Pregnant Woman Rescue:ବନ୍ୟା ବିପତ୍ତି:ଓଡ୍ରାଫର ରେସକ୍ୟୁ ଅପରେସନ୍, ଗର୍ଭବତୀ ମହିଳାଙ୍କୁ ଉଦ୍ଧାର
ଗଞ୍ଜାମ ଜିଲ୍ଲା ଅଧିକ ପ୍ରଭାବିତ ଜିଲ୍ଲା ମଧ୍ୟରେ ଥିବାବେଳେ ବନ୍ୟାରେ ଶହ ଶହ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି | ଏହି ସଙ୍କଟଜନକ ସ୍ଥିତିରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଓଡ୍ରାଫର ରେସକ୍ୟୁ ଅପରେସନ୍ ଟିମ୍ |

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ବର୍ମାପଲ୍ଲୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ବନ୍ୟା ଜଳ ମାଡ଼ି ଆସିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକ ଜଳବନ୍ଦୀ ଘେରରେ। ଏହି ସଙ୍କଟଜନକ ସ୍ଥିତି ମଧ୍ୟରେ (ODRAF) ର ଟିମ୍ ଉଦ୍ଧାର ଅଭିଯାନ ଚଲାଇ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି।ଚାରିଆଡ଼େ ଜଳରାଶି ଘେରି ରହିଥିବା ବେଳେ ପ୍ରାୟ ଦୁଇ ଘଣ୍ଟାର କଠିନ ପରିଶ୍ରମ ପରେ ବୋଟ୍ ସାହାଯ୍ୟରେ ଓଡ଼ରାଫ୍ ଟିମ୍ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ମୁଖ୍ୟ ରାସ୍ତାକୁ ଆଣିବାରେ ସଫଳ ହୋଇଛି। ପ୍ରଶାସନ ପକ୍ଷରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରାଯାଇଛି।
ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ମାପଲ୍ଲୀର ସ୍ଥିତି ସାରା ଜିଲ୍ଲାରେ ଗଭୀର ଚିନ୍ତା ସୃଷ୍ଟି କରିଛି। ଅନେକ ଘର ପାଣିରେ ବୁଡ଼ି ରହିଥିବା ବେଳେ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ବିଦ୍ୟୁତ୍ ଓ ପାନୀୟ ଜଳ ସେବା । ବୋଟ୍ ମାଧ୍ୟମରେ ଫସି ରହିଥିବା ଅନ୍ୟ ଲୋକଙ୍କ ନିକଟରେ ରିଲିଫ୍ ସାମଗ୍ରୀ ପହଞ୍ଚାଉଛନ୍ତି ପ୍ରଶାସନ ଓ ଉଦ୍ଧାରକାରୀ ଦଳ |ଏହା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।
