Bullock Procession:ଦଶହରା ଉପଲକ୍ଷେ ନିଆରା ବଳଦ ଯାତ୍ରା
ଶାରଦୀୟ ଦୁର୍ଗାପୂଜା ବିଜୟା ଦଶମୀ ଅବସରରେ ନିଆରା ବଳଦ ଶୋଭାଯାତ୍ରା। ଦିନେ ଚାଷବାସଠାରୁ ବେପାର ବଣିଜ ପର୍ଯ୍ୟନ୍ତ ଥିଲେ ମଣିଷର ସବୁଠୁ ବିଶ୍ୱସ୍ତ ସାଥୀ। ଆଜି ଆଧୁନିକତା ଭିତରେ ବଳଦଙ୍କ ଗୁରୁତ୍ୱ କମୁଥିଲେ ବି କେନ୍ଦୁଝରର ଏହି ଗାଁରେ ଜୀବନ୍ତ ରହିଛି ସେହି ପୁରୁଣା ପରମ୍ପରା।

କେନ୍ଦୁଝର:ବିଜୟା ଦଶମୀରେ ଦେଖିବାକୁ ମିଳିଛି ଏକ ନିଆରା ପରମ୍ପରା। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ର କେଶଦୁରାପାଳ ଗ୍ରାମରେ ଆୟୋଜିତ ହୋଇଛି ପାରମ୍ପରିକ ବଳଦ ଶୋଭାଯାତ୍ରା। ବାଜାବାଜଣାର ତାଳେ ତାଳେ ସଜ୍ଜିତ ବଳଦଙ୍କ ଶୋଭାଯାତ୍ରା ଗାଁର ପୁରୁଣା ଐତିହ୍ୟ ଓ ସଂସ୍କୃତିକୁ ମନେ ପକାଇ ଦେଇଛି। ଏହି ଅବସରରେ ବଳଦମାନଙ୍କୁ ସକାଳୁ ଗାଧୋଇ ଘଣ୍ଟ, ଘୁଙ୍ଗୁର, ମୟୂରପୁଚ୍ଛ ଓ ମୁଖା ଆଦିରେ ସଜାଯାଇଥିଲା। ପିଠିରେ କୁଟା ଓ ଝୋଟ ଅଖାରେ ତିଆରି ଗାଣ୍ଡୁଆ ଉପରେ ସୁସଜ୍ଜିତ ପଲାଣ ପକାଯାଇଥିଲା। ପାରମ୍ପରିକ ବିଧି ଅନୁଯାୟୀ ବଳଦଙ୍କୁ ଗାଁ ମଝିରେ ପୂଜା କରାଯାଇଥିଲା। ଏହି ଦିନ ସେମାନଙ୍କୁ ଅଇଁଠା ଖାଦ୍ୟ ଦିଆଯାଏ ନାହିଁ ବୋଲି ମଧ୍ୟ ପରମ୍ପରା ରହିଛି।ପରେ ବଳଦଙ୍କ ଶୋଭାଯାତ୍ରା ବିଭିନ୍ନ ଗ୍ରାମ ପରିକ୍ରମା କରି କେଶଦୁରାପାଳ ବାଲିଯାତ୍ରା ପଡ଼ିଆରେ ପହଞ୍ଚିଥିଲା। ସେଠାରେ ବିଭିନ୍ନ ଗ୍ରାମରୁ ଆସିଥିବା ବଳଦଙ୍କ ମଧ୍ୟରେ ସୁନ୍ଦରତା ପ୍ରତିଯୋଗିତା ହୋଇଥିଲା। କେଶଦୁରାପାଳର ବିଭିନ୍ନ ସାହି ସହ ମଙ୍ଗଳପୁର ଗ୍ରାମର ବଳଦ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୂର୍ବରୁ ବଳଦ ଚାଷକାମ ସହିତ ବେପାର ବଣିଜରେ ମୁଖ୍ୟ ଭୂମିକା ନେଉଥିଲେ। ତେଣୁ ବିଜୟା ଦଶମୀରୁ ଶୁଭ ବେପାର ଆରମ୍ଭ କରିବା ସହ ବଳଦଙ୍କୁ ସମ୍ମାନ ଜଣାଇବାର ପରମ୍ପରା ଆରମ୍ଭ ହୋଇଥିଲା। ଏହା ଦ୍ୱାରା ମା’ ମଙ୍ଗଳା ସନ୍ତୁଷ୍ଟ ହେବା ସହ ଚାଷବାସ ଓ ବ୍ୟବସାୟରେ ଉନ୍ନତି ହୁଏ ବୋଲି ଲୋକଙ୍କ ବିଶ୍ୱାସ। ଏହି ଉତ୍ସବରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। ବଳଦ ଶୋଭାଯାତ୍ରା ସହ ରାବଣ ପୋଡ଼ି ଉତ୍ସବ ମଧ୍ୟ ଆୟୋଜିତ ହୋଇଥିଲା। ଆଧୁନିକତାର ଛାପ ଭିତରେ ଏହି ପରମ୍ପରା ଗ୍ରାମୀଣ ଜୀବନର ପୁରୁଣା ସ୍ମୃତି ଓ ସାଂସ୍କୃତିକ ପରିଚୟକୁ ଆଜି ବି ଜୀବନ୍ତ ରଖିଛି।
