Sensation in Kamakhyanagar: ଅଙ୍ଗନୱାଡ଼ି କେନ୍ଦ୍ରରେ ନାବାଳକଙ୍କୁ ବନ୍ଦ କରି ଫେରାର ଯୁବକ |
କାମାକ୍ଷାନଗର ରେଙ୍ଗାଳୀ କଲୋନୀରେ ଅଙ୍ଗନୱାଡ଼ି କେନ୍ଦ୍ରରେ ନାବାଳକଙ୍କୁ ତାଲା ପକାଇ ଅଟକ ରଖିଥିବା ଅଭିଯୋଗ । ଅଙ୍ଗନୱାଡ଼ି କେନ୍ଦ୍ରର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ ରେଙ୍ଗାଳୀ କଲୋନୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳକଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ର ଭିତରେ ରଖି ବାହାରୁ ତାଲା ପକାଇ କିଛି ଯୁବକ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପ୍ରାୟ ୩ରୁ ୪ ଜଣ ଯୁବକ ତାଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ର ଭିତରକୁ ନେଇ ବାହାରୁ ତାଲା ପକାଇ ଦେଇଥିବା ନାବାଳକ ଜଣକ କହିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ କାମାକ୍ଷାନଗର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଥିଲା। ଏହାସହ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ, ଅଙ୍ଗନୱାଡ଼ି କର୍ମୀଙ୍କ ଅଭିଯୋଗ ଅନୁସାରେ, ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି କେନ୍ଦ୍ରଟି କିଛି ଅସାମାଜିକ ଯୁବକଙ୍କ ଆଡ଼ାସ୍ଥଳୀ ପାଲଟିଛି । ଏଭଳି ଅଭିଯୋଗ ପରେ ଅଙ୍ଗନୱାଡ଼ି କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ତେବେ ନାବାଳକଙ୍କୁ କେଉଁ କାରଣରୁ କେନ୍ଦ୍ର ଭିତରେ ଅଟକ ରଖାଯାଇଥିଲା ଏବଂ ଏହି ଘଟଣାରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।
