MMDR: କଂଗ୍ରେସର ଓଡ଼ିଶା ବନ୍ଦ, ବିଜେଡିର ଅର୍ଥନୈତିକ ଅବରୋଧ
୮ ତାରିଖରେ ଓଡ଼ିଶା ବନ୍ଦ। ବୁଧବାର ଓଡ଼ିଶା ବନ୍ଦ ଡାକରା ଦେଇଥିବା ନବନିର୍ମାଣ କୃଷକ ସଂଗଠନକୁ ସମର୍ଥନ କରିବନି ବୋଲି ସଫା ସଫା ଶୁଣାଇଦେଇଛି କଂଗ୍ରେସ। ଇଣ୍ଡିମେଣ୍ଟ ବି ସାମିଲ ହେବନି। କାରଣ ଏହାକୁ ନେଇ ବାମଦଳ ସହ ମତଭେଦ ଥିବା କଥା ସ୍ପଷ୍ଟ କରିଛନ୍ତି ଭକ୍ତ।ଆଗକୁ ଅର୍ଥନୈତିକ ଅବରୋଧ କରିବାକୁ ଚେତାବନୀ ଦେଇଛି ବିଜେଡି

୮ ତାରିଖରେ ଓଡ଼ିଶା ବନ୍ଦ। ଏମଏମଡିଆର, ଏସଆଇଆର ଓ ବହି ବିଭ୍ରାଟ ମୁଦ୍ଦାରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ। ସଂଶୋଧିତ ଏମଏମଡିଆର ଆଇନ ପ୍ରତ୍ୟାହାର, ଏସଆଇଆରରେ ସିଇସି ଜ୍ଞାନେଶ କୁମାରଙ୍କ ଚଞ୍ଚକତା ଓ ବହି ବିଭ୍ରାଟ ମୁଦ୍ଦାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି କଂଗ୍ରେସ ଲୋୟର ପିଏମଜିରେ ନିଜର ଶକ୍ତି ପ୍ରଦର୍ଶନ କରିଛି। ଏହି ୩ ପ୍ରମୁଖ ଦାବିକୁ ନେଇ କଂଗ୍ରେସକୁ ସମର୍ଥନ କରିଥିଲା ଇଣ୍ଡି ମେଣ୍ଟର ୧୦ ଦଳ। ଭୁବନେଶ୍ୱରରେ ବିଶାଳ ବିକ୍ଷୋଭ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ କରିବାକୁ ଯିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ବ୍ୟାରିକେଡ ଭାଙ୍ଗି କଂଗ୍ରେସ କର୍ମୀ ଆଗକୁ ବଢ଼ିବା ବେଳେ ପୁଲିସ ଅଟକାଇବାକୁ ନାକେଦମ ହୋଇପଡ଼ିଥିଲା। ଏହା ପରେ ବରିଷ୍ଠ ନେତାଙ୍କୁ ଅଟକ ରଖିଥିଲା ପୁଲିସ। ତେବେ ବହି ବିଭ୍ରାଟ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହ ୬ ଦଫା ଦାବିରେ କାଲିକୁ ଅର୍ଥାତ ବୁଧବାର ଓଡ଼ିଶା ବନ୍ଦ ଡାକରା ଦେଇଥିବା ନବନିର୍ମାଣ କୃଷକ ସଂଗଠନକୁ ସମର୍ଥନ କରିବନି ବୋଲି ସଫା ସଫା ଶୁଣାଇଦେଇଛି କଂଗ୍ରେସ। ଇଣ୍ଡିମେଣ୍ଟ ବି ସାମିଲ ହେବନି। କାରଣ ଏହାକୁ ନେଇ ବାମଦଳ ସହ ମତଭେଦ ଥିବା କଥା ସ୍ପଷ୍ଟ କରିଛନ୍ତି ଭକ୍ତ।

ଏମଏମଡିଆର ବୈଠକରେ ଆନ୍ଦୋଳନକୁ ନେଇ ରଣନୀତି ବେଳେ ବାମ ଦଳ ଓ ବାହିନୀପତିଙ୍କ ଭିତରେ ତୁତୁ ମେମେର ଦୃଶ୍ୟ ବି ମଞ୍ଚରେ ସାମ୍ନାକୁ ଆସିଛି। ଆଦିବାସୀଙ୍କ ସ୍ୱାର୍ଥ ହାନି ହେବାକୁ ଦିଆଯିବନି। ଓଡ଼ିଶାର ରାଜସ୍ୱ କ୍ଷତିକୁ ବରଦାସ୍ତ କରାଯିବନି କହି ଗର୍ଜିଛି କଂଗ୍ରେସ। ବିଜେପିର ୨୦ ସାଂସଦଙ୍କ ନୀରବତା ଓ ବିଧାନସଭାରେ ଜାଣିଶୁଣି ଆଲୋଚନାକୁ ସରକାରଙ୍କ ପଛଘୁଞ୍ଚା ନେଇ ଅଙ୍ଗୁଳି ଉଠାଇଛି ଇଣ୍ଡିମେଣ୍ଟ। ସୋମବାର ଏମଏମଡିଆର ଆଇନ ବିରୁଦ୍ଧରେ ଲୋୟର ପିଏମଜିରେ ଗର୍ଜିବା ପରେ ଆଜି ପ୍ରେସମିଟ କରି ଆଗକୁ ଅର୍ଥନୈତିକ ଅବରୋଧ କରିବାକୁ ଚେତାବନୀ ଦେଇଛି ବିଜେଡି। ବିଜେଡି ଏହି ଲଢ଼େଇକୁ ନିର୍ଣ୍ଣାୟକ ମୋଡ଼ ଯାଏ ନେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ଓ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ। କାଉଣ୍ଟରରେ ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, ଏମଏମଡିଆର ଆକ୍ଚର ସଂଶୋଧନରେ ଓଡ଼ିଶାର ସ୍ୱାର୍ଥ କ୍ଷତିଗ୍ରସ୍ତ ହେବାକୁ ଦିଆଯିବନି। ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବିଜେଡି ଓ କଂଗ୍ରେସ ସଂସଦରେ ଆଲୋଚନା କଲାନି କାହିଁକି। ଓଡ଼ିଶାର ଖଣିଜ ସମ୍ପଦରୁ ରାଜ୍ୟର ଲାଭ ଓ ଅଧିକାରକୁ ସୁନିଶ୍ଚିତ କରିବାକୁ ମୋହନ ସରକାର ପ୍ରତିବଦ୍ଧ। ଏମଏମଡିଆର ଆଇନକୁ ଗଣ୍ଠି କରିଛନ୍ତି ବିରୋଧୀ। ଏହି ଆଇନ ଦ୍ୱାରା ଓଡ଼ିଶାର ରାଜସ୍ୱ, ଆର୍ଥିକ କ୍ଷତି ହେବା ସହ ଭବିଷ୍ୟତ ବି ପ୍ରଭାବିତର ଆଶଙ୍କା କରିଛି ବିରୋଧୀ ଦଳ।
