Maa Bali Harachandi:ବାଲିହରଚଣ୍ଡୀ ପୀଠରେ ପାରମ୍ପରିକ ଷୋଳପୂଜା
ଘଞ୍ଚ ଜଙ୍ଗଲର ସବୁଜିମା ଭିତରେ ଥିବା ବାଲିବନ୍ତରେ ଚାଲିଛି ମା’ ବାଲି ହରଚଣ୍ଡୀଙ୍କ ଆରାଧନା। ଘଣ୍ଟକାହାଳୀ, ମନ୍ତ୍ରୋଚ୍ଚାରଣ ଓ ଭକ୍ତିମୟ ପରିବେଶ ମଧ୍ୟରେ ଏହି ପ୍ରାଚୀନ ଶକ୍ତିପୀଠରେ ଷୋଳଦିନିଆ ପୂଜାର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ଆଜି ମାଙ୍କୁ ଦୁର୍ଗତି ନାଶିନୀ ବେଶରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରୁଛନ୍ତି |

ପୁରୀ:ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ବାଲିହରଚଣ୍ଡୀଙ୍କ ପୀଠରେ ଚାଲିଛି ପାରମ୍ପରିକ ଷୋଳପୂଜା। ଘଞ୍ଚ ସବୁଜ ଜଙ୍ଗଲ ମଧ୍ୟରେ ବାଲିବନ୍ତ ଉପରେ ପୂଜା ପାଉଥିବା ମା’ଙ୍କ ପୀଠରେ ଆଧ୍ୟାତ୍ମିକତା ଓ ଭକ୍ତିର ଅପୂର୍ବ ପରିବେଶ ସୃଷ୍ଟି ହୋଇଛି। ହରିବୋଲ, ହୁଳହୁଳି, ନାମସଂକୀର୍ତ୍ତନ ଓ ମନ୍ତ୍ରୋଚ୍ଚାରଣରେ ପ୍ରକମ୍ପିତ ହେଉଛି ସମଗ୍ର ପରିସର। ଆଶ୍ୱିନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲୁଥିବା ଏହି ଷୋଡ଼ଶ ଦିନାତ୍ମକ ପୂଜାରେ ପୂଜକମାନେ ନିଷ୍ଠାର ସହ ବିଭିନ୍ନ ନୀତିକାନ୍ତି ସମ୍ପନ୍ନ କରୁଛନ୍ତି। ହବିଷାନ୍ନ ଗ୍ରହଣ କରି ମା’ଙ୍କ ଆରାଧନା କରାଯାଉଥିବା ବେଳେ ସୋମନାଥ ବ୍ରତ, ମାଜଣା, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୁପ୍ତପୂଜା ଓ ସପ୍ତଶତୀ ଚଣ୍ଡୀପାଠ ନିୟମିତ ଅନୁଷ୍ଠିତ ହେଉଛି। ଷୋଳପୂଜାର ପ୍ରତ୍ୟେକ ଦିନ ମା’ଙ୍କୁ ଭିନ୍ନ ଭିନ୍ନ ଆକର୍ଷଣୀୟ ବେଶରେ ସଜ୍ଜିତ କରାଯାଉଛି। ଆଜି ଦୁର୍ଗତି ନାଶିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’। ଶ୍ରୀମନ୍ଦିରର ନୀତି ସହ ଏହି ପୀଠର ସମ୍ପର୍କ ଥିବାରୁ ଏଠାରେ ସ୍ୱତନ୍ତ୍ର ବିଧିରେ ଭୋଗ ଅର୍ପଣ କରାଯାଏ। ମଧ୍ୟାହ୍ନ ଓ ରାତ୍ରି ଧୂପରେ ଶଙ୍ଖୁଡ଼ି ଭୋଗ ଲାଗି ହେଉଛି। ଖେଚୁଡ଼ି, ଅନ୍ନ, ଖିରି ଓ ଡାଲି ସହ ଅନ୍ୟାନ୍ୟ ଭୋଗର ସୁଗନ୍ଧରେ ମହକୁଛି ପୀଠ। ମା’ଙ୍କ ପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ତନ୍ତ୍ରମନ୍ତ୍ର ଓ ଚଣ୍ଡୀପାଠ ମଧ୍ୟରେ ପାରମ୍ପରିକ ରୀତିନୀତିରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା।
