Journalist Bibhuti Pati No More:ପରଲୋକରେ ବରିଷ୍ଠ ସାମ୍ୱାଦିକ ବିଭୂତି ପତି
ମୃତ୍ୟୁ ବେଳକୁ ବିଭୂତି ପତିଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ତାଙ୍କ ପତ୍ନୀ ଓ ଏକମାତ୍ର ପୁତ୍ର ଅଛନ୍ତି। କଟକ ସିଡିଏ ସେକ୍ଟର-୧୦ରେ ସେ ରହୁଥିଲେ। ସେ ନୂଆଦିଲ୍ଲୀରୁ ରିପୋର୍ଟିଂ କରୁଥିଲେ। ବିଭୂତି ପତି ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ବାରା ପ୍ରକାଶିତ ଇଂରାଜି ସାପ୍ତାହିକ ‘ଇଷ୍ଟର୍ଣ୍ଣ ଟାଇମ୍ସ’ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ପ୍ରଜାତନ୍ତ୍ର, ସମ୍ବାଦ, ସମାଜ, ଧରିତ୍ରୀ, ନକ୍ଷତ୍ର ନ୍ୟୁଜ୍, ଓଟିଭି, ନନ୍ଦିଘୋଷ ଟିଭି ଓ କନକ ନ୍ୟୁଜ୍ ଭଳି ଓଡ଼ିଶାର ଅଧିକାଂଶ ଗଣମାଧ୍ୟମ ସଂସ୍ଥାରେ କାମ କରିଥିଲେ।

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ସାମ୍ବାଦିକ ବିଭୂତି ପତି। ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ଭୁବନେଶ୍ବରରୁ ଘରୋଇ ଗାଡ଼ିରେ କଟକ ଆସିଥିଲେ। ତା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ବିଭୂତି ପତିଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ତାଙ୍କ ପତ୍ନୀ ଓ ଏକମାତ୍ର ପୁତ୍ର ଅଛନ୍ତି। କଟକ ସିଡିଏ ସେକ୍ଟର-୧୦ରେ ସେ ରହୁଥିଲେ। ସେ ନୂଆଦିଲ୍ଲୀରୁ ରିପୋର୍ଟିଂ କରୁଥିଲେ। ବିଭୂତି ପତି ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ବାରା ପ୍ରକାଶିତ ଇଂରାଜି ସାପ୍ତାହିକ ‘ଇଷ୍ଟର୍ଣ୍ଣ ଟାଇମ୍ସ’ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ପ୍ରଜାତନ୍ତ୍ର, ସମ୍ବାଦ, ସମାଜ, ଧରିତ୍ରୀ, ନକ୍ଷତ୍ର ନ୍ୟୁଜ୍, ଓଟିଭି, ନନ୍ଦିଘୋଷ ଟିଭି ଓ କନକ ନ୍ୟୁଜ୍ ଭଳି ଓଡ଼ିଶାର ଅଧିକାଂଶ ଗଣମାଧ୍ୟମ ସଂସ୍ଥାରେ କାମ କରିଥିଲେ। ତାଙ୍କର ଅନେକ ସାକ୍ଷାତକାର ଓ ଫିଚର୍ ପ୍ରଜାତନ୍ତ୍ର ସାପ୍ତାହିକୀ ଓ ‘ରବିବାର’ ସମ୍ବାଦରେ ପ୍ରକାଶିତ ହୋଇଛି। ଏହାଛଡ଼ା ସେ ଅନେକ ଜାତୀୟ ଗଣମାଧ୍ୟମ ସହ ବି ଜଡ଼ିତ ଥିଲେ। ବିଭୂତି ପତିଙ୍କ ବିୟୋଗରେ ଓଡ଼ିଶା ସାମ୍ୱାଦିକ ୟୁନିଅନ୍ (OUJ) ସଭାପତି ତଥା ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (PCI) ସଦସ୍ୟ ପ୍ରସନ୍ନ ମହାନ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଖବରକୁ ନିଆରା ଢଙ୍ଗରେ ଦେଖିବା, ପରିବେଷଣ କରିବାରେ ତାଙ୍କର ଅନ୍ଦାଜ ସମସ୍ତଙ୍କ ତୁଳନାରେ ଭିନ୍ନତା ଓ ସ୍ୱତନ୍ତ୍ରତା ବାରି ହୋଇପଡ଼ୁଥିଲା। ସକରାତ୍ମକ ଓ ସାହାସୀ ସାମ୍ୱାଦିକ ଭାବେ ସେ ଯେତିକି ଜଣାଶୁଣା ଥିଲେ। ସେହିଭଳି ଆତ୍ମୀୟତା ଓ ଆବେଗ ସହ ଲୋକଙ୍କ ସହ ମିଶିବାର ଦକ୍ଷତାରୁ ସେ ବି ଥିଲେ ଭିନ୍ନ। ଖବର କାଗଜରେ ଭଲ ସ୍ତମ୍ଭ ଲେଖୁଥିଲେ। ଓଡ଼ିଶାର ଅନେକ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ସେ ଦିଲ୍ଲୀ ପ୍ରତିନିଧି ଭାବେ କାମ କରିଥିଲେ। ତେଣୁ ଜାତୀୟସ୍ତରରେ ବି ତାଙ୍କର ଭଲ ପ୍ରଭାବ ଥିଲା।
