Family Tragedy:ଗୋଟିଏ ପରିବାରର ୫ ମୃତ,କାରଣ ଅସ୍ପଷ୍ଟ
ରାତିରେ ଖାଇଥିଲେ ନୂଡଲ୍ସ। କିନ୍ତୁ ସକାଳ ହେଉ ହେଉ ଘରେ ଖେଳୁଥିବା ତିନି ଛୁଆଙ୍କ ସହ ମା’ବାପାଙ୍କ ଜୀବନ ମଧ୍ୟ ଚାଲିଗଲା। ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ଖାଦ୍ୟରେ ବିଷ ନା ଆଉ କିଛି? ପୁଲିସ୍ ମୃତଦେହଗୁଡ଼ିକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ତଦନ୍ତ ଆରମ୍ଭ କରିଛି।
ଉତ୍ତରପ୍ରଦେଶ:ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ।ମୃତକଙ୍କ ମଧ୍ୟରେ ବାପା, ମା’ ଏବଂ ସେମାନଙ୍କର ତିନି ସନ୍ତାନ ଅଛନ୍ତି।ଘଟଣାଟି ରବୁପୁରା ଥାନା ଅନ୍ତର୍ଗତ ନଗଲା ଶ୍ରୀ ପଦମ ଗାଁର। ଖାଦ୍ୟ ବିଷକ୍ରିୟା ଯୋଗୁଁ ଏଭଳି ଘଟିଥାଇପାରେ ବୋଲି ପ୍ରାଥମିକ ଆଶଙ୍କା କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ମୃତକମାନେ ହେଲେ ୩୭ ବର୍ଷୀୟ ମହେଶ, ତାଙ୍କ ୩୫ ବର୍ଷୀୟ ପତ୍ନୀ ଲଳିତା, ୧୧ ବର୍ଷର ପୁଅ ଲଡ୍ଡୁ, ୭ ବର୍ଷର ଝିଅ ମିଷ୍ଟି ଏବଂ ତିନି ବର୍ଷର ପୁଅ ସାକ୍ଷାତ।ଶନିବାର, ୧୭ ଅକ୍ଟୋବର ସକାଳେ ପୁଲିସକୁ ଏହି ମୃତ୍ୟୁ ସମ୍ପର୍କରେ ସୂଚନା ମିଳିଥିଲା। ସୂଚନା ପାଇବା ପରେ ପୁଲିସ, ବରିଷ୍ଠ ଅଧିକାରୀ, ଆମ୍ବୁଲାନ୍ସ ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫିଲ୍ଡ ୟୁନିଟ୍ ଓ ଫରେନସିକ୍ ଟିମ୍ ଯାଞ୍ଚ କରିବା ସହ ବୈଜ୍ଞାନିକ ପ୍ରମାଣ ସଂଗ୍ରହ କରିଛନ୍ତି।
ପ୍ରାଥମିକ ସୂଚନା ଅନୁସାରେ, ପରିବାରର ସଦସ୍ୟମାନେ ରାତିରେ ନୂଡଲ୍ସ ଖାଇଥିଲେ। ମହେଶଙ୍କ ମା’ ଏବଂ ପଡ଼ୋଶୀମାନେ ପୁଲିସକୁ ଏହି ସୂଚନା ଦେଇଥିବା ରିପୋର୍ଟରେ କୁହାଯାଇଛି।ତେଣୁ ଖାଦ୍ୟ ବିଷକ୍ରିୟା ଏକ ସମ୍ଭାବ୍ୟ କାରଣ ଭାବେ ତଦନ୍ତ ପରିସରକୁ ଆସିଛି। ତେବେ ନୂଡଲ୍ସ ଖାଇବା ହିଁ ମୃତ୍ୟୁର କାରଣ ବୋଲି ଏଯାଏଁ ପ୍ରମାଣିତ ହୋଇନାହିଁ। ଏକ ରିପୋର୍ଟ ଅନୁସାରେ, ବିଷାକ୍ତ ପଦାର୍ଥର ପ୍ରଭାବକୁ ନେଇ ମଧ୍ୟ ତଦନ୍ତ ଚାଲିଛି। ନୂଡଲ୍ସ, ଚା’ ପ୍ରସ୍ତୁତିରେ ବ୍ୟବହୃତ ବାସନ ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରି ଲାବରେଟୋରୀ ପରୀକ୍ଷା ପାଇଁ ପଠାଯାଇଥିବା ଖବର ମିଳିଛି। ପାଞ୍ଚ ଜଣଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଓ ଅନ୍ୟ ବୈଜ୍ଞାନିକ ଯାଞ୍ଚ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।ଏବେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।
