Life Imprisonment: ସ୍ୱାମୀ ହତ୍ୟା ମାମଲାରେ ପତ୍ନୀଙ୍କୁ ଆଜୀବନ କାରାଦଣ୍ଡ, ୧ ଲକ୍ଷ ଟଙ୍କା ଜରିମାନା
୨୦୨୧ରେ ମଙ୍ଗଳପୁର ଥାନା ପ୍ରଗତିବିହାରରେ ସ୍ୱାମୀ ଅଟଳ କୁଅଁର ଓରଫ ସୁବାଷଙ୍କୁ ହତ୍ୟା ମାମଲାରେ ପତ୍ନୀ ମମତା କୁଅଁରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ। ୧୫ ଜଣ ସାକ୍ଷୀଙ୍କ ପ୍ରମାଣ ଆଧାରରେ ରାୟ ଦେଇଥିବା ବେଳେ ୧ ଲକ୍ଷ ଟଙ୍କା ଜରିମାନା ଓ ଅନାଦେୟରେ ଅତିରିକ୍ତ ୧୨ ମାସ ଜେଲ୍ଦଣ୍ଡ ହୋଇଛି। ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।
ଯାଜପୁର: ୨୦୨୧ ମସିହାରେ ମଙ୍ଗଳପୁର ଥାନା ଅଧୀନ ପ୍ରଗତିବିହାରରେ ଘଟିଥିବା ସ୍ୱାମୀ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ପତ୍ନୀ ମମତା କୁଅଁରଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ। ମାମଲାର ବିଚାର ସମୟରେ ଉପସ୍ଥାପିତ ୧୫ ଜଣ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଅଦାଲତ ମମତା କୁଅଁରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଜୀବନ କାରାଦଣ୍ଡ ସହ ତାଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି। ଜରିମାନା ଅନାଦେୟ ହେଲେ ଅଧିକ ୧୨ ମାସ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିବ। ଅଭିଯୋଗ ଅନୁସାରେ, ୨୦୨୧ ମସିହାରେ ମଙ୍ଗଳପୁର ଥାନା ପ୍ରଗତିବିହାରରେ ଭଡ଼ା ଘରେ ରହୁଥିବା ଅଟଳ କୁଅଁର ଓରଫ ସୁବାଷଙ୍କୁ ତାଙ୍କ ପତ୍ନୀ ମମତା ହତ୍ୟା କରିଥିଲେ। ସ୍ୱାମୀ ଶୋଇଥିବା ସମୟରେ ତକିଆ ଓ ଚାର୍ଜର କର୍ଡ ବ୍ୟବହାର କରି ଗଳାଚିପି ହତ୍ୟା କରାଯାଇଥିବା ଅଭିଯୋଗ ରହିଥିଲା। ଏହି ମାମଲାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ ମଧ୍ୟ ଥିଲେ। ତେବେ ସେମାନଙ୍କ ବିରୋଧରେ ଅଭିଯୋଗ ପ୍ରମାଣିତ ନ ହେବାରୁ ଅଦାଲତ ଉଭୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦୀର୍ଘ ପାଞ୍ଚ ବର୍ଷ ପରେ ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାରେ ରାୟ ପ୍ରକାଶ ପାଇଥିବା ବେଳେ ଦୋଷୀ ପତ୍ନୀଙ୍କୁ ଆଜୀବନ କାରାଦଣ୍ଡ ମିଳିଛି।
