ଏମଏମଡିଆର୍ ବିଲ୍- ଓଡ଼ିଶାକୁ ଲାଭ ନା କ୍ଷତି
ଏମଏମଡିଆର ଆମେଣ୍ଡମେଣ୍ଟ ବିଲ୍ ବଳରେ ଖଣିଜ ସମ୍ପଦ ଉପରେ ଟିକସ କି ଲେଭି ବସାଇପାରିବେନି ସରକାର। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଅବଜ୍ଞା କରି ଏଭଳି ଏକପାଖିଆ ନିଷ୍ପତ୍ତିକୁ କେରଳ ଓ ଝାଡ଼ଖଣ୍ଡ ସରକାର ବିରୋଧ କରିଛନ୍ତି। ଓଡ଼ିଶାରେ ବିଜେଡି, କଂଗ୍ରେସ ସମେତ ପ୍ରମୁଖ ବିରୋଧୀ ଦଳ ସରକାରଙ୍କ ଉଦାସୀନତାକୁ ବିରୋଧ କରିଛନ୍ତି।

ଏମଏମଡିଆର ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ମୋହର। ରାଜ୍ୟର ଖଣିଜ ସମ୍ପଦ ଉପରୁ ଚାଲିଗଲା ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱ ଓ ଅଧିକାର । କେନ୍ଦ୍ର ଏଣିକି ଧାର୍ଯ୍ୟ କରିବ ଟିକସ। ଖଣି ମାଲିକଙ୍କଠୁ ରାଜ୍ୟ ସରକାର ଏଣିକି ଟିକସ ଆକାରରେ ଟଙ୍କାଟେ ବି ଆଦାୟ କରିପାରିବେନି । ଓଡ଼ିଶା ସରକାର ବକେୟା ପ୍ରାପ୍ୟ ୧ଲକ୍ଷ ୧୦ କୋଟି ଟଙ୍କା ଏକକାଳୀନ ହରାଇବାର ଆଶଙ୍କା। ଓଡ଼ିଶା ପ୍ରତିବର୍ଷ ୧୨ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ! ୧୩ ତାରିଖରେ ସଂସଦରେ ପାରିତ ଏମଏମଡିଆର ସଂଶୋଧନ ବିଲ୍ କୁ ମଙ୍ଗଳବାର ରାଷ୍ଟ୍ରପତିଙ୍କ ଅନୁମତି ମିଳିସାରିଛି। ଖଣି ଲିଜଧାରୀଙ୍କ ଲାଭାଂଶରୁ ୨୦ ପ୍ରତିଶତ ଯାଏ ଲେଭି ଆଦାୟ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ୨୦୦୪ରେ ଆଣିଥିଲେ ଓରିସେଡ୍ ଆକ୍ଟ। ହେଲେ ଓଡ଼ିଶା ହାଇକୋର୍ଟ ତାକୁ ନାକଚ କରିଦେଇଥିଲେ। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରି ୨୦୦୫ରୁ ୨୦୨୪ ଯାଏ ଦୀର୍ଘ ୧୯ବର୍ଷ ଲଢ଼ିଥିଲେ ରାଜ୍ୟ ସରକାର। ୨୦୨୪ ଜୁଲାଇ ମାସରେ ସୁପ୍ରିମକୋର୍ଟର ୯ ଜଣିଆ ବେଞ୍ଚ୍ ଓଡ଼ିଶା ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ। ଏପ୍ରିଲ ୧, ୨୦୦୫ରୁ ପିଛିଲା ଭାବେ ବକେୟା ଦେୟ ଆଦାୟ କରିବାକୁ ସରକାରଙ୍କୁ କହିଥିଲେ ସୁପ୍ରିମକୋର୍ଟ। ଖଣି କମ୍ପାନୀଗୁଡ଼ିକ ଏପ୍ରିଲ ୧, ୨୦୨୬ରୁ ୧୨ଟି ବାର୍ଷିକ କିସ୍ତିରେ ବକେୟା ପୈଠ କରିବାକୁ ସ୍ପଷ୍ଟ କରିଥିଲେ ସୁପ୍ରିମକୋର୍ଟ। ହେଲେ ରାଜ୍ୟ ସରକାର ବକେୟା ଅର୍ଥ ଆଦାୟ କଲେନି। ଆଉ ଏମଏମଡିଆର ଆମେଣ୍ଡମେଣ୍ଟ ବିଲ୍ ବଳରେ ଖଣିଜ ସମ୍ପଦ ଉପରେ ଟିକସ କି ଲେଭି ବସାଇପାରିବେନି ସରକାର। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ଅବଜ୍ଞା କରି ଏଭଳି ଏକପାଖିଆ ନିଷ୍ପତ୍ତିକୁ କେରଳ ଓ ଝାଡ଼ଖଣ୍ଡ ସରକାର ବିରୋଧ କରିଛନ୍ତି। ଓଡ଼ିଶାରେ ବିଜେଡି, କଂଗ୍ରେସ ସମେତ ପ୍ରମୁଖ ବିରୋଧୀ ଦଳ ସରକାରଙ୍କ ଉଦାସୀନତାକୁ ବିରୋଧ କରିଛନ୍ତି। ଏମଏମଡିଆର ସଂଶୋଧନ ବିରୁଦ୍ଧରେ ମିଳିତ ସଂଗ୍ରାମ ଲାଗି ଆହ୍ୱାନ ଦେଇଛନ୍ତି ନବୀନ, ଭକ୍ତଙ୍କ ଭଳି ପ୍ରମୁଖ ନେତୃବୃନ୍ଦ। ବିନା ଆଲୋଚନାରେ କେନ୍ଦ୍ର ସରକାର ଏହି ବିଲ୍ ପାରିତ କରିବା ବେଳେ ବିଜେଡି ଏହାକୁ ବିରୋଧ କରିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଚିଠି ଲେଖି ସର୍ବଦଳୀୟ ବୈଠକ ଡାକିବାକୁ କହିଥିଲେ। ଖଣିଜସମ୍ପଦ ଭରା ଓଡିଶାରୁ ଏ ଅଧିକାର ଛଡ଼ାଇନେବାକୁ କେନ୍ଦ୍ର କିଏ ବୋଲି ପଚାରିଛନ୍ତି ବିରୋଧୀ ଦଳ। ଓଡ଼ିଶାବାସୀ ଧୁଳି, ଧୂଆଁ ସହିବେ ଆଉ ଦିଲ୍ଲୀ ଦରବାର ସମୃଦ୍ଧ ହେବ। ଖଣି ବିଲକୁ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନଙ୍କ ଉଦ୍ଦେଶ୍ୟରେ ଭିଡ଼ିଓ ବାର୍ତ୍ତା ଜାରି କରି ଧର୍ମେନ୍ଦ୍ର କହିଛନ୍ତି, ରାଜନୀତି ଆଳରେ ସତକୁ ଲୁଚାଇ ଓଡ଼ିଶା ଲୋକଙ୍କୁ ଭ୍ରମିତ କରିବା ବିଲକୁଲ ଗ୍ରହଣୀୟ ନୁହେଁ। ନବୀନ ସୁବିଧାବାଦୀ ରାଜନୀତି ବନ୍ଦ କରନ୍ତୁ। ମୋଦି ସରକାରଙ୍କ ଏହି ବିଲ୍ ଖଣି ସୁରକ୍ଷା ଓ ଓଡ଼ିଶା ଭଳି ଖଣିଜସମ୍ପଦ ଭରା ରାଜ୍ୟର ଆର୍ଥିକ ଭବିଷ୍ୟତ ଦିଗରେ ସହାୟକ ସାଜିବ। ପୂର୍ବରୁ ରାଜ୍ୟଗୁଡ଼ିକ ଖଣି ଉପରେ ୧୪ ପ୍ରକାରର ଅଲଗା ଅଲଗା ଅତ୍ୟଧିକ ଟିକସ ଲଗାଉଥିଲେ। ଏବେ ଏହି ବିଲ୍ ବଳରେ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଯାଜପୁରରେ ଖଣି ବନ୍ଦର ଆଶଙ୍କା ଦୂରେଇ ଯାଇଛି। ଖଣି ଉପରେ ୭୦ରୁ ୮୦ପ୍ରତିଶତ ମନମୁଖୀ ଟିକସ ଲଦିଲେ ଲୁହା, କୋଇଲା, ସିମେଣ୍ଟର ଦର ଆକାଶଛୁଆଁ ହୋଇଥାଆନ୍ତା। ବିଲ୍ ଦ୍ୱାରା ଓଡ଼ିଶାର କୌଣସି କ୍ଷତି ହୋଇନି। ଓଡ଼ିଶା ଯେଉଁ ନିଲାମ,ପ୍ରିମିୟମ, ରୟାଲଟି ଓ ଡିଏମଏଫ ପାଉଥିଲା, ତାହାର ଶତ ପ୍ରତିଶତ ଆଜି ବି ସିଧାସଳଖ ଓଡ଼ିଶା ସରକାରଙ୍କ ଖାତାକୁ ଯିବ। ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରି ଅରୁଣ ସାହୁ କହିଛନ୍ତି, ଓଡ଼ିଶା ବିଜେପିର ୨୦ ସାଂସଦ ପାଟି ଖୋଲିଲେନି। ବିନା ଆଲୋଚନାରେ ସଂସଦରେ ୫ ମିନିଟରେ ବିଲ୍ ପାସ୍ ହେଲା। ଖଣି କମ୍ପାନୀରୁ ଟିକସ ଆଦାୟ ହୋଇଥିଲେ ଓଡ଼ିଶା ପାଇଥାଆନ୍ତା ପ୍ରାୟ ଦେଢ଼ ଲକ୍ଷ କୋଟି। ସତସାହସ ଥିଲେ ବିଜେପି ନେତା ଖୋଲା ବିତର୍କକୁ ଆସନ୍ତୁ। ଏମଏମଡିଆର୍ ସଂଶୋଧନ ବିଲ ଆସିବା ପରେ ବାସ୍ତବରେ ଓଡ଼ିଶାର ଲାଭ ନା କ୍ଷତି। ଏହାକୁ ନେଇ ବଡ଼ ବିତର୍କ ଓ ବଡ଼ ବିବାଦ ସୃଷ୍ଟି କରିଛି।
