Deadly Champi Storm : ଚାମ୍ପି ଝଡ଼ରେ ଥରହର ତାଇୱାନ
ତାଇୱାନରେ ଚାମ୍ପିର ଭୟଙ୍କର ତାଣ୍ଡବ! ୯୩୧ ବିମାନ ବାତିଲ, ଜଣେ ମୃତ ଓ ୯୪ ଆହତ! ପ୍ରବଳ ପବନ ଓ ବର୍ଷାରେ ଥରହର ତାଇୱାନ, ୧୩୦୦ ଲୋକ ସ୍ଥାନାନ୍ତର |

ତାଇୱାନରେ ଘୂର୍ଣ୍ଣିଝଡ଼ ଚାମ୍ପିର ବିପଦକୁ ଦେଖି ଆଜି ପାଖାପାଖି ସମ୍ପୂର୍ଣ୍ଣ ଦ୍ଵୀପରେ ଜନଜୀବନ ଠପ୍ ହୋଇଯାଇଛି | ଟାଇଫୁନ୍ ଦୁର୍ବଳ ହେବାରେ ଲାଗିଛି ସତ, କିନ୍ତୁ ଏହା ସତ୍ତ୍ୱେ ତାଇୱାନ ସହ ସିଧାସଳଖ ଧକ୍କା ହେବାର ବିପଦ ରହିଛି | ଜୋରଦାର ପବନ ଓ ପ୍ରବଳ ବର୍ଷା ଆଶଙ୍କା ମଧ୍ୟରେ ଅଧିକାରୀମାନେ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି | ଏବେ ଯାଏଁ ଟାଇଫୁନ୍ ର କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି , ଯେବେକି ୯୪ଜଣ ଲୋକ ଆହତ ହୋଇଛନ୍ତି | ସରକାର ଅନୁସାରେ , ପାହାଡ ଅଞ୍ଚଳରେ ପାଖାପାଖି , ୧୩୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି |
୯୩୧ଟି ବିମାନ ଉଡ଼ାଣ ବାତିଲ, ଆର୍ଥିକ ବଜାର ମଧ୍ୟ ବନ୍ଦ
ଟାଇଫୁନ୍ ଯୋଗୁଁ ବିମାନ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି | ତାଇୱାନରେ ପରିବହନ ମନ୍ତ୍ରୀଙ୍କ ଅନୁସାରେ , ଆଜି ସମସ୍ତ ୨୬୨ଟି ଘରୋଇ ବିମାନ ରଦ୍ଦ କରାଯାଇଛି | ଏହା ବ୍ୟତିତ ୬୬୯ଟି ଅନ୍ତଃରାଷ୍ଟ୍ରୀୟ ବିମାନ ରଦ୍ଦ କରାଯାଇଛି | ବର୍ତ୍ତମାନ ଉତ୍ତର ରୁ ଦକ୍ଷିଣ ସହ ଜଡିତ ହାଇ-ସ୍ପୀଡ ଟ୍ରେନ୍ ସେବା ସ୍ୱାଭାବିକ ଭାବେ ଚାଲୁଛି | ରାଜଧାନୀ ତାଇପେ ରେ ବର୍ଷା ମଧ୍ୟରେ ଟ୍ରେନ୍ ସାର୍ବଜନୀନ ପରିବହନ ସେବା ମଧ୍ୟ ଜାରି ରହିଲା , କିନ୍ତୁ ସେଗୁଡ଼ିକୁ କାଟି କମାଇ ଦିଆଗଲା | ଟାଇଫୁନ୍ ବିପଦକୁ ଦେଖି ଆର୍ଥିକ ବଜାର ଆଜି ବନ୍ଦ କରାଯାଇଛି | ଚୀନ୍ ଉପକୂଳ ନିକଟରେ ଅବସ୍ଥିତ, ତାଇୱାନର ନିୟନ୍ତ୍ରଣାଧୀନ କିନମେନ୍ ଦ୍ୱୀପପୁଞ୍ଜରେ ବିଦ୍ୟାଳୟ ଓ କାର୍ଯ୍ୟାଳୟଗୁଡ଼ିକ ସାଧାରଣ ଭାବେ ଖୋଲା ରହିବାର ଥିଲା |
ପ୍ରତି ଘଣ୍ଟାରେ ୧୯୧ କିଲୋମିଟର ବେଗରେ ବହୁଛି ପବନ
ତାଇୱାନର କେନ୍ଦ୍ରୀୟ ପାଣିପାଗ ପ୍ରଶାସନ ଅନୁଯାୟୀ, ଟାଇଫୁନ୍ ଚାମ୍ପିର କେନ୍ଦ୍ର ନିକଟରେ ପବନର ବେଗ ପ୍ରାୟ ୧୯୧ କିଲୋମିଟର ପ୍ରତି ଘଣ୍ଟାରେ ପହଞ୍ଚୁଥିଲା । ଏହି ଝଡ଼ ଏକ ସମୟରେ ସୁପର ଟାଇଫୁନ୍ ଶ୍ରେଣୀରେ ଥିଲା ଏବଂ ଚଳିତ ବର୍ଷ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ସବୁଠାରୁ ଶକ୍ତିଶାଳୀ ଝଡ଼ଗୁଡ଼ିକ ମଧ୍ୟରୁ ଅନ୍ୟତମ ଥିଲା | ପାଣିପାଗ ବିଭାଗ ଅନୁଯାୟୀ, ଏହି ଝଡ଼ ତାଇୱାନର ଦକ୍ଷିଣ ପ୍ରାନ୍ତଠାରୁ ପ୍ରାୟ ୩୨୦ କିଲୋମିଟର ପୂର୍ବରେ ଅବସ୍ଥିତ ଥିଲା । ଆକଳନ ଅନୁସାରେ, ଏହା ତାଇୱାନର ଉତ୍ତର-ପୂର୍ବ ଉପକୂଳ ନିକଟ ଦେଇ ଅତିକ୍ରମ କରିବା ପରେ ଉତ୍ତର ଦିଗକୁ ମୁହାଁଇବ। ଏହାପରେ ଚୀନ୍ର ଉପକୂଳ ଦିଗରେ ଗତି କରି ଶେଷରେ ଦକ୍ଷିଣ ଜାପାନ ଆଡ଼କୁ ଯିବ । ତାଇୱାନର ପାଣିପାଗ ବିଭାଗର ପୂର୍ବାନୁମାନକାରୀ ଲିଉ ପେଇ-ତେଙ୍ଗ କହିଛନ୍ତି ଯେ, ଏହି ଟାଇଫୁନ୍ ସିଧାସଳଖ ତାଇୱାନରେ ସ୍ଥଳଭାଗକୁ ଛୁଇଁବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ଯଦି ଏହା ଆଗକୁ ବଢ଼ିବା ପରିବର୍ତ୍ତେ ଗୋଟିଏ ସ୍ଥାନରେ ଅଟକି ରହେ, ଘୂରିବୁଲେ କିମ୍ବା ନିଜର ଗତିପଥ ପରିବର୍ତ୍ତନ କରେ, ତେବେ ତାଇୱାନରେ ଏହାର ସ୍ଥଳଭାଗକୁ ପ୍ରବେଶ କରିବାର ସମ୍ଭାବନା ରହିବ।
ଘୂର୍ଣ୍ଣିଝଡ଼ର ପରିଧି ବଡ଼, ଦୁଇ ଦିନ ପର୍ଯ୍ୟନ୍ତ ରହିପାରେ ପ୍ରଭାବ
ପାଣିପାଗ ବିଭାଗର ଅନୁସାରେ , ଟାଇଫୁନ୍ ଚାମ୍ପିର ପରିଧି ପ୍ରାୟ ୩୨୦ କିଲୋମିଟର। ଏହାର ବିସ୍ତୃତ ପରିଧି ଯୋଗୁଁ ତାଇୱାନର ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇପାରେ। ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି ଯେ, ଏହି ଟାଇଫୁନ୍ ର ପ୍ରଭାବ ପ୍ରାୟ ଦୁଇ ଦିନ ପର୍ଯ୍ୟନ୍ତ ରହିପାରେ।
ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କ ସୂଚନା, ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା
ତାଇୱାନର ଉପକୂଳବର୍ତ୍ତୀ ସହରଗୁଡ଼ିକରେ ମୋବାଇଲ୍ ଫୋନ୍ ମାଧ୍ୟମରେ ସତର୍କ ସୂଚନା ପଠାଯାଇଛି। ଘଣ୍ଟା ପ୍ରତି ୧୫୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବାର ଆଶଙ୍କା ଥିବାରୁ ଲୋକମାନଙ୍କୁ ସତର୍କ କରାଯିବା ସହ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ତାଇପେଇ ଆଖପାଖ ସମେତ ଉତ୍ତର ପାହାଡ଼ିଆ ଅଞ୍ଚଳରେ ପ୍ରାୟ ଏକ ମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ଉତ୍ତର-ପୂର୍ବ ତାଇୱାନର ୟିଲାନ୍ କାଉଣ୍ଟିରେ ପ୍ରବଳ ପବନ ଓ ବର୍ଷାର ପ୍ରଭାବ ବଢ଼ିବାକୁ ଲାଗିଥିଲା। ଏଠାରେ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବାଲି ଭର୍ତ୍ତି ବସ୍ତା ବଣ୍ଟନ କରାଯାଇଥିଲା। ଏଥିସହ ଉଭୟ ସ୍ଥଳ ଓ ଜଳରେ ଚାଲିପାରୁଥିବା ଯାନ ଏବଂ ପବନ ଭରି ବ୍ୟବହାର କରାଯାଉଥିବା ଉଦ୍ଧାରକାରୀ ଡଙ୍ଗାଗୁଡ଼ିକୁ ପ୍ରସ୍ତୁତ ରଖାଯାଇଥିଲା।
ସୁଆଓ ବନ୍ଦର ସହରର ମୁଖ୍ୟ ଲି ମିଙ୍ଗ-ଚେନ୍ କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ସେନାର ସହାୟତା ନିଆଯିବ। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ବିପର୍ଯ୍ୟୟ ମୁକାବିଲା ଓ ଉଦ୍ଧାର କାର୍ଯ୍ୟରେ ଉଭୟ ସ୍ଥଳ ଓ ଜଳରେ ଚାଲିପାରୁଥିବା ଯାନଗୁଡ଼ିକୁ ବ୍ୟବହାର କରାଯାଇପାରେ।
