Massive Fire in Kendrapara : ତରପଦା ଗାଁରେ ଅଗ୍ନିର ତାଣ୍ଡବ! ସର୍ବସ୍ୱ ହରାଇ ଅସହାୟ ୩ ପରିବାର
କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ ତରପଦା ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରୁ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୫ ବଖରା ଘର, ପୋଡ଼ି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ସର୍ବସ୍ୱ ହରାଇ ଅସହାୟ ପରିବାର, ସହାୟତା ପାଇଁ ଦାବି ।
ତରପଦା ଗାଁରେ ହୁତୁହୁତୁ ହୋଇ ଜଳିଲା ନିଆଁ | ଘଟଣାକୁ ନେଇ ଚାରିଆଡ଼େ ହଇଚଇ | କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ତରପଦା ଗାଁରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ | ଗତକାଲି ରାତିରେ ଗ୍ୟାସ୍ ସିଲିଣ୍ଡର ଫାଟିଯିବାରୁ ନିଆଁ ଉଗ୍ର ରୂପ ନେଇଥିବା ବେଳେ ଏଥିରେ ୫ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି | ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି | ସୂଚନା ଅନୁଯାୟୀ, ଗାଁର ବିଚିତ୍ର ରାଉତ, ପ୍ରଭାକର ରାଉତ ଓ ରଜନୀ ରାଉତଙ୍କ ଘର ଏହି ଅଗ୍ନିକାଣ୍ଡରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି ଘରେ ଥିବା ଆସବାବପତ୍ର ସମେତ ଧାନ, ଚାଉଳ, ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି। ପରିବାରଗୁଡ଼ିକ ପିନ୍ଧା ଲୁଗା ବ୍ୟତୀତ ପ୍ରାୟ ସବୁକିଛି ହରାଇଥିବାରୁ ସେମାନେ ଅସହାୟ ହୋଇପଡ଼ିଛନ୍ତି। ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁର ପ୍ରକୋପ ବଢ଼ିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲା | ଏହା ପୂର୍ବରୁ ଘରଗୁଡ଼ିକରେ ଥିବା ବହୁ ମୂଲ୍ୟବାନ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିଲା | ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି | ତେଣୁ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ଆର୍ଥିକ ସହାୟତା ସହ ଆବଶ୍ୟକୀୟ ସରକାରୀ ସହଯୋଗ ଯୋଗାଇଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି |
