Mahanadi Crocodile Attack : କୁମ୍ଭୀର ପାଟିରୁ ଭାଇଙ୍କୁ ଛଡ଼ାଇଲେ ଦୁଇ ଭାଇ
କୁମ୍ଭୀର ଆକ୍ରମଣରୁ ଜଣେ ଯୁବକଙ୍କୁ ଦୁଇ ଭାଇ ସାହସିକ ଭାବେ ଉଦ୍ଧାର କରିଛନ୍ତି | ଘଟଣା ପରେ ନଦୀକୂଳିଆ ୨୫ଟି ଗ୍ରାମରେ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ସତର୍କତା ଓ ସଚେତନତା ବଢ଼ାଯାଇଛି |
ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ କୁସଙ୍ଗ ରେଞ୍ଜର ସାତକୋଶିଆ ଗଣ୍ଡ ଅଞ୍ଚଳରେ ପୁଣିଥରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ମହାନଦୀରେ ଜୀବନକୁ ବିପଦରେ ପକାଇ ଦୁଇ ଭାଇଙ୍କ ସାହସିକ ପ୍ରୟାସରେ କୁମ୍ଭୀର ପାଟିରୁ ଜଣେ ଯୁବକ ଉଦ୍ଧାର ହେବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ପରେ ନଦୀକୂଳିଆ ଗ୍ରାମଗୁଡ଼ିକରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ମାରଡ଼ା ଗ୍ରାମର ସୁଧୀର ବେହେରା ମହାନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ହଠାତ୍ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। କୁମ୍ଭୀରଟି ସୁଧୀରଙ୍କ ଡାହାଣ ଗୋଡ଼କୁ ଧରି ନଦୀର ଗଭୀର ଜଳ ଆଡ଼କୁ ଟାଣି ନେଉଥିଲା। ଏହି ସମୟରେ ତାଙ୍କ ଦୁଇ ଭାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଜ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଦୁଇ ଭାଇ ସାହସର ସହ କୁମ୍ଭୀର ସହ ଲଢ଼ି ସୁଧୀରଙ୍କୁ ତାହାର ପାଟିରୁ ଉଦ୍ଧାର କରିଥିଲେ। ଦୁଇ ଭାଇଙ୍କ ଏହି ସାହସିକ ପଦକ୍ଷେପ ଯୋଗୁଁ ସୁଧୀରଙ୍କ ଜୀବନ ରକ୍ଷା ପାଇଥିବା କୁହାଯାଉଛି। ଘଟଣା ସମ୍ପର୍କରେ ଖବର ପାଇ ହରଭଙ୍ଗା ତହସିଲଦାର ତଥା ବିଡିଓ କର୍ଣ୍ଣ ସୁନା ଦୁଃଖ ପ୍ରକାଶ କରିବା ସହ ନଦୀକୂଳିଆ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ସଚେତନତାମୂଳକ ପଦକ୍ଷେପ ନେଇଛନ୍ତି। କରଡ଼ିଠାରୁ ମାରଡ଼ା ପର୍ଯ୍ୟନ୍ତ ୬ଟି ପଞ୍ଚାୟତର ପ୍ରାୟ ୨୫ଟି ଗ୍ରାମରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ, ମହାନଦୀ ବନ୍ୟପ୍ରାଣୀ ବିଭାଗର କୁସଙ୍ଗ ରେଞ୍ଜ ପକ୍ଷରୁ ମଧ୍ୟ ରେଞ୍ଜ ଅଧିକାରୀଙ୍କ ନିର୍ଦ୍ଦେଶରେ ମାରଡ଼ା, କୁମାରୀ, ଅତଲସରା ଆଦି ଗ୍ରାମରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଯାଇଛି। ମହାନଦୀକୁ ଅତ୍ୟନ୍ତ ଜରୁରୀ ନଥିଲେ ଏକୁଟିଆ ନଯିବା, ନଦୀର ଗଭୀର ଜଳକୁ ନପଶିବା ଏବଂ ନଦୀରେ ମାଛ ମାରିବାରୁ ନିବୃତ୍ତ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ଛୋଟ ପିଲା ଓ ଗୃହପାଳିତ ପଶୁପକ୍ଷୀଙ୍କୁ ନଦୀ ପଠାକୁ ନନେବା ସହ କୁମ୍ଭୀରର ଗତିବିଧି ପ୍ରତି ସତର୍କ ରହିବାକୁ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ଏପଟେ ବନ ବିଭାଗ ପକ୍ଷରୁ ମହାନଦୀରେ କୁମ୍ଭୀରର ଗତିବିଧି ଉପରେ ନଜର ରଖାଯାଇଥିବା ଜଣାପଡ଼ିଛି। ଲଗାତାର କୁମ୍ଭୀର ଦେଖାଯିବା ଓ ଆକ୍ରମଣ ଘଟଣାକୁ ନେଇ ନଦୀକୂଳିଆ ଲୋକଙ୍କ ମଧ୍ୟରେ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।
