳରେ ରାସ୍ତା, ସେତୁ, ଘର ଓ ଜଳବିଦ୍ୟୁତ ପ୍ରକଳ୍ପ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି ଜଳବିଦ୍ୟୁତ ପ୍ରକଳ୍ପ ଅଞ୍ଚଳରେ ଅନେକ ଶ୍ରମିକ ନିଖୋଜ ଥିବାରୁ ଉଦ୍ଧାରକାରୀ ଦଳ ଟନେଲ୍ ଓ ଧ୍ୱଂସାବଶେଷ ଭିତରେ ଖୋଜାଖୋଜି ଜାରି ରଖିଛନ୍ତି। ହଜାର ହଜାର ଲୋକଙ୍କ ପତ୍ତା ନମିଳିବାରୁ ଆଶଙ୍କା ଓ ଚିନ୍ତା ବଢ଼ିଛି। ତଥାପି ଟନେଲ୍ରୁ କିଛି ଲୋକଙ୍କୁ ଜୀବିତ ଉଦ୍ଧାର କରାଯିବା ଆଶା ସଞ୍ଚାର କରିଛି।

ଅନ୍ୟପଟେ ବିପର୍ଯ୍ୟୟ ପୀଡ଼ିତଙ୍କ ସହାୟତା ପାଇଁ ବିଦେଶରେ ଥିବା ନେପାଳୀ ସମୁଦାୟ ମଧ୍ୟ ଆଗେଇ ଆସିଛନ୍ତି। ଆମେରିକାର ଭର୍ଜିନିଆରେ ଥିବା ନେପାଳୀ ସଂଗଠନଗୁଡ଼ିକ ଖାଦ୍ୟ, ଆଶ୍ରୟ, ପାନୀୟ ଜଳ ଓ ଚିକିତ୍ସା ସହାୟତା ପାଇଁ ଅର୍ଥ ସଂଗ୍ରହ କରୁଛନ୍ତି। ରିଲିଫ୍ କାର୍ଯ୍ୟକୁ ସମନ୍ୱିତ କରିବା ପାଇଁ ନେପାଳ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସହାୟତା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ସେପଟେ ଏହି ବିପର୍ଯ୍ୟୟ ପୁଣିଥରେ ହିମାଳୟ ଅଞ୍ଚଳରେ ଆଗୁଆ ବିପଦ ସତର୍କତା ବ୍ୟବସ୍ଥା ଓ ଜଳବାୟୁଜନିତ ବିପଦ ମୁକାବିଲାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି। ନିଖୋଜଙ୍କ ସନ୍ଧାନ ଏବଂ ଧ୍ୱଂସାବଶେଷ ଭିତରୁ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି।
