Kaziranga-Accident:ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାଭେଲର-ଟ୍ରକ୍ ଧକ୍କାରେ ୨୬ ମୃତ
ଆସାମ କାଜିରଙ୍ଗାରେ ଛାତିଥରା ଦୁର୍ଘଟଣା। ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ୩୫ ଜଣଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର ଟ୍ରକ୍ ସହ ଧକ୍କା ହେବାରୁ ୨୬ ଜଣଙ୍କ ଜୀବନ ଯାଇଛି। ଦୁର୍ଘଟଣାର ଭୟାବହତା ବଖାଣିଛନ୍ତି ଆହତ ଯାତ୍ରୀ। ୧୧ ଜଣିଆ ଡାକ୍ତରୀ ଟିମ କରୁଛନ୍ତି ଶବ ବ୍ୟବଚ୍ଛେଦ | ସାରା ରାଜ୍ୟରେ ଶୋକାକୁଳ ପରିବେଶ |
ଆସାମ:ଆସାମର କାଜିରଙ୍ଗାରେ ଭୟଙ୍କର ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଯାଉଥିବା ଏକ ଯାତ୍ରୀବାହୀ ଟ୍ରାଭେଲର ସହ କଣ୍ଟେନର ଟ୍ରକ୍ର ମୁହାଁମୁହିଁ ଧକ୍କା ହେବାରୁ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଗୋଲାଘାଟ ଜିଲ୍ଲାର ରୋଙ୍ଗାଜାନ ଅଞ୍ଚଳରେ ଶୁକ୍ରବାର ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରାଭେଲରରେ କାଜିରଙ୍ଗା ସରକାରୀ କଲେଜର ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ୩୫ ଜଣ ଯାତ୍ରା କରୁଥିଲେ। ଦୁର୍ଘଟଣାର ଭୟାବହତା ବଖାଣିଛନ୍ତି ଆହତ ଯାତ୍ରୀ ମୁର୍ଶିଦ ଆଲାମ। ତାଙ୍କ କହିବା ଅନୁଯାୟୀ, ଟ୍ରାଭେଲରଟି ପ୍ରାୟ ୯୦ କିମି ବେଗରେ ଯାଉଥିଲା। ଡ୍ରାଇଭର ଗାଡ଼ିର ବେଗ ନିୟନ୍ତ୍ରଣ କରି ନପାରି ସାମ୍ନାପଟୁ ଆସୁଥିବା ଟ୍ରକ୍କୁ ଧକ୍କା ଦେଇଥିଲେ। ତାଙ୍କ ପାଖରେ ବସିଥିବା ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ସେ ନିଜେ ମୁଣ୍ଡ ଓ ଗୋଡ଼ରେ ଆଘାତ ପାଇଛନ୍ତି। ଧକ୍କାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ୧୬ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବୋକାଖାଟ ସିଭିଲ ହସ୍ପିଟାଲରେ ୭ ଜଣ ଏବଂ ଯୋରହାଟ ମେଡିକାଲ କଲେଜକୁ ନେବା ବାଟରେ ଆଉ ୩ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ଦର୍ପଣା ମାଝୀ, ଜ୍ୟୋତି ମାଝୀ, ଫରହାନ ୟାସ୍ମିନ, ହାଫିଜା ଖାତୁନ, ୧୨ ବର୍ଷୀୟ ଅନୁରାଗ ଗୋଏଲା, ବ୍ୟୁଟି ଦତ୍ତ, ଦାମିନୀ ଘଟୋୱାଲ, ବେବି କର୍ମକାର, ୭୦ ବର୍ଷୀୟ ଅବଦୁଲ ରସିଦ, ଡ୍ରାଇଭର ଅବଦୁଲ ମାଜିଦ ଓ ହେଲପର ସୁଭାଷ ଅଛନ୍ତି। ଏସ୍ଏସ୍ପି ସ୍ୱପ୍ନନୀଲ ଡେକାଙ୍କ ସୂଚନା ଅନୁଯାୟୀ, ଗାଡ଼ିଟି ଅତ୍ୟଧିକ ବେଗରେ ଯାଉଥିବା ସହ କାଜିରଙ୍ଗା ଜାତୀୟ ଉଦ୍ୟାନ ନିକଟରେ ଲାଗୁ ହୋଇଥିବା ଟ୍ରାଫିକ୍ କଟକଣା ଉଲ୍ଲଂଘନ କରିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ, ମୃତକଙ୍କ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋଲାଘାଟର ସହିଦ କୁଶଳ କୋଁୱର ସିଭିଲ ହସ୍ପିଟାଲରେ ଏହି ପ୍ରକ୍ରିୟା ଚାଲିଛି। ଏଥିପାଇଁ ଗୁଆହାଟୀ ମେଡିକାଲ କଲେଜ ଓ ଯୋରହାଟ ମେଡିକାଲ କଲେଜର ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି। ମୋଟ ୧୧ ଜଣ ଡାକ୍ତର ଶବ ବ୍ୟବଚ୍ଛେଦ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୨୩ଟି ମୃତଦେହର ପୋଷ୍ଟମର୍ଟମ୍ ଗୋଲାଘାଟରେ ଏବଂ ୩ଟିର ଯୋରହାଟରେ କରାଯିବ। ପୋଷ୍ଟମର୍ଟମ୍ ପରେ ମୃତଦେହଗୁଡ଼ିକୁ ଆମ୍ବୁଲାନ୍ସ ଯୋଗେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଘଟଣା ପରେ ମନ୍ତ୍ରୀ ଅତୁଲ ବୋରା ହସ୍ପିଟାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିବା ବେଳେ ମନ୍ତ୍ରୀ ବିମଲ ବୋରା ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସ୍ଥିତି ଉପରେ ନଜର ରଖିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
