Two Brothers Drown:ଦଶହରାରେ ଅଘଟଣ, ସୁବର୍ଣ୍ଣରେଖାରେ ବୁଡ଼ି ଦୁଇ ଭାଇ ମୃତ
ଦଶହରାରେ ମାମୁଘରକୁ ଦୁର୍ଗାପୂଜା ବୁଲିବାକୁ ଆସିଥିଲେ ଦୁଇ ଭାଇ। ହେଲେ ସୁବର୍ଣ୍ଣରେଖା ନଦୀରେ ଗାଧୋଇବାକୁ ଯାଇ ଫେରିଲେନି ଘରକୁ। ବାଲିଆପାଳର ମାନପୁର ଘାଟରେ ଘଟିଥିବା ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।

ବାଲିଆପାଳ :ଦଶହରାର ଖୁସି ଭିତରେ ଖେଳିଯାଇଛି ଶୋକର ଛାୟା। ସୁବର୍ଣ୍ଣରେଖା ନଦୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ମାନପୁର ଘାଟରେ ଘଟିଛି। ସୂଚନା ଅନୁଯାୟୀ, ବାଲିଆପାଳ ଥାନା ଅନ୍ତର୍ଗତ ତଳଧାନ୍ଦା ଗ୍ରାମର ମଧୁସୂଦନ ଗିରିଙ୍କ ଦୁଇ ପୁଅ ରମୀୟ ରଞ୍ଜନ ଗିରି ଓ ପ୍ରିୟରଞ୍ଜନ ଗିରି ଦଶହରା ଅବସରରେ ମାମୁଘରକୁ ଦୁର୍ଗାପୂଜା ବୁଲିବା ପାଇଁ ଆସିଥିଲେ। ଆଜି ମଧ୍ୟାହ୍ନରେ ଦୁହେଁ ମାନପୁର ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ନଦୀର ଗଭୀରତା ସମ୍ପର୍କରେ ଜାଣି ନଥିବାରୁ ଦୁହେଁ ଅଜାଣତରେ ଗଭୀର ଗଣ୍ଡ ଭିତରକୁ ପଶିଯାଇଥିଲେ। ଫଳରେ ଉଭୟେ ପାଣିରେ ବୁଡ଼ିଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଭାଇଙ୍କୁ ଉଦ୍ଧାର କରିଥିଲା। ତେବେ ଉଭୟଙ୍କ ଜୀବନ ରକ୍ଷା କରାଯାଇପାରି ନଥିଲା। ଦୁଇ ଭାଇଙ୍କ ଅକାଳ ମୃତ୍ୟୁ ଖବର ପ୍ରଚାର ହେବା ପରେ ତଳଧାନ୍ଦା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପର୍ବର ଆନନ୍ଦ ମଧ୍ୟରେ ଘଟିଥିବା ଏହି ଦୁଃଖଦ ଘଟଣା ପରିବାର ଓ ସ୍ଥାନୀୟ ଲୋକଙ୍କୁ ମର୍ମାହତ କରିଛି।
