CJP Saurav Das:ସୌରଭ ଦାସଙ୍କ ପରିଚୟ ଓ ପୃଷ୍ଠଭୂମିର ହେବ ଯାଞ୍ଚ
CJP ମୁଖପାତ୍ର ତଥା ସାମ୍ବାଦିକ ସୌରଭ ଦାସଙ୍କ ପରିଚୟ, ନାଗରିକତା ଓ ପାରିବାରିକ ପୃଷ୍ଠଭୂମିକୁ ନେଇ ମାଡ୍ରାସ ହାଇକୋର୍ଟରେ ଦାଖଲ ହୋଇଛି ଜନସ୍ୱାର୍ଥ ମାମଲା। ଏହାସହ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ ପାଇଁ ମଧ୍ୟ ହୋଇଛି ଦାବି। ୬ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ |
ମାଡ୍ରାସ:CJP ମୁଖପାତ୍ର ତଥା ସାମ୍ବାଦିକ ସୌରଭ ଦାସଙ୍କ ପରିଚୟ ଓ ପୃଷ୍ଠଭୂମି ଯାଞ୍ଚ ଦାବିରେ ଦାଖଲ ଜନସ୍ୱାର୍ଥ ମାମଲାରେ ନୋଟିସ୍ ଜାରି କରିଛନ୍ତି ମାଡ୍ରାସ ହାଇକୋର୍ଟ। ଏଥିସହ ତାଙ୍କ ପାସପୋର୍ଟ, ଆଧାର କାର୍ଡ ଏବଂ ସୋସିଆଲ ମିଡିଆ ଆକାଉଣ୍ଟକୁ ନେଇ ମଧ୍ୟ ଆବେଦନରେ ଦାବି କରାଯାଇଛି। ତେବେ ଏହି ପର୍ଯ୍ୟାୟରେ କୋର୍ଟ କୌଣସି ଅଭିଯୋଗ ଉପରେ ନିଜର ମତ ରଖିନାହାନ୍ତି। କାଞ୍ଚିପୁରମ ଜିଲ୍ଲାର ଗଣେଶ କୁମାର ଏହି ଆବେଦନ ଦାଖଲ କରିଛନ୍ତି। ଆବେଦନରେ ସୌରଭ ଦାସଙ୍କୁ ‘ଯୋଗେଶ ଶର୍ମା ଓରଫ ସୌରଭ ଦାସ’ ବୋଲି ଉଲ୍ଲେଖ କରାଯାଇଛି। ତାଙ୍କ ନାଗରିକତା, ପରିଚୟ ଓ ପାରିବାରିକ ପୃଷ୍ଠଭୂମି ସହ ତାଙ୍କ ମାଆ ଏବଂ ଜୈବିକ ପିତାଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ କରିବାକୁ ଆବେଦନକାରୀ ଦାବି କରିଛନ୍ତି। ଯଦି ତଦନ୍ତରୁ ସେ ବିଦେଶୀ ନାଗରିକ ବୋଲି ପ୍ରମାଣିତ ହୁଏ, ତେବେ ତାଙ୍କ ପାସପୋର୍ଟ ଓ ଆଧାର କାର୍ଡ ବାତିଲ କରିବାକୁ ମଧ୍ୟ ଆବେଦନରେ ଅନୁରୋଧ କରାଯାଇଛି। ଏହାସହ ନ୍ୟାୟପାଳିକା ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣି ତାଙ୍କ X ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ବନ୍ଦ କରିବାକୁ ଦାବି ହୋଇଛି।
ପୂର୍ବ ସୂଚନା ଅନୁଯାୟୀ,ସୌରଭ ଦାସ ଜଣେ ସ୍ୱାଧୀନ ସାମ୍ବାଦିକ ହେବା ସହ କକ୍ରୋଚ୍ ଜନତା ପାର୍ଟି (CJP)ର ମୁଖପାତ୍ର। ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ବିରୋଧରେ ଆନ୍ଦୋଳନ ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ଯୋଗୁଁ ସେ ଚର୍ଚ୍ଚାକୁ ଆସିଥିଲେ। ଗତ ଅକ୍ଟୋବରରେ ଦିଲ୍ଲୀର ଜନ୍ତରମନ୍ତରରେ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ପ୍ରତିବାଦ ସମୟରେ ପୋଲିସ ତାଙ୍କୁ ଅଟକ ରଖିଥିଲା। ପରେ ଶାନ୍ତି ବଜାୟ ରଖିବା ଓ ଜନ୍ତରମନ୍ତରରେ ପୁନର୍ବାର ପ୍ରତିବାଦ ନକରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ଏବେ ଏହି ମାମଲାରେ ମୁଖ୍ୟ ବିଚାରପତି ଏସ୍.ଏ. ଧର୍ମାଧିକାରୀ ଓ ବିଚାରପତି ଜି. ଅରୁଳ ମୁରୁଗନଙ୍କ ଖଣ୍ଡପୀଠ ସୌରଭ ଦାସ, କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଆବେଦନକାରୀଙ୍କ ଓକିଲ ବି. ଜଗନ୍ନାଥ ଶୁଣାଣି ସମୟରେ କହିଥିଲେ ଯେ, ଅକ୍ଟୋବର ୭ ତାରିଖରେ ସେ ଏନେଇ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ଜଣାଇଥିଲେ, କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିଲା। ଏବେ ଛଅ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
