Bajrang Dal vs Villagers : ଗୋହତ୍ୟାକୁ ନେଇ ରଣକ୍ଷେତ୍ର କେନ୍ଦୁଝର
ଗୋହତ୍ୟାକୁ ନେଇ କେନ୍ଦୁଝରରେ ତେଜିଲା ବିବାଦ ! ଗ୍ରାମବାସୀ ଓ ବଜରଙ୍ଗ ଦଳ ମୁହାଁମୁହିଁ । ଜାହେରଗାଡ଼ ପୂଜାସ୍ଥଳୀର ଅବମାନନା ଅଭିଯୋଗରେ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ, ନ୍ୟାୟ ଦାବିରେ ଉଠିଲା ସ୍ୱର।
ଗୋହତ୍ୟାକୁ ନେଇ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ବସନ୍ତପୁରା ଦଲକି ସାହିରେ ଉତ୍ତେଜନା। ଏହି ଘଟଣାକୁ ନେଇ ଗ୍ରାମବାସୀ ଓ ବଜରଙ୍ଗ ଦଳ କର୍ମୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଉଭୟ ପକ୍ଷରୁ ଘସିପୁରା ଥାନାରେ ଅଭିଯୋଗ ହୋଇଛି। ଆଦିବାସୀଙ୍କ ପାରମ୍ପରିକ ପୂଜାସ୍ଥଳୀ ଜାହେରଗାଡ଼ ଉପରେ ଆକ୍ରମଣ ଓ ଅବମାନନା ହୋଇଥିବା ଅଭିଯୋଗ କରି ଆଜି ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳ କେନ୍ଦୁଝର ଏସ୍ପିଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଗୋହତ୍ୟାକୁ କେନ୍ଦ୍ର କରି ଗ୍ରାମବାସୀ ଓ ବଜରଙ୍ଗ ଦଳ କର୍ମୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା | ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ଏହାପରେ ଉଭୟ ପକ୍ଷ ଥାନାରେ ନିଜ ନିଜର ଅଭିଯୋଗ ଦାଖଲ କରିଥିଲେ। ବଜରଙ୍ଗ ଦଳ ପକ୍ଷରୁ ଗୋହତ୍ୟାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିବା ବେଳେ ଗ୍ରାମବାସୀ ଏହାକୁ ନିଜର ପାରମ୍ପରିକ ରୀତିନୀତି ଓ ଧାର୍ମିକ ଆସ୍ଥା ସହ ଜଡ଼ିତ ବୋଲି କହିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ଦାଖଲ ହୋଇଥିବା ଏଫ୍ଆଇଆର୍ରେ ଏସ୍ସି/ଏସ୍ଟି ଆକ୍ଟ ଲାଗୁ ହୋଇଥିଲେ ମଧ୍ୟ ଏଯାଏଁ ଅଭିଯୁକ୍ତଙ୍କ ଗିରଫଦାରୀ ହୋଇନାହିଁ। ଏଥିସହ ସେମାନଙ୍କ ପାରମ୍ପରିକ ପୂଜାସ୍ଥଳୀ ଜାହେରଗାଡ଼ ଉପରେ ଆକ୍ରମଣ ଓ ଅବମାନନା ହୋଇଥିବା ଅଭିଯୋଗ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଜଣାଇଛନ୍ତି। ସେମାନେ କୌଣସି ଧର୍ମ ବା ସମ୍ପ୍ରଦାୟର ବିରୋଧୀ ନୁହନ୍ତି, କିନ୍ତୁ ନିଜ ପରମ୍ପରା ଓ ପୂଜାସ୍ଥଳୀର ଅବମାନନାକୁ ବରଦାସ୍ତ କରିବେ ନାହିଁ ବୋଲି କହିଛନ୍ତି। ଗ୍ରାମବାସୀଙ୍କ ଦାବି ଶୁଣିବା ପରେ ମାମଲାର ଉପଯୁକ୍ତ ତଦନ୍ତ କରାଯାଇ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦୁଝର ଏସ୍ପି ପ୍ରତିଶ୍ରୁତି ଦେଇଛନ୍ତି।
ଅନ୍ୟପଟେ, ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଛି। ବିଜେଡି ପକ୍ଷରୁ ବିଜେପି ସରକାରଙ୍କୁ ଆଦିବାସୀ ବିରୋଧୀ ବୋଲି ଅଭିଯୋଗ କରାଯାଇଛି। ଏହାର ଜବାବରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ କହିଛନ୍ତି ଯେ, ଆଦିବାସୀଙ୍କ ସମ୍ମାନ ଓ ସେମାନଙ୍କ ପରମ୍ପରାର ସୁରକ୍ଷା ପାଇଁ ମୋଦୀ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଦେଶରେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏବଂ ଓଡ଼ିଶାରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିବା ଏହାର ଉଦାହରଣ। ଆଦିବାସୀଙ୍କ ଇତିହାସ, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ସହ ପୂଜାସ୍ଥଳୀ ଉପରେ ଆକ୍ରମଣ ଅଭିଯୋଗର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ। ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
