Saudi Arabia Attack:ସାଉଦିରେ ହୁଥି ଆକ୍ରମଣ, ୟେମେନ୍ରେ ପାଲଟା ଏୟାରଷ୍ଟ୍ରାଇକ୍
ରିୟାଦ୍ ବିମାନବନ୍ଦରରେ ମିସାଇଲ୍ ଆକ୍ରମଣ ପରେ ସାଉଦି ଆରବ ଓ ୟେମେନ୍ର ହୁଥି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଆହୁରି ତୀବ୍ର ହୋଇଛି। ତେଲ ଭିତ୍ତିଭୂମି ଉପରେ ଆକ୍ରମଣ ଓ ପାଲଟା ଏୟାରଷ୍ଟ୍ରାଇକ୍କୁ ନେଇ ଏବେ ଅନ୍ତର୍ଜାତୀୟ ଚିନ୍ତା ବଢ଼ିଛି।ହୁତିଙ୍କ ଧମକ, ସାଉଦିର ପ୍ରତିକ୍ରିୟା ଓ ଆମେରିକାର ପରବର୍ତ୍ତୀ ପଦକ୍ଷେପକୁ ନେଇ ଏବେ ସାରା ବିଶ୍ୱର ନଜର ରହିଛି।
ସାଉଦି ଆରବ ଓ ୟେମେନ୍ର ହୁଥି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ନୂଆ ମୋଡ଼ ନେଇଛି। ଅକ୍ଟୋବର ୧୩ରେ ସାଉଦିର ଧାହରାନ୍ସ୍ଥିତ ତୈଳ କମ୍ପାନୀ ସାଉଦି ଆରାମକୋର ଏକ ପ୍ରଶାସନିକ କୋଠା ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିଲା। ସେଠାରେ ସୀମିତ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ କେହି ମୃତାହତ ହୋଇନଥିବା ସାଉଦି ଶକ୍ତି ମନ୍ତ୍ରଣାଳୟ ସୂଚନା ଦେଇଛି । ରିୟାଦ୍ରେ ହୁଥି ମିସାଇଲ୍କୁ ଅଟକାଇବା ପରେ ତାହାର ଭଗ୍ନାବଶେଷ ଆବାସିକ ଅଞ୍ଚଳରେ ପଡ଼ି ଚାରିଜଣ ଆହତ ହୋଇଥିବାର ଜଣାପଡିଛି । ସାଉଦି ପକ୍ଷ ଅନେକ ମିସାଇଲ୍କୁ ଅଟକାଇଥିବା ମଧ୍ୟ କହିଛି।
ଏହାର ପାଲଟା ଜବାବରେ ସାଉଦି ନେତୃତ୍ୱାଧୀନ ମିଳିତ ସେନା ୟେମେନ୍ର ହୁଥି ନିୟନ୍ତ୍ରିତ ରାଜଧାନୀ ସାନାରେ ଏୟାରଷ୍ଟ୍ରାଇକ୍ କରିଛି। ରିପୋର୍ଟ ଅନୁସାରେ, ଆକ୍ରମଣରେ ଇନ୍ଧନ ସଂରକ୍ଷଣ କେନ୍ଦ୍ରକୁ ଟାର୍ଗେଟ୍ କରାଯାଇଥିଲା। ଏହି ସ୍ଥାନ ଅସ୍ତ୍ରଶସ୍ତ୍ର ରଖିବାରେ ବ୍ୟବହୃତ ହେଉଥିବା ସାଉଦି ମେଣ୍ଟ ଅଭିଯୋଗ କରିଥିବାବେଳେ ହୁଥି ପକ୍ଷ ଏହାକୁ ଖଣ୍ଡନ କରିଛି। ଦୁଇପକ୍ଷର ଆକ୍ରମଣ ପରେ ସାଧାରଣ ଲୋକଙ୍କ ସୁରକ୍ଷା ଓ ତୈଳ ଯୋଗାଣକୁ ନେଇ ଚିନ୍ତା ବଢ଼ିଛି।
ଏହି ପଛରେ ରହିଛି ରିୟାଦ୍ର କିଙ୍ଗ୍ ଖାଲିଦ୍ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଲଗାତାର ଆକ୍ରମଣ। ଅକ୍ଟୋବର ୮ର ଆକ୍ରମଣରେ ତିନିଜଣ ସାଉଦି ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଅକ୍ଟୋବର ୧୦ର ଆକ୍ରମଣରେ ମୃତ୍ୟୁସଂଖ୍ୟା ୧୩କୁ ବଢ଼ିଥିଲା ଏବଂ ୩୦୦ରୁ ଅଧିକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ହାଇଦ୍ରାବାଦର ଭାରତୀୟ ମହମ୍ମଦ ୟୁସୁଫ ଅଲି ମଧ୍ୟ ଥିଲେ। ଅକ୍ଟୋବର ୧୧ରେ ଆଉ ଏକ ଆକ୍ରମଣରେ ଜଣେ ପାକିସ୍ତାନୀ ବାସିନ୍ଦାଙ୍କ ମୃତ୍ୟୁ ଓ ୧୧ ଜଣ ଆହତ ହୋଇଥିଲେ। ତେଣୁ ବିମାନବନ୍ଦର ଆକ୍ରମଣରେ ମୋଟ ମୃତ୍ୟୁସଂଖ୍ୟା ଅତିକମରେ ୧୭। ଭାରତ ନିଜ ନାଗରିକଙ୍କୁ ସତର୍କ ରହିବା ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦେଇଛି। ଅକ୍ଟୋବର ୧୪ରେ ମଧ୍ୟ ହୁଥି ଆକ୍ରମଣର ଆଶଙ୍କା ଜାରି ରହିଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି। ଏହି ଆକ୍ରମଣଗୁଡ଼ିକ ପଛରେ ହୁଥି ଦଳ ନିଜ ଭୂମିକା ଦାବି କରିଥିବା ବେଳେ ସାଉଦି ମେଣ୍ଟ ପାଲଟା କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୁଥି ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ସାଉଦିକୁ ସହଯୋଗ ବଢ଼ାଇବାର ସମ୍ଭାବନା ଉପରେ ଆଲୋଚନା ଚାଲିଛି।
ହୁଥିମାନେ ୟେମେନ୍ର ଉତ୍ତର-ପଶ୍ଚିମ ଅଞ୍ଚଳର ବଡ଼ ଭାଗ ନିୟନ୍ତ୍ରଣ କରୁଥିବା ଏକ ରାଜନୈତିକ, ଧାର୍ମିକ ଓ ସାମରିକ ଆନ୍ଦୋଳନ। ସାଉଦି ସମର୍ଥିତ ୟେମେନ୍ ସରକାରଙ୍କ ସହ ଦୀର୍ଘଦିନର ସଂଘର୍ଷ ଯୋଗୁଁ ସେମାନେ ସାଉଦି ଆରବକୁ ଟାର୍ଗେଟ୍ କରୁଛନ୍ତି। ଲୋହିତ ସାଗର ଓ ବାବ୍-ଏଲ୍-ମାଣ୍ଡେବ୍ ଜଳପଥରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେଲେ ତୈଳ ଓ ବିଶ୍ୱ ବାଣିଜ୍ୟ ଉପରେ ପ୍ରଭାବ ପଡ଼ିପାରେ। ଏହି କାରଣରୁ ବିମାନ ସେବା ବାତିଲ୍ ହୋଇଛି, ଯାତ୍ରୀଙ୍କୁ ନୂଆ ସୂଚନା ନିୟମିତ ଯାଞ୍ଚ କରିବାକୁ କୁହାଯାଇଛି।
