Dhamnagar Kalishi Yatra:ଧାମନଗରରେ ମା’ ମନ୍ତ୍ରବାଶୁଳିଙ୍କ କାଳିଶି ଯାତ୍ରା
ଦୁଇ ଶତାବ୍ଦୀରୁ ଊର୍ଦ୍ଧ୍ୱ ପୁରୁଣା ପରମ୍ପରାକୁ ଆଜି ବି ବଜାୟ ରଖିଛନ୍ତି ଧାମନଗରବାସୀ। ଦଶହରାରେ ମା’ ମନ୍ତ୍ରବାଶୁଳିଙ୍କ କାଳିଶି ଯାତ୍ରା ସହ ମାଗୁର ମାଛ ବଳି ଦେଖିବାକୁ ଜମିଥିଲା ଭକ୍ତଙ୍କ ଭିଡ଼।

ଧାମନଗର:ଭଦ୍ରକ ଜିଲ୍ଲା ଧାମନଗରରେ ଦଶହରା ଅବସରରେ ଆୟୋଜିତ ହୋଇଛି ମା’ ମନ୍ତ୍ରବାଶୁଳିଙ୍କ ପାରମ୍ପରିକ କାଳିଶି ଯାତ୍ରା। ମା’ଙ୍କ ପୀଠରେ ପୂଜାର୍ଚ୍ଚନା ସହ ମାଗୁର ମାଛ ବଳି ଦିଆଯାଇଥିବା ବେଳେ ଏହି ଅନନ୍ୟ ପରମ୍ପରାର ସାକ୍ଷୀ ହେବାକୁ ଧାମନଗର ଓ ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଲୋକକଥା ଅନୁଯାୟୀ, ମା’ ମନ୍ତ୍ରବାଶୁଳି ପୂର୍ବରୁ ଧର୍ମେଶ୍ୱର ମହାରାଜାଙ୍କ କୁଳଦେବୀ ଥିଲେ। ନଙ୍ଗୁଆ ଗ୍ରାମରୁ ଆସି ଧାମନଗରର ଶ୍ୟାମପୁରରେ ଅବସ୍ଥିତ ନିଜ ପୀଠରେ ମା’ ପୂଜା ପାଉଛନ୍ତି। ଅମାବାସ୍ୟାଠାରୁ ପ୍ରତିପଦ ପର୍ଯ୍ୟନ୍ତ ଦୀର୍ଘ ନଅ ଦିନ ଧରି ମା’ଙ୍କ ବିଶେଷ ପୂଜା ଅନୁଷ୍ଠିତ ହୁଏ। ଏହାର ଶେଷ ପର୍ଯ୍ୟାୟରେ ଦଶହରା ଦିନ କାଳିଶି ଯାତ୍ରା ପାଳନ କରାଯାଏ।
ମା’ଙ୍କ ପୀଠରୁ ଆରମ୍ଭ ହେଉଥିବା ଏହି ଯାତ୍ରା ମା’ ମନ୍ତ୍ରବାସିନୀ ଗ୍ରାମଦେବୀଙ୍କୁ ସାକ୍ଷାତ କରିବା ପରେ ଦକ୍ଷିଣବାଡ଼ ଦେଇ ଦୋହୁରୀୟା ପଡ଼ାର କାଳିଶି ପୋଖରୀରେ ସ୍ନାନ ସହ ସମାପନ ହୋଇଥାଏ।ଗ୍ରାମବାସୀଙ୍କ ସହଯୋଗରେ ଦୁଇ ଶହ ବର୍ଷରୁ ଅଧିକ ସମୟ ଧରି ଏହି ପରମ୍ପରା ବଜାୟ ରହିଛି। ମା’ଙ୍କ କାଳିଶି ରୂପ ଦର୍ଶନ କଲେ ଐଶ୍ୱର୍ଯ୍ୟ ପ୍ରାପ୍ତି ହୁଏ ଏବଂ ଗ୍ରାମକୁ ବିପଦରୁ ରକ୍ଷା ମିଳେ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ଏହି ଆସ୍ଥା ଓ ପରମ୍ପରା ଆଜି ବି ଧାମନଗରର ସାଂସ୍କୃତିକ ପରିଚୟକୁ ଜୀବନ୍ତ ରଖିଛି।
