₹3 Crore Scam Exposed: ଦରମା-ପେନସନ୍ ନାଁରେ ୩ କୋଟି ଚଳୁ, ଧରାପଡ଼ିଲେ ବାବୁ
3.03 କୋଟି ଟଙ୍କା ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଡେରାବିଶ ବ୍ଲକ୍ର ବରିଷ୍ଠ ରାଜସ୍ୱ ସହାୟକ ଗିରଫ। HRMS ପୋର୍ଟାଲରେ ଜାଲ୍ ବିଲ୍ କରି ଟଙ୍କା ହେରଫେର, ଡିଜିଟାଲ୍ ଟ୍ରାକିଂରେ ଧରିଲା ଭିଜିଲାନ୍ସ।

ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା | କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ର ବରିଷ୍ଠ ରାଜସ୍ୱ ସହାୟକ (SRA) ଶଶିକାନ୍ତ ରଣାଙ୍କୁ ୩ କୋଟି ୩ ଲକ୍ଷ ୬୫ ହଜାର ୮୪୩ ଟଙ୍କାର ସରକାରୀ ଅର୍ଥ ହଡ଼ପ ମାମଲାରେ ଗିରଫ କରିଛି ଭିଜିଲାନ୍ସ। ଦୀର୍ଘଦିନ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଡିଜିଟାଲ୍ ଟ୍ରାକିଂ ଜରିଆରେ ଠାବ କରି ଗିରଫ କରାଯାଇଛି |ଭିଜିଲାନ୍ସ ସୂଚନା ଅନୁଯାୟୀ, ସରକାରୀ ଅର୍ଥ ହଡ଼ପ ନେଇ ଅଭିଯୋଗ ହେବା ପରେ ଏହାର ଗଭୀର ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଶଶିକାନ୍ତ ରଣା ଦୁଇଟି ବ୍ଲକ୍ରେ କାର୍ଯ୍ୟରତ ଥିବା ସମୟରେ ପ୍ରତିଷ୍ଠାନ ବିଭାଗର ଦାୟିତ୍ୱରେ ରହି ବେଆଇନ ଭାବେ ସରକାରୀ ଅର୍ଥ ହଡ଼ପ କରିଥିଲେ। ଏହି ବିଭାଗରେ କର୍ମଚାରୀଙ୍କ ଦରମା, ବକେୟା ଦରମା ଓ ପେନସନ୍ ଆଦି ପ୍ରକ୍ରିୟାକରଣ ହୋଇଥାଏ |
ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଦୁଇଟି ବ୍ଲକ୍ରେ କାର୍ଯ୍ୟରତ ଥିବା ସମୟରେ ପର୍ଯ୍ୟାୟକ୍ରମେ ସରକାରୀ ଅର୍ଥ ହଡ଼ପ କରିଥିଲେ । ରାଜକନିକା ବ୍ଲକ୍ରେ ୩୦ ଅଗଷ୍ଟ ୨୦୨୩ରୁ ୪ ସେପ୍ଟେମ୍ବର ୨୦୨୪ ମଧ୍ୟରେ ୧ କୋଟି ୪୬ ଲକ୍ଷ ୬୮ ହଜାର ୧୧୮ ଟଙ୍କା ଏବଂ ଡେରାବିଶ ବ୍ଲକ୍ରେ ୭ ଜାନୁଆରୀ ୨୦୨୫ରୁ ୧୩ ଅକ୍ଟୋବର ୨୦୨୫ ମଧ୍ୟରେ ୧ କୋଟି ୫୬ ଲକ୍ଷ ୯୭ ହଜାର ୭୨୫ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଛି | ଏହିପରି ଉଭୟ ବ୍ଲକ୍ରୁ ମୋଟ ୩ କୋଟି ୩ ଲକ୍ଷ ୬୫ ହଜାର ୮୪୩ ଟଙ୍କାର ସରକାରୀ ଅର୍ଥ ହେରଫେର କରାଯାଇଥିବା ଭିଜିଲାନ୍ସ ତଦନ୍ତରୁ ସ୍ପଷ୍ଟ ହୋଇଛି |
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଜଣକ HRMS ପୋର୍ଟାଲରେ ଜାଲ୍ ବିଲ୍ ଓ ଦେୟ ରେକର୍ଡ ପ୍ରସ୍ତୁତ କରି ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀଙ୍କ ନାମରେ ଦରମା, ବକେୟା ଦରମା, ଗ୍ରାଚ୍ୟୁଇଟି, ଅବ୍ୟବହୃତ ଛୁଟି ବାବଦ ଅର୍ଥ ଓ ପେନସନ୍ ଉଠାଇଥିଲେ। ଏଥିପାଇଁ ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ବିବରଣୀ ବଦଳାଇ ନିଜ ଓ ପରିବାର ସଦସ୍ୟଙ୍କ ସମେତ ଜଣେ ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତା ନମ୍ବର ଦିଆଯାଇଥିଲା। ଏହି ଖାତାଗୁଡ଼ିକ ଏସ୍ବିଆଇ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ବ୍ୟାଙ୍କରେ ଥିବା ବେଳେ NEFT ମାଧ୍ୟମରେ ଅର୍ଥ ସ୍ଥାନାନ୍ତର କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି।
ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୪୨ ଓ ୪୩/୨୦୨୬ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(a) ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି | ଗିରଫ ପରେ ଆଜି ଅଭିଯୁକ୍ତ ଶଶିକାନ୍ତ ରଣାଙ୍କୁ କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଉଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
