CRPF Comrades:ସହାୟତାର ହାତ ବଢ଼ାଇଲେ CRPF ଯବାନ
ସଡ଼କ ଦୁର୍ଘଟଣାରେ ଜଣେ ସହକର୍ମୀଙ୍କୁ ହରାଇବା ପରେ ତାଙ୍କ ପରିବାରକୁ ଏକା ଛାଡ଼ିନାହାନ୍ତି ସିଆରପିଏଫ୍ର ୨୦୦୭ ବ୍ୟାଚ୍ର ଯବାନ। ଆର୍ଥିକ ସହାୟତାଠାରୁ ଆରମ୍ଭ କରି ସରକାରୀ ସୁବିଧା ଓ ଚାକିରି ପର୍ଯ୍ୟନ୍ତ ସହଯୋଗର ହାତ ବଢ଼ାଇଛନ୍ତି ସହକର୍ମୀମାନେ।
ଧାମନଗର:ସହକର୍ମୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପାଖରେ ଛିଡ଼ା ହୋଇଛନ୍ତି ସିଆରପିଏଫ୍ର ୨୦୦୭ ବ୍ୟାଚ୍ର ଯବାନ। ଦୁର୍ଘଟଣାରେ ଆଖି ବୁଜିଥିବା ଯବାନ ଗୋପୀନାଥ ସୂତାରଙ୍କ ପରିବାରକୁ ଭେଟି ସହକର୍ମୀମାନେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥିସହ ସରକାରୀ ପ୍ରାପ୍ୟ ଓ ପରିବାରର ଜଣଙ୍କୁ ଚାକିରି ଯୋଗାଇବା ଦିଗରେ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି।ସୂଚନା ଅନୁସାରେ, ଧାମନଗର ବ୍ଲକ କରଦା ଗ୍ରାମର ରତ୍ନାକର ସୂତାରଙ୍କ ପୁଅ ଗୋପୀନାଥଙ୍କ ବୟସ ୪୨ ବର୍ଷ ଥିଲା। ସେ ସିଆରପିଏଫ୍ରେ କାର୍ଯ୍ୟରତ ଥିବାବେଳେ ଛୁଟିରେ ଘରକୁ ଆସିଥିଲେ। ଏହି ସମୟରେ ଯାଜପୁରରେ ତାଙ୍କର ନୂତନ ଘର ନିର୍ମାଣ କାମ ଚାଲିଥିଲା। ଗତ ମାସ ୫ ତାରିଖ ସନ୍ଧ୍ୟାରେ ରଙ୍ଗପୁର ଛକରେ ଜଣେ ରାଜମିସ୍ତ୍ରୀଙ୍କୁ ଅପେକ୍ଷା କରି ଛିଡ଼ା ହୋଇଥିବାବେଳେ ପଛପଟୁ ଆସିଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ଗୋପୀନାଥଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଦୁଇ ଦିନ ଧରି ଚିକିତ୍ସା ଚାଲିବା ପରେ ଗତ ମାସ ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୋପୀନାଥଙ୍କ ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ିଥିବାବେଳେ ଏଭଳି ଦୁଃଖଦ ସମୟରେ ସହକର୍ମୀମାନେ ସେମାନଙ୍କ ପାଖରେ ପହଞ୍ଚିଛନ୍ତି। ସିଆରପିଏଫ୍ର ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ସୁଶାନ୍ତ ମାଝୀ, ପବିତ୍ର କୁମାର ବେହେରା, ହେଡ୍ କନଷ୍ଟେବଳ ମିଲୁ ନାୟକଙ୍କ ସମେତ ଅନ୍ୟ ସହକର୍ମୀମାନେ ପରିବାରକୁ ଭେଟିଥିଲେ। ସେମାନେ ଆର୍ଥିକ ସହାୟତା ଦେବା ସହ ସରକାରୀ ସୁବିଧା ଓ ପ୍ରାପ୍ୟ ପାଇବାରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ଏଥିସହ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ମିଳିବା ଦିଗରେ ମଧ୍ୟ ସହଯୋଗ କରିବାକୁ କହିଛନ୍ତି। ସହକର୍ମୀଙ୍କ ଏହି ପଦକ୍ଷେପ ଯବାନମାନଙ୍କ ମଧ୍ୟରେ ଥିବା ଏକତା ଓ ପରସ୍ପର ପ୍ରତି ଦାୟିତ୍ୱବୋଧର ଏକ ଉଦାହରଣ ପାଲଟିଛି।
