ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬: ଜାତୀୟ ସ୍ତରରେ ଚମକିଲା ଓଡ଼ିଶା
ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫–୨୬ରେ ଓଡ଼ିଶାକୁ ଜାତୀୟ ସମ୍ମାନ। ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ପ୍ରଥମ, ଭୁବନେଶ୍ୱର ରାଜ୍ୟର ସ୍ୱଚ୍ଛ ସହର ଏବଂ ଆସିକା ଦ୍ୱିତୀୟ ସ୍ଥାନ ହାସଲ କରିଛି।

ଭୁବନେଶ୍ୱର: ସ୍ୱଚ୍ଛତା ଓ ସହରାଞ୍ଚଳ ପରିମଳ ବ୍ୟବସ୍ଥାରେ ଜାତୀୟ ସ୍ତରରେ ଓଡ଼ିଶାକୁ ମିଳିଛି ବଡ଼ ସଫଳତା। ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ରେ ରାଜ୍ୟକୁ ମିଳିଛି ଜାତୀୟ ସ୍ୱୀକୃତି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଓଡ଼ିଶା ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ। ଏହି ସଫଳତାରେ ପୁରୀ ଯୋଡ଼ିଛି ଆଉ ଏକ ଗୌରବମୟ ଅଧ୍ୟାୟ। ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ହାସଲ କରିଛି ପ୍ରଥମ ସ୍ଥାନ। ସେହିପରି ଓଡ଼ିଶାର ପ୍ରଥମ ରାଜ୍ୟସ୍ତରୀୟ ସ୍ୱଚ୍ଛ ସହର ଭାବେ ଭୁବନେଶ୍ୱରକୁ ସ୍ୱୀକୃତି ମିଳିଛି। ଅନ୍ୟପକ୍ଷରେ ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବର୍ଗର ସହରାଞ୍ଚଳ ମଧ୍ୟରେ ଆସିକା ପୌରପାଳିକା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସହରାଞ୍ଚଳରେ ସ୍ୱଚ୍ଛତା, ଉନ୍ନତ ପରିମଳ ବ୍ୟବସ୍ଥା, ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଓ ନାଗରିକଙ୍କ ସହଭାଗିତା ଯୋଗୁଁ ଏହି ସଫଳତା ମିଳିଥିବା କୁହାଯାଇଛି। ସ୍ୱଚ୍ଛ ଭାରତ ମିଶନ୍-ସହରାଞ୍ଚଳ ଅଧୀନରେ ଆୟୋଜିତ ଏହି ପୁରସ୍କାର କାର୍ଯ୍ୟକ୍ରମର ଏହା ଦଶମ ସଂସ୍କରଣ। ସମାରୋହରେ ସ୍ୱଚ୍ଛ ଭାରତ ମିଶନ୍ର ମିଶନ ନିର୍ଦ୍ଦେଶକ ବିନୟ କୁମାର ଦାଶ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ବିଭିନ୍ନ ସହରାଞ୍ଚଳର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ରାଜ୍ୟ ସରକାର, ସଫେଇ କର୍ମଚାରୀ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଓ ନାଗରିକଙ୍କ ସମ୍ମିଳିତ ପ୍ରୟାସକୁ ଶ୍ରେୟ ଦିଆଯାଇଛି। ଆଗାମୀ ଦିନରେ ସ୍ୱଚ୍ଛ, ସୁସ୍ଥ ଓ ବାସଯୋଗ୍ୟ ସହର ଗଠନ ସହ ବର୍ଜ୍ୟବସ୍ତୁ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଉପରେ ଓଡ଼ିଶା ଗୁରୁତ୍ୱ ଦେବ।
