Emotional Monkey:ମଣିଷର ମୃତ୍ୟୁରେ ମାଙ୍କଡ଼ର ଆଖିରେ ଲୁହ
ମଣିଷର ମୃତ୍ୟୁରେ ମାଙ୍କଡ଼ର ଏମିତି ଶୋକ! ଆମ୍ବୁଲାନ୍ସରେ ବସି ହସ୍ପିଟାଲରେ ପହଞ୍ଚିବା ପରେ ମୃତଦେହ ପାଖରେ ଯାଇ ଚାଦର ହଟାଇ ଜାବୁଡ଼ି ଧରିଲା। ଏହି ଅଜବ ଦୃଶ୍ୟ ଏବେ ଆନନ୍ଦପୁରରେ ଚର୍ଚ୍ଚାର ବିଷୟ।
ଆନନ୍ଦପୁର:ମଣିଷ ଓ ପଶୁ ମଧ୍ୟରେ ସମ୍ପର୍କର ଏକ ଅଜବ ତଥା ହୃଦୟସ୍ପର୍ଶୀ ଦୃଶ୍ୟ ଏବେ ଆନନ୍ଦପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଜାବୁଡ଼ି ଧରି ମାଙ୍କଡ଼ଟିର କାନ୍ଦିବା ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଛି। ଏହା ପଛରେ ପୂର୍ବ ସମ୍ପର୍କ ରହିଛି ନା ପୁନର୍ଜନ୍ମର କୌଣସି କାହାଣୀ, ଏଭଳି ଅନେକ ପ୍ରଶ୍ନ ଏବେ ସ୍ଥାନୀୟ ଅଞ୍ଚଳରେ ଉଠୁଛି। ସୂଚନା ଅନୁଯାୟୀ, ସୋସୋ ଥାନା ଅନ୍ତର୍ଗତ ଢେଙ୍କା ଗ୍ରାମର ଠୁଳୁକୁ ରାମ ସୋରେନ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକେ ମୃତଦେହ ପାଖରେ ଅପେକ୍ଷା କରି ରହିଥିଲେ। ଅନ୍ୟପଟେ ଘସିପୁରାର ଝାଡ଼େଶ୍ୱର ମନ୍ଦିର ନିକଟରେ ଏକ ମାଙ୍କଡ଼କୁ ଦେଖିବାକୁ ମିଳିଥିଲା। ମାଙ୍କଡ଼ଟି ଯେମିତି କାହାକୁ ଖୋଜୁଥିବା ଭଳି ଲାଗୁଥିଲା। ରାସ୍ତାରେ ଯାଉଥିବା ଲୋକଙ୍କ ଗୋଡ଼ ଧରି ତାକୁ ସାଙ୍ଗରେ ନେବାକୁ ଅନୁରୋଧ କରୁଥିଲା। ଏହି ସମୟରେ ଏକ ଆମ୍ବୁଲାନ୍ସ ଆସିବାରୁ ମାଙ୍କଡ଼ଟି ତା' ପାଖକୁ ଯାଇଥିଲା। ଚାଳକ ବିଜୟ କୁମାର ସାହୁ ଫାଟକ ଖୋଲିବା ପରେ ମାଙ୍କଡ଼ଟି ଭିତରକୁ ଚଢ଼ି ତାଙ୍କ ପାଖରେ ବସିଥିଲା। ଏହାପରେ ଆମ୍ବୁଲାନ୍ସରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲା।
ହସ୍ପିଟାଲରେ ପହଞ୍ଚିବା ପରେ ମାଙ୍କଡ଼ଟି ଆମ୍ବୁଲାନ୍ସରୁ ଓହ୍ଲାଇ କିଛି ଲୋକଙ୍କୁ ଅନାଇ ଖୋଜାଖୋଜି କରିଥିଲା। ଶେଷରେ ଠୁଳୁକୁ ରାମ ସୋରେନଙ୍କ ମୃତଦେହ ପାଖରେ ପହଞ୍ଚିଥିଲା। ମୃତଦେହ ଉପରେ ଘୋଡ଼ାଯାଇଥିବା ଚାଦର ହଟାଇ ତାଙ୍କୁ ଜାବୁଡ଼ି ଧରିଥିଲା। ଏପରିକି ମୃତଦେହକୁ ଧରି କାନ୍ଦିବା ଭଳି ଆଚରଣ କରିଥିଲା। ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ପରିବାର ଲୋକ ଓ ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ବେଳେ ମାଙ୍କଡ଼ର ଏଭଳି ଆଚରଣକୁ ନେଇ ଆନନ୍ଦପୁର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
