Mumbai Local Train: ଅସଦାଚରଣକୁ ବିରୋଧରୁ ଚଳନ୍ତା ଟ୍ରେନରୁ ଠେଲିଦେଲା- କଟିଗଲା ମହିଳାଙ୍କ ହାତ
ମୁମ୍ୱାଇ ଲୋକାଲ ଟ୍ରେନରେ ଏଭଳି ଅମାନବୀୟ କାଣ୍ଡକୁ ନେଇ ସବୁଠି ହଇଚଇ। ତେବେ ଅଭିଯୁକ୍ତ ବିରୁଦ୍ଧରେ ହତ୍ୟା ଉଦ୍ୟମର ଧାରା ପୁଲିସ ଲଗାଇନଥିବାରୁ ପୁଲିସ ଯାଞ୍ଚକୁ ନେଇ ଅଙ୍ଗୁଳି ଉଠାଇଛନ୍ତି ପରିବାରବର୍ଗ। ଏ ଘଟଣା ଲୋକାଲ ଟ୍ରେନ୍ ଭିତରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଗମ୍ଭୀର ପ୍ରଶ୍ନବାଚୀ ଛିଡ଼ା କରିଛି।

ଅସଦାଚରଣକୁ ବିରୋଧ କରିବାରୁ ଚଳନ୍ତା ଟ୍ରେନରୁ ଠେଲିଦେଲା। ଚକା ତଳେ ପଡ଼ିଯିବାରୁ ମହିଳାଙ୍କ ଗୋଟିଏ ହାତ କଟିଗଲା। ମୁଣ୍ଡରେ ପଡ଼ିଛି ୧୬ଟି ଷ୍ଟିଚ୍। ଅଭିଯୁକ୍ତ ଗିରଫ। ମୁମ୍ୱାଇ ଲୋକାଲ ଟ୍ରେନରେ ଏଭଳି ଅମାନବୀୟ କାଣ୍ଡକୁ ନେଇ ସବୁଠି ହଇଚଇ। ତେବେ ଅଭିଯୁକ୍ତ ବିରୁଦ୍ଧରେ ହତ୍ୟା ଉଦ୍ୟମର ଧାରା ପୁଲିସ ଲଗାଇନଥିବାରୁ ପୁଲିସ ଯାଞ୍ଚକୁ ନେଇ ଅଙ୍ଗୁଳି ଉଠାଇଛନ୍ତି ପରିବାରବର୍ଗ। ଏ ଘଟଣା ଲୋକାଲ ଟ୍ରେନ୍ ଭିତରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଗମ୍ଭୀର ପ୍ରଶ୍ନବାଚୀ ଛିଡ଼ା କରିଛି। ପୀଡ଼ିତ ମହିଳା କହିଛନ୍ତି, ଟ୍ରେନରେ ସହଯାତ୍ରୀଙ୍କୁ ବ୍ୟକ୍ତିଜଣକ ଅଶ୍ଲୀଳ ଆଚରଣ କରୁଥିଲା। ଆଉ ଏହାକୁ ସେ ବିରୋଧ କରିବାରୁ ଟ୍ରେନରୁ ଧକ୍କା ଦେଇଦେଲା। ଘଟଣା ମୁମ୍ୱାଇର ନାୟଗାଁଓ ରେଲଓ୍ୱେ ଷ୍ଟେସନରେ ଘଟିଛି। ମହିଳା ଜଣକ ବୋରିବଲିରୁ ବିରାର ଯାଉଥିବା ଲୋକାଲ ଟ୍ରେନରେ ଚଢ଼ିଥିଲେ। ଯାତ୍ରା ବେଳେ ସଂପୃକ୍ତ ବ୍ୟକ୍ତି ବାରମ୍ୱାର ତାଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲା। ଏହାକୁ ବ୍ୟାଡ୍ ଟଚ୍ କହି ବିରୋଧ କରିଥିଲେ ସେ। ଆଉ ରାଗରେ ଅଭିଯୁକ୍ତ ଉପରକୁ ସେ ନିଜ ଚପଲ ଫିଙ୍ଗିଥିଲେ। ଏହା ପରେ ବିବାଦ ତୀବ୍ର ରୂପ ନେଇଥିଲା। ଅନ୍ୟ ସହଯାତ୍ରୀ ବି ବିବାଦ ତୁଟାଇବାକୁ ବାହାରିଥିଲେ। କିନ୍ତୁ ଅଭିଯୁକ୍ତ ଗାଳିଗୁଲଜ କରିବାକୁ ଲାଗିଲା। ଆଉ ନିଜ ଚପ୍ପଲ ବି ମହିଳାଙ୍କ ଉପରକୁ ଫିଙ୍ଗିଥିଲା। ଷ୍ଟେସନରେ ପହଞ୍ଚିବା ଯାଏ ସଂପୃକ୍ତ ବ୍ୟକ୍ତି ନିଜର ଆଚରଣ ଛାଡ଼ିନଥିଲା। ଆଉ ପୁଣି ଥରେ ବିରୋଧ କରିବାରୁ ସେ ରାଗରେ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ଦୁଇ ବଗି ଭିତରେ ଥିବା ଗ୍ୟାପରେ ସେ ପଡ଼ିଗଲେ। ପ୍ଲାଟଫର୍ମରେ ଚଢ଼ିବାକୁ ପୁଣି ଥରେ ଉଦ୍ୟମ ବେଳେ ଟ୍ରେନ୍ ଗଡ଼ିଥିଲା। ଆଉ ଏଥିରେ ତାଙ୍କର ବାଁ ହାତ ଟ୍ରେନର ଚକାତଳେ ପଡ଼ିଯାଇଥିଲା। କହୁଣୀ ପାଖରୁ ହାତ କଟିଗଲା ଆଉ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏ ଘଟଣା ପରେ ଆରପିଏଫ ଓ ଅନ୍ୟ ଯାତ୍ରୀ ପ୍ଲାଟଫର୍ମରେ ପହଞ୍ଚାଇବାରେ ତାଙ୍କୁ ସାହାଯ୍ୟ କରିଥିଲେ। ଏହାର ଫାଏଦା ଉଠାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ। କିନ୍ତୁ ପୁଲିସ ସିସିଟିଭି ଫୁଟେଜ ଆଧାରରେ କେଇ ଘଣ୍ଟା ଭିତରେ ତାକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଜିତେନ୍ଦ୍ର ହିରମୁଖେ। ବୟସ ୫୩। ନାଲି ରଙ୍ଗର ସାର୍ଟ ପିନ୍ଧିଥିଲା ଜିତେନ୍ଦ୍ର ଏ କାଣ୍ଡ ଭିଆଇବା ପରେ କିଛି ନହେଲା ଭଳି ଭିଡ଼ ଭିତରେ ଖସିଯାଇଥିଲା। ଏପରିକି କାହିଁକି ଭିଡ଼ ହୋଇଛି ବୋଲି ଅନ୍ୟଯାତ୍ରୀ ପଚାରିବାରୁ ସେ କହିଲା କିଛି ଘଟିଛି ବୋଧେ। ଯାଇକି ନିଜେ ଦେଖ। ଆଉ ଆରାମରେ ଖସିଯାଇଥିଲା। ତେବେ ତା ଭିତରେ ଥିବା ଭୟ ସ୍ପଷ୍ଟ ବାରିହୋଇପଡ଼ୁଥିଲା।
