Chilika: ବିଦେଶୀ ବିହଙ୍ଗଙ୍କ କଳରବରେ ମୁଖରିତ ଚିଲିକା, ବଢ଼ିଲା ପର୍ଯ୍ୟଟକଙ୍କ ଭିଡ଼
ଶୀତର ପହିଲି ସ୍ପର୍ଶରେ ଚିଲିକାକୁ ଛୁଟି ଆସିଲେଣି ବିଦେଶୀ ପକ୍ଷୀ। ନଳବଣରେ ବିଦେଶୀ ବିହଙ୍ଗଙ୍କ କଳରବରେ ମୁଖରିତ ଚିଲିକା। ବଢ଼ିଲା ପର୍ଯ୍ୟଟକଙ୍କ ଭିଡ଼, ପକ୍ଷୀଙ୍କ ସୁରକ୍ଷାକୁ ନେଇ ଚିନ୍ତା।
ବ୍ରହ୍ମଗିରି: ଶୀତର ପହିଲି ସ୍ପର୍ଶ ସାଙ୍ଗକୁ ଚିଲିକାକୁ ଛୁଟି ଆସିଲେଣି ବିଦେଶୀ ବିହଙ୍ଗ। ସାତ ଦରିଆ ପାର ହୋଇ, ହଜାର ହଜାର ମାଇଲ୍ ଅତିକ୍ରମ କରି ନୀଳ ଆକାଶର ଛାତି ଚିରି ଚିଲିକାରେ ପହଞ୍ଚିଛନ୍ତି ଶୀତକାଳୀନ ଅତିଥି। ଏହି ବିଦେଶୀ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ ଏବେ ମୁଖରିତ ହେଉଛି ନୀଳାମ୍ବୁ ଚିଲିକା। ନଭେମ୍ବର ମାସର ପ୍ରଥମ ସପ୍ତାହରୁ ଚିଲିକାରେ ଆରମ୍ଭ ହୋଇଛି ବିଦେଶୀ ପକ୍ଷୀଙ୍କ ଆଗମନ। ସାଇବେରିଆ, ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶରୁ ଆସୁଥିବା ରଙ୍ଗବେରଙ୍ଗର ପକ୍ଷୀ ଚିଲିକାର ନଳବଣ ଓ ଏହାର ଆଖପାଖ ଅଞ୍ଚଳରେ ନିଜର ଆସ୍ଥାନ ଜମାଇଲେଣି। ଦେଶୀ ଓ ବିଦେଶୀ ପକ୍ଷୀଙ୍କ ସମାଗମରେ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଛି। ଶୀତ ଯେତିକି ବଢ଼ିବ, ପକ୍ଷୀଙ୍କ ସଂଖ୍ୟା ମଧ୍ୟ ସେତିକି ବଢ଼ିବାର ଆଶା ରହିଛି।
ପକ୍ଷୀଙ୍କ ମନଲୋଭା ଉଡ଼ାଣ, ରଙ୍ଗବେରଙ୍ଗର ରୂପ ଓ କଳରବ ଦେଖିବା ପାଇଁ ଚିଲିକାକୁ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବଢ଼ିବାରେ ଲାଗିଛି। ପ୍ରକୃତିର ଏହି ଅପୂର୍ବ ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରୁଛି। ତେବେ ବିଦେଶୀ ଅତିଥିଙ୍କ ଆଗମନ ଯେତିକି ଖୁସି ଆଣିଛି, ସେମାନଙ୍କ ସୁରକ୍ଷାକୁ ନେଇ ସେତିକି ଚିନ୍ତା ମଧ୍ୟ ବଢ଼ାଇଛି। ପକ୍ଷୀଙ୍କ ସୁରକ୍ଷା, ଶିକାର ରୋକିବା ଓ ସେମାନଙ୍କ ପାଇଁ ଅନୁକୂଳ ପରିବେଶ ବଜାୟ ରଖିବାକୁ ପରିବେଶବିତ୍ମାନେ ଗୁରୁତ୍ୱ ଦେଇଛନ୍ତି। ପରିବେଶବିତ୍ କାଶୀନାଥ ନାୟକ ଓ ବିଭୁ ଦତ୍ତ ଭିକାରି ଚରଣ ଜେନା ମଧ୍ୟ ପକ୍ଷୀଙ୍କ ସୁରକ୍ଷା ନେଇ ନିଜ ମତ ରଖିଛନ୍ତି। ସେହିପରି ସ୍ଥାନୀୟ ବାସିନ୍ଦା ପ୍ରିୟ ପ୍ରସାଦ ମିଶ୍ର ମଧ୍ୟ ଚିଲିକାର ପ୍ରାକୃତିକ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରତିବର୍ଷ ଶୀତ ଋତୁରେ ଚିଲିକାକୁ ଆସୁଥିବା ଏହି ବିଦେଶୀ ବିହଙ୍ଗ କେବଳ ଚିଲିକାର ଶୋଭା ବଢ଼ାନ୍ତି ନାହିଁ, ବରଂ ଏହାର ଜୈବବିବିଧତାର ମଧ୍ୟ ପରିଚୟ ଦିଅନ୍ତି। ତେଣୁ ଏହି ଅତିଥିଙ୍କ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ।
