ନେପାଳ ବନ୍ୟାରେ ବିଚାରପତିଙ୍କ ପତ୍ତା ମିଳୁନି..
ଜଷ୍ଟିସ ଶିବଗଣନମ ତାମିଲ ତୀର୍ଥଯାତ୍ରୀଙ୍କ ଏକ ଗ୍ରୁପରେ ନେପାଳ ଯାଇଥିଲେ। ତାଙ୍କ ସହ ବସରେ ଯାତ୍ରା କରୁଥିବା ଲୋକଙ୍କ ସହ ତାଙ୍କର ଫଟୋ ଅଛି। ଅଗଷ୍ଟ ୨୬ ସକାଳେ ସେ ପତ୍ନୀଙ୍କୁ ଓ୍ୱାଟସଆପରେ ଫୋନ୍ କରିଥିଲେ। ଏହା ପରେ ତାଙ୍କ ସହ କୌଣସି ସମ୍ପର୍କ ହୋଇପାରୁନି।

ନେପାଳର ପ୍ରଳୟଙ୍କାରୀ ବନ୍ୟାରେ କୁଆଡ଼େ ଗଲେ ପୂର୍ବତନ ବିଚାରପତି। କେଉଁଠି ଅଛନ୍ତି ଓ କେମିତି ଅଛନ୍ତି, କୌଣସି ଖୋଜଖବର ମିଳୁନି। ମାଡ୍ରାସ ହାଇକୋର୍ଟରେ ପୂର୍ବତନ ବିଚାରପତି ତଥା ଏବେ ସୁପ୍ରିମକୋର୍ଟରେ ବରିଷ୍ଠ ଓକିଲ ଥିବା ଜଷ୍ଟିସ ବି.ଶିବଗଣନମଙ୍କ ପତ୍ତା ମିଳୁନି। ୨୦୨୫ରୁ ଶିବଗଣନମ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଭାବେ କାମ କରୁଛନ୍ତି। ନେପାଳରେ ଆସିଥିବା ଅଚାନକ ବନ୍ୟାରେ ତାଙ୍କୁ ଠାବ କରିବାକୁ ଚାଲିଛି ସର୍ଚ୍ଚ ଅପରେସନ। ପରିବାର ଓ ପରିଜନ ତାଙ୍କୁ ଠାବ କରିବାକୁ ସିଜେଆଇଙ୍କ ସହଯୋଗ ଲୋଡ଼ିଛନ୍ତି। ଦିଲ୍ଲୀ ତାମିଲ ଆଡ଼ଭୋକେଟ ଆସୋସିଏସନ ବି ସିଜେଆଇଙ୍କଠୁ ସାହାଯ୍ୟ ମାଗିଛନ୍ତି। ଆସୋସିଏସନ ସିଜେଆଇଙ୍କୁ କହିଛି ଯେ, ସେ ଭାରତ ସରକାର ଓ ସମ୍ୱନ୍ଧିତ ଅଧିକାରୀଙ୍କ ସହ କଥା ହୋଇ ଜଷ୍ଟିସ ଶିବଗଣନମଙ୍କୁ ଖୋଜିବାରେ ସାହାଯ୍ୟ କରନ୍ତୁ। ଜଷ୍ଟିସ ଶିବଗଣନମ ତାମିଲ ତୀର୍ଥଯାତ୍ରୀଙ୍କ ଏକ ଗ୍ରୁପରେ ନେପାଳ ଯାଇଥିଲେ। ତାଙ୍କ ସହ ବସରେ ଯାତ୍ରା କରୁଥିବା ଲୋକଙ୍କ ସହ ତାଙ୍କର ଫଟୋ ଅଛି। ଅଗଷ୍ଟ ୨୬ ସକାଳେ ସେ ପତ୍ନୀଙ୍କୁ ଓ୍ୱାଟସଆପରେ ଫୋନ୍ କରିଥିଲେ। ଏହା ପରେ ତାଙ୍କ ସହ କୌଣସି ସମ୍ପର୍କ ହୋଇପାରୁନି। ଆସୋସିଏସନର କହିବା ଅନୁସାରେ, ଅଲଗା ବସରେ ଯାତ୍ରା କରୁଥିବା କିଛି ଲୋକଙ୍କୁ ନେପାଳର ତିମୁରେ ଏରିଆର ଏପିଏଫ ନେପାଳ ବର୍ଡର ଆଉଟପୋଷ୍ଟ ପାଖରେ ରକ୍ଷା କରାଯାଇଥିଲା। ଯେଉଁ ଲୋକ ସୁରକ୍ଷିତ ଅଛନ୍ତି, ସେମାନଙ୍କ କହିବା କଥା ଜଷ୍ଟିସ ଶିବଗଣନମ ଯେଉଁ ବସରେ ଥିଲେ, ତାହା ସେମାନଙ୍କ ବସରୁ ମାତ୍ର ଶହେରୁ ୨ଶହ ମିଟର ଦୂରରେ ଥିଲା। ଏହାକୁ ନେଇ ଶିବଗଣନମଙ୍କ ସୁରକ୍ଷା ଓ ଠିକଣାକୁ ନେଇ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଛି। ଜଷ୍ଟିସ ଶିବଗଣନମ ଭାରତୀୟ ନ୍ୟାୟପାଳିକାରେ ପ୍ରାୟ ୩୪ ବର୍ଷ କାମ କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ଜୁଲାଇ ୨୩,୨୦୨୫ରେ ସିନିୟର ଆଡ଼ଭୋକେଟ କରିଥିଲେ। ନେପାଳରେ ଅଚାନକ ପ୍ରଳୟଙ୍କାରୀ ବନ୍ୟା ଆସିବାରୁ ମୃତ୍ୟୁ ସଂଖ୍ୟା ୮ଶହ ପାର୍ କରିସାରିଲାଣି। ଶବ ସଂଖ୍ୟା ବଢ଼ୁଥିବା ବେଳେ ଭୋଟେକୋଶୀ ନଦୀରେ ଜଳସ୍ତର ବୃଦ୍ଧିର ଚେତାବନୀ ପୁଣି ଥରେ ବନ୍ୟା ପ୍ରଭାବିତ ଜିଲ୍ଲାବାସୀଙ୍କ ନିଦ ହଜାଇଦେଲାଣି।
