Ganesh Visarjan Tragedy: ଭସାଣି ବେଳେ ଅଗ୍ନିକାଣ୍ଡ ,୫ ଶିଶୁ ଗୁରୁତର
ଭସାଣି ଦେଖିବା ହେଲା କାଳ, ଜେନେରେଟରରୁ ନିଆଁ ଲାଗି ପୋଡ଼ି ହୋଇଗଲେ ୫ ଜଣ ଶିଶୁ | ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ଦେଖିବା କାହାକୁ ବା ଭଲନଲାଗେ ? ହେଲେ ଭସାଣି ଦେଖୁଥିବାବେଳେ ଘଟିଥିଲା ଦୁର୍ଘଟଣା ,ଜୀବନ ଯାଉ ଯାଉ ଅଳ୍ପକେ ବର୍ତ୍ତୀଲେ ପାଞ୍ଚ ଜଣ ଶିଶୁ | ଏଭଳି ଏକ ଅଭାବନୀୟ ଦୁର୍ଘଟଣା ଘଟିଛି,ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ | ମେଢ଼ ଭସାଣି ଶୋଭାଯାତ୍ରା ସମୟରେ ଜେନେରେଟର ନିଆଁ ଲାଗି ୫ ଜଣ ଶିଶୁ ପୋଡ଼ିହେଇ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଭସାଣି ସମୟରେ ଏକ ଟ୍ରାକ୍ଟର ଉପରେ ଜେନେରେଟର ରଖାଯାଇଥିଲା | ପାଖରେ ଥିଲା ପେଟ୍ରୋଲ୍ ଜାର୍,ନିକଟରେ ବସି ଶୋଭାଯାତ୍ରା ଦେଖୁଥିଲେ ଏହି ଶିଶୁମାନେ। ତେବେ ଜେନେରେଟରର ଅତ୍ୟଧିକ ଉତ୍ତାପ ଯୋଗୁ ନିକଟରେ ଥିବା ପେଟ୍ରୋଲ୍ ଜାର୍ରେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ନିକଟରେ ବସିଥିବା ୫ ଜଣ ଶିଶୁ ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲେ। ପ୍ରଥମେ ସେମାନଙ୍କୁ ସ୍ଥାନୀୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ନିଆଯାଇ ପ୍ରାଥମିକ ଚିକିତ୍ସା ଆରମ୍ଭ କରାଯାଇଥିଲା | ମାତ୍ର ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଜାରି ରହିଛି |
