Reckless Driving : ରାଜଧାନୀରେ ବେପରୁଆ ସ୍କର୍ପିଓର ତାଣ୍ଡବ,ଜଣେ ମୃତ
ଭୁବନେଶ୍ୱରରେ ଦ୍ରୁତଗତି ସ୍କର୍ପିଓର ଆତଙ୍କ। ଏକାଧିକ ଗାଡ଼ିକୁ ଧକ୍କା ଦେଇ ଜଣେ ମୃତ, ୪ ଗୁରୁତର । ଚାଳକଙ୍କୁ ଧରି ପୋଲିସ ଜିମା ଦେଲେ ଉତ୍ତ୍ୟକ୍ତ ଲୋକେ। ଘଟଣାର ତଦନ୍ତ ଜାରି |

ରାଜଧାନୀ ଭୁବନେଶ୍ୱରରେ ଦ୍ରୁତଗତି ସ୍କର୍ପିଓର ଆତଙ୍କ। ମଙ୍ଗଳବାର ସନ୍ଧ୍ୟାରେ ଏକ କଳା ରଙ୍ଗର ସ୍କର୍ପିଓ ଏକାଧିକ ଗାଡ଼ିକୁ ଧକ୍କା ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ନୂଆଗାଁ ଛକ ନିକଟରେ ପ୍ରଥମେ ଏକ ଦୁଇଚକିଆ ଯାନକୁ ଧକ୍କା ଦେଇଥିଲା ସ୍କର୍ପିଓ। ଏହାପରେ ଗାଡ଼ିର ବେଗ କମାଇବା ପରିବର୍ତ୍ତେ ଚାଳକ ଦ୍ରୁତଗତିରେ ଆଗକୁ ବଢ଼ି ରାସ୍ତାରେ ଯାଉଥିବା ଅନ୍ୟାନ୍ୟ ଗାଡ଼ିକୁ ଧକ୍କା ଦେଇଥିଲେ। ଶେଷରେ ସମ୍ ହସ୍ପିଟାଲର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ରାସ୍ତା ଡିଭାଇଡରରେ ପିଟି ହୋଇ ସ୍କର୍ପିଓଟି ଅଟକି ଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ସ୍ଥାନୀୟ ଲୋକେ ପଥର କାରକୁ ମାରିବା ସହ ଚାଳକକୁ ମାଡ଼ ମାରିଥିଲେ | ସ୍ଥାନୀୟ ଲୋକେ ଚାଳକଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ଚାଳକ ଆହତ ହୋଇଥିବାରୁ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପଠାଯାଇଛି। ସ୍କର୍ପିଓରେ ଚାଳକଙ୍କ ସହ ଆଉ ଜଣେ ବ୍ୟକ୍ତି ଥିବା ବେଳେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପ୍ରାଥମିକ ସୂଚନା ମିଳିଛି। ଖବର ପାଇ ଭୁବନେଶ୍ୱର DSP ସର୍ବଣା ବିବେକ ଏମ୍. ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଅନ୍ୟପଟେ, ସ୍କର୍ପିଓ ଚାଳକ ମଦ୍ୟପାନ କରିଥିଲେ କି ନାହିଁ ଏବଂ ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ରାଜଧାନୀରେ ସଡ଼କ ସୁରକ୍ଷା ଓ ବେପରୁଆ ଗାଡ଼ି ଚାଳନାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।
