Blast at pharma company:ଫାର୍ମା କମ୍ପାନୀରେ ବଏଲର ଫାଟି ଭୟାବହ ବିସ୍ଫୋରଣ:୫ ଶ୍ରମିକଙ୍କ ମୃତ୍ୟୁ
ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଶନିବାର ଦିନ ଶ୍ରୀ ସିଟି ସ୍ଥିତ ଏକ ଘରୋଇ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀରେ ହଠାତ୍ ପାଣି ବଏଲର ଫାଟିଯିବା ଯୋଗୁଁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ପ୍ରଭାବଶାଳୀ ଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ଜୀବନ ଚାଲିଯାଇଥିଲା।
ଅମରାବତୀ : ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲା ଅନ୍ତର୍ଗତ ଶ୍ରୀ ସିଟି ଶିଳ୍ପାଞ୍ଚଳରେ ଏକ ଅଭାବନୀୟ ଶିଳ୍ପ ଦୁର୍ଘଟଣା ଘଟିଛି। ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ଏକ ଘରୋଇ ଫାର୍ମା କମ୍ପାନୀରେ କାମ ଚାଲିଥିବା ସମୟରେ ହଠାତ୍ ପ୍ରଚଣ୍ଡ ଶବ୍ଦ କରି ଏକ ବିସ୍ଫୋରଣ ହେଇଥିଲା | ଦେଖିଲା ବେଳକୁ ପାଣି ବଏଲରଟି ଫାଟି ଯାଇଥିଲା | ଏହି ଧମାକା ଏତେ ଭୟଙ୍କର ଥିଲା ଯେ କମ୍ପାନୀ ପରିସରରେ କାମ କରୁଥିବା ଶ୍ରମିକମାନଙ୍କ ମଧ୍ୟରୁ ଦୁଇ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଭାବେ ପୋଡ଼ି ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଏହି ଦୁର୍ଘଟଣାରେ ଅତି କମରେ ୧୦ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି, ଯେଉଁମାନେ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ ବିସ୍ଫୋରଣର ପ୍ରକୃତ କାରଣ ଏବଂ ମୃତକଙ୍କ ପରିଚୟ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଦୁଃଖଦ ଘଟଣା ଉପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପୀଡ଼ିତ ପରିବାରକୁ ଯଥାସମ୍ଭବ ସହାୟତା ଏବଂ କ୍ଷତିପୂରଣ ଯୋଗାଇ ଦେବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
