Police SI Death:କ୍ୱାର୍ଟର୍ସରୁ ମିଳିଲା ସବ୍ଇନ୍ସପେକ୍ଟରଙ୍କ ମୃତଦେହ
ଥାନାରେ ନିୟମିତ ଭାବେ ରୋଲ୍ କଲ୍ରେ ଯୋଗ ଦେଉଥିଲେ। ହେଲେ ମଙ୍ଗଳବାର ଆସିଲେନି ଡ୍ୟୁଟିକୁ। ସହକର୍ମୀମାନେ କ୍ୱାର୍ଟର୍ସରେ ପହଞ୍ଚିବା ପରେ ସାମ୍ନାକୁ ଆସିଲା ଅଭାବନୀୟ ଘଟଣା।କ୍ୱାର୍ଟର୍ସରୁ ମିଳିଲା ମୃତଦେହ |
ରାୟଗଡ଼ା:ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନାରେ କାର୍ଯ୍ୟରତ ସବ୍ଇନ୍ସପେକ୍ଟର ବାପୁଜୀ ମଲ୍ଲିକଙ୍କ ମୃତ୍ୟୁ। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସିଧପୁର ଗ୍ରାମରେ ବୋଲି ଜଣାପଡ଼ିଛି। ପୋଲିସର ସୂଚନା ଅନୁସାରେ, ବାପୁଜୀ ପ୍ରତିଦିନ ସକାଳେ ପ୍ରାତଃଭ୍ରମଣରୁ ଫେରି ଥାନାର ରୋଲ୍ କଲ୍ରେ ଯୋଗ ଦେଇଥାନ୍ତି। ହେଲେ ମଙ୍ଗଳବାର ରୋଲ୍ କଲ୍ରେ ତାଙ୍କୁ ଦେଖିବାକୁ ମିଳିନଥିଲା। ଏଥିରେ ସନ୍ଦେହ ହେବାରୁ ଥାନାର ଅନ୍ୟ କର୍ମଚାରୀମାନେ ତାଙ୍କ ସରକାରୀ କ୍ୱାର୍ଟର୍ସକୁ ଯାଇଥିଲେ। ସେଠାରେ ବାପୁଜୀ ଶୋଇଥିବା ଅବସ୍ଥାରେ ଥିବା ଦେଖି ସହକର୍ମୀମାନେ ତାଙ୍କୁ ଉଠାଇବାକୁ ଉଦ୍ୟମ କରିଥିଲେ। ହେଲେ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ।
ତୁରନ୍ତ ତାଙ୍କୁ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ବାପୁଜୀଙ୍କୁ ମୃତ ଘୋଷଣା କରିଥିଲେ। ପୁଟାସିଂ ଥାନା ଅଧିକାରୀଙ୍କ କହିବା ଅନୁଯାୟୀ, ପୂର୍ବରୁ ମଧ୍ୟ ବାପୁଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ଘଟଣା ସମ୍ପର୍କରେ ତାଙ୍କ ପରିବାରକୁ ସୂଚନା ଦିଆଯାଇଛି। ପରିବାର ଲୋକେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।
