Bike Accident :ବେପରୁଆ ଗାଡି ଚାଳନା ନେଲା ମହିଳାଙ୍କର ଜୀବନ
ଘର ସାମ୍ନାରେ ଥିବା ବେଳେ ମାଡ଼ି ଆସିଲା ଦ୍ରୁତଗାମୀ ପଲସର। ଧକ୍କା ଦେବା ପରେ ରାସ୍ତାରେ କିଛି ଦୂର ଘୋଷାଡ଼ି ନେଲା ବାଇକ୍। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପାର୍ବତୀ ନାୟକ।

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବେପରୁଆ ବାଇକ୍ ଚାଳନା ଯୋଗୁଁ ଜଣେ ମହିଳାଙ୍କ ଜୀବନ ଯାଇଛି। ମୃତ ମହିଳା ହେଉଛନ୍ତି କାମାକ୍ଷାନଗର ଏନ୍ଏସି ଅନ୍ତର୍ଗତ ଗୁପ୍ତିନଗର ସାହିର ପାର୍ବତୀ ନାୟକ। ସୂଚନା ଅନୁଯାୟୀ, ପାର୍ବତୀ ନିଜ ଘର ସମ୍ମୁଖରେ ଥିବା ସମୟରେ ତହସିଲ କାର୍ଯ୍ୟାଳୟ ପଟୁ ଦ୍ରୁତଗତିରେ ଆସୁଥିବା ଏକ ପଲସର ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍ଦାର ଥିଲା ଯେ ବାଇକ୍ଟି ତାଙ୍କୁ ରାସ୍ତାରେ କିଛି ଦୂର ଘୋଷାଡ଼ି ନେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।ପରିବାର ଲୋକେ ତୁରନ୍ତ ପାର୍ବତୀଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପାଇଁ କାମାକ୍ଷାନଗର ମଢ଼ିସାହିର ଜଣେ ଯୁବକଙ୍କ ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରିଛନ୍ତି ମୃତକଙ୍କ ପରିବାର। ଅନ୍ୟପଟେ, ଘଟଣାକୁ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ଜାରି ରଖିଛି। ଦ୍ରୁତଗତି ଓ ଅସାବଧାନତା କିପରି ଗୋଟିଏ ପରିବାରକୁ ଦୁଃଖରେ ବୁଡ଼ାଇ ଦେଇପାରେ, ଏହି ଘଟଣା ପୁଣି ଥରେ ତାହା ମନେ ପକାଇ ଦେଇଛି।
