Gas Leak Accident : ଜପକୁଦ ବଜାରରେ ଗ୍ୟାସ ଲିକରୁ ଦୁର୍ଘଟଣା
କଟକ ଜିଲ୍ଲା ସାଲେପୁରର ଜପକୁଦ ବଜାରରେ ଗ୍ୟାସ୍ ଲିକ୍ରୁ ଦୁର୍ଘଟଣା ଘଟି ମହିଳା, ପୁରୁଷ ଓ ଶିଶୁଙ୍କ ସମେତ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି |

ଦୋକାନ ଖୋଲୁ ଖୋଲୁ ଭୟଙ୍କର ଅଘଟଣ | ଗତକାଲି କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଜପକୁଦ ବଜାରରେ ଗ୍ୟାସ୍ ଲିକ୍କୁ ନେଇ ଏକ ଗୁରୁତର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏହି ଘଟଣାରେ ତିନି ଜଣ ମହିଳା, ତିନି ଜଣ ପୁରୁଷ ଓ ଜଣେ ଶିଶୁଙ୍କ ସମେତ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ପ୍ରାଥମିକ ସୂଚନା ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୀନବନ୍ଧୁ ସାହୁଙ୍କ ଦୋକାନ ଖୋଲିବା ସମୟରେ ଗ୍ୟାସ୍ ଲିକ୍ ହେବାରୁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ପ୍ରଭାବରେ ଦୋକାନ ନିକଟରେ ଥିବା ଲୋକ, ଅନ୍ୟ ଦୋକାନୀ ଏବଂ ରାସ୍ତାରେ ଯାତାୟାତ କରୁଥିବା କିଛି ପଥଚାରୀ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଥିଲା । ଆହତଙ୍କ ମଧ୍ୟରେ ନିରଞ୍ଜନ ଦାସ, ପ୍ରେମାନନ୍ଦ ବେହୁରା, ଦୀନବନ୍ଧୁ ସାହୁ, ସୁହାନା ବିବି ଓ ରିହାନା ବିବିଙ୍କ ନାମ ରହିଛି। ଅନ୍ୟ ତିନି ଜଣ ପଥଚାରୀଙ୍କ ପରିଚୟ ଏଯାବତ୍ ମିଳିନଥିବା ସୂଚନା ମିଳିଥିଲା | ତେବେ ଆହତଙ୍କ ସଠିକ୍ ସଂଖ୍ୟା ଓ ସେମାନଙ୍କ ଅବସ୍ଥା ସମ୍ପର୍କରେ ଅଧିକାରିକ ସ୍ପଷ୍ଟୀକରଣ ଅପେକ୍ଷାରେ ରହିଛି | ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ସହଯୋଗର ହାତ ବଢ଼ାଇଥିଲେ। ଗୁରୁତର ଆହତଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ପରେ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଥିଲା | ଅନ୍ୟପକ୍ଷରେ, ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ | ସାଲେପୁର ଥାନା ଅଧିକାରୀ ମହେଶ୍ୱର ବେହେରା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ତଦନ୍ତ କରୁଥିବା ଜଣାପଡ଼ିଛି | ତେବେ ପ୍ରକୃତରେ କେଉଁ କାରଣରୁ ଗ୍ୟାସ୍ ଲିକ୍ ହେଲା ଏବଂ ଦୁର୍ଘଟଣାର ସଠିକ୍ କାରଣ କ’ଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ | ଜପକୁଦ ବଜାରର ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବାତାବରଣ ଦେଖାଦେଇଥିଲା ।
