Cabinet Decission:ଛାତ୍ରଛାତ୍ରୀ,ଚାଷୀ ଓ ଚାକିରୀକୁ ଫୋକସ
ଏହି କ୍ୟାବିନେଟ୍ ନିଷ୍ପତ୍ତିରେ ମୁଖ୍ୟତଃ ଚାରିଟି ବର୍ଗକୁ ଫୋକସ୍ କରାଯାଇଛି। ଛାତ୍ରଛାତ୍ରୀ, ଚାକିରୀ ଆଶାୟୀ, ଚାଷୀ ଓ ରାଜ୍ୟର ଶକ୍ତି ଭିତ୍ତିଭୂମି। ୬୦୧ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ Wi-Fi ସୁବିଧା ମିଳିବ।ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଆଉ Attempt ସଂଖ୍ୟାର ସୀମା ରହିବ ନାହିଁ।

ମୋହନ ସରକାରଙ୍କ କ୍ୟାବିନେଟ୍ ବୈଠକରେ ୧୩ଟି ବଡ଼ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଶିକ୍ଷା,କୃଷି, ଜଳସେଚନ, ବିଦ୍ୟୁତ୍, ନିଯୁକ୍ତି ଓ ଖାଦ୍ୟ ଯୋଗାଣ ଭଳି ବିଭିନ୍ନ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
୧. କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା Wi-Fi
ଓଡ଼ିଶା ଶିକ୍ଷାନେଟ୍ ଯୋଜନାକୁ ଅନୁମୋଦନ। ଏଥିପାଇଁ ୩୯୩.୬୨ କୋଟି ଟଙ୍କା ବ୍ୟୟ ହେବ। ୬୦୧ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ Wi-Fi ସୁବିଧା ମିଳିବ। ପ୍ରତ୍ୟେକ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଦୈନିକ ୧ GB ମାଗଣା ଇଣ୍ଟରନେଟ୍ ମିଳିବ। ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଏହାଦ୍ୱାରା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଅନଲାଇନ୍ ପାଠପଢ଼ା, ଡିଜିଟାଲ୍ ଲାଇବ୍ରେରୀ ଓ ଗବେଷଣା ସାମଗ୍ରୀ ପାଇପାରିବେ।
୨. OCS ପରୀକ୍ଷାରେ ଅସୀମିତ ସୁଯୋଗ
ରାଜ୍ୟର ଲକ୍ଷ ଲକ୍ଷ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଆଉ Attempt ସଂଖ୍ୟାର ସୀମା ରହିବ ନାହିଁ। ପ୍ରାର୍ଥୀମାନେ ନିର୍ଦ୍ଧାରିତ ସର୍ବାଧିକ ବୟସ ସୀମା ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ। ଏଥିପାଇଁ Odisha Civil Services Rules, 1991ରେ ସଂଶୋଧନ କରାଯିବ। ଅସୀମିତ Attempt ଅର୍ଥ ବୟସ ସୀମା ଉଚ୍ଛେଦ ନୁହେଁ। ବୟସ ସୀମା ପୂର୍ବଭଳି ଲାଗୁ ରହିବ।
୩. ୪,୭୦୮ କୋଟିର ବିଦ୍ୟୁତ୍ ପ୍ରକଳ୍ପ
କଳାହାଣ୍ଡି ଜିଲ୍ଲାର ରଣିବାହାଲଠାରେ ୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ Upper Indravati Pumped Storage Projectକୁ ଅନୁମୋଦନ ମିଳିଛି। ମୋଟ ବ୍ୟୟ: ୪,୭୦୮.୬୪ କୋଟି ଟଙ୍କା। ନିର୍ମାଣ ବାବଦକୁ ୩,୩୭୧.୮୮ କୋଟି ଟଙ୍କା।ପ୍ରକଳ୍ପ ନିର୍ମାଣ ଦାୟିତ୍ୱ Megha Engineering & Infrastructures Ltdକୁ ଦିଆଯାଇଛି। ୨୦୩୦-୩୧ ଆର୍ଥିକ ବର୍ଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ। ବର୍ଷକୁ ପ୍ରାୟ ୧,୦୪୦ ମିଲିୟନ୍ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନର ଲକ୍ଷ୍ୟ ରହିଛି।ଏହି ପ୍ରକଳ୍ପରେ କମ୍ ବିଦ୍ୟୁତ୍ ଚାହିଦା ସମୟରେ ଅତିରିକ୍ତ ବିଦ୍ୟୁତ୍ ବ୍ୟବହାର କରି ଜଳ ସଂରକ୍ଷଣ କରାଯିବ। ଅଧିକ ଚାହିଦା ସମୟରେ ସେହି ଜଳରୁ ବିଦ୍ୟୁତ୍ ଉତ୍ପାଦନ ହେବ।
୪. ଚାଷୀଙ୍କ ପାଇଁ ଧାନ କିଣା ନୀତି
୨୦୨୬-୨୭ ଖରିଫ୍ ମାର୍କେଟିଂ ସିଜନ୍ ପାଇଁ ଧାନ ସଂଗ୍ରହ ନୀତିକୁ ଅନୁମୋଦନ ମିଳିଛି। ଧାନ ସଂଗ୍ରହ ଲକ୍ଷ୍ୟ: ୭୮ ଲକ୍ଷ ମେଟ୍ରିକ୍ ଟନ୍। ଚାଷୀଙ୍କୁ କ୍ୱିଣ୍ଟାଲ୍ ପିଛା ମିଳିବ ମୋଟ ୩,୧୦୦ ଟଙ୍କା। ଏହି ରାଶିରେ MSP ସହ ଇନପୁଟ୍ ସହାୟତା ଅନ୍ତର୍ଭୁକ୍ତ। ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଟଙ୍କା ପଠାଇବାର ବ୍ୟବସ୍ଥା।
୫. ରାସନ୍ ଡିଲରଙ୍କ କାର୍ଯ୍ୟକାଳ ବୃଦ୍ଧି
ପ୍ରାୟ ୫,୦୦୦ ଘରୋଇ ରାସନ୍ ଡିଲରଙ୍କ କାର୍ଯ୍ୟକାଳ ବଢ଼ାଯାଇଛି। ସେମାନଙ୍କ କାର୍ଯ୍ୟକାଳ ୩୦ ସେପ୍ଟେମ୍ବର ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହାଦ୍ୱାରା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅଚଳାବସ୍ଥା ଏଡ଼ାଇବା ଲକ୍ଷ୍ୟ ରହିଛି।
୬. ନୂଆ ଜଳସେଚନ ପ୍ରକଳ୍ପ
ଜଳସମ୍ପଦ ବିଭାଗର ୪୫୦ କୋଟି ଟଙ୍କାର ତିନୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିସହ ନୂଆ ମେଗା ଲିଫ୍ଟ ଇରିଗେସନ୍ ଓ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ ମାଧ୍ୟମରେ ଚାଷଜମିକୁ ଜଳ ଯୋଗାଣ ଓ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି।
୭. ନୂଆପଡ଼ାରେ ୭ଟି ମେଗା ଲିଫ୍ଟ ଇରିଗେସନ୍ ପ୍ରକଳ୍ପ
ବ୍ୟୟ: ୨୬୮.୨୨ କୋଟି ଟଙ୍କା। ଏଥିରେ ୫୯ଟି ଗାଁ ଉପକୃତ ହେବେ। ପ୍ରାୟ ୮,୮୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ।
୮. ବଲାଙ୍ଗୀରରେ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ
ପାଥର୍ଲା ଗାଁ ନିକଟରେ ଇନ୍ଦ୍ରା/ସୁନ୍ଦର ନଦୀ ଉପରେ ପ୍ରକଳ୍ପ। ବ୍ୟୟ ପ୍ରାୟ ୯୯.୯୯ କୋଟି ଟଙ୍କା। ୧୨ଟି ଗାଁକୁ ଜଳ ଯୋଗାଣରେ ସହାୟତା ମିଳିବ
୯. କୁର୍ସୁଡ୍ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ
ବ୍ୟୟ: ୮୧.୩୬ କୋଟି ଟଙ୍କା। ବଲାଙ୍ଗୀର ଜିଲ୍ଲାର ୧୭ଟି ମରୁଡ଼ି ପ୍ରବଣ ଗାଁ ଉପକୃତ ହେବେ।
୧୦. ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସରଙ୍କ କ୍ୟାଡର ପୁନର୍ଗଠନ
ପଞ୍ଚାୟତ ସ୍ତରର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ୩,୨୯୪ଟି ପଦବୀକୁ ନେଇ PEO କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
୧୧. ୧୯ଟି ଆସିଷ୍ଟାଣ୍ଟ ଟାଉନ୍ ପ୍ଲାନର୍ ନିଯୁକ୍ତି
OPSC ମାଧ୍ୟମରେ ୧୯ଟି Assistant Town Planner ପଦବୀରେ ସିଧାସଳଖ ନିଯୁକ୍ତି ପାଇଁ ନିୟମରେ ସଂଶୋଧନକୁ ଅନୁମୋଦନ ମିଳିଛି।
୧୨. ବୋଭାଇନ୍ ବ୍ରିଡିଂ ନିୟନ୍ତ୍ରଣ ବିଲ୍
Odisha Bovine Breeding (Regulation) Bill, 2026କୁ ଅନୁମୋଦନ ମିଳିଛି। ଗୋପାଳନ ଓ ପଶୁ ପ୍ରଜନନ ବ୍ୟବସ୍ଥାକୁ ବୈଜ୍ଞାନିକ ଏବଂ ନିୟନ୍ତ୍ରିତ କରିବା ଏହାର ଉଦ୍ଦେଶ୍ୟ।
୧୩. ବିଚାର ବିଭାଗର ପ୍ରଶିକ୍ଷଣ ଓ ଆଇନ ସହାୟକ ବ୍ୟବସ୍ଥା
ପ୍ରଶିକ୍ଷଣରେ ଥିବା ନ୍ୟାୟିକ ଅଧିକାରୀଙ୍କ ପାଇଁ ଏକ ବର୍ଷର ପ୍ରତିଷ୍ଠାନଗତ ପ୍ରଶିକ୍ଷଣ ପରେ ଏକ ବର୍ଷର Law Clerkship ବ୍ୟବସ୍ଥାକୁ ଅନୁମୋଦନ ମିଳିଛି।
ଏହା ସହିତ ନଭେମ୍ୱର ୧୮ ରୁ ଓଡ଼ିଶା ବିଧାନସଭାର ୧୭ତମ ବିଧାନସଭାର ଅଷ୍ଟମ ଅଧିବେଶନ ଆରମ୍ଭ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।
ଏହି ନିଷ୍ପତ୍ତିର ରାଜନୈତିକ ଓ ସାମାଜିକ ଗୁରୁତ୍ୱ
ଏହି କ୍ୟାବିନେଟ୍ ନିଷ୍ପତ୍ତିରେ ମୁଖ୍ୟତଃ ଚାରିଟି ବର୍ଗକୁ ଫୋକସ୍ କରାଯାଇଛି। ଛାତ୍ରଛାତ୍ରୀ, ଚାକିରୀ ଆଶାୟୀ, ଚାଷୀ ଓ ରାଜ୍ୟର ଶକ୍ତି ଭିତ୍ତିଭୂମି।
ବଡ଼ କଥା ହେଲା କ୍ୟାବିନେଟ୍ରେ ଘୋଷଣା ହୋଇଥିବା ଏହି ଯୋଜନାଗୁଡ଼ିକ କେବେଠାରୁ ଲାଗୁ ହେବ? OCS ପରୀକ୍ଷାର ନୂଆ ନିୟମ କେବେ ଆସିବ? ୬୦୧ କଲେଜରେ Wi-Fi କେବେ ମିଳିବ? ଏହାର କାର୍ଯ୍ୟକାରିତା ଉପରେ ବି ନଜର ରହିବ।
