Panic at Nemala Shrine : ମନ୍ଦିର କାମ ଚାଲିଥିଲା, ହଠାତ୍ ମାଡ଼ି ଆସିଲା ବିପଦ
ପବିତ୍ର ନେମାଳ ପୀଠରେ ଅଭାବନୀୟ ଘଟଣା! ହଠାତ୍ ଭୁଶୁଡ଼ି ପଡ଼ିଲା କ୍ରେନ୍, ଦୁଇ ଜଣ ଗୁରୁତର ଆହତ।
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟରେ ଘଟିଛି ଅଘଟଣ। ପୀଠରେ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏକ କ୍ରେନ୍ ହଠାତ୍ ଭାଙ୍ଗି ପଡ଼ିବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ପୁଷ୍ପଲତା ଗୋସ୍ୱାମୀ ଓ ଶିବ ପ୍ରସାଦ ପଣ୍ଡା। ଉଭୟେ ପ୍ରାପ୍ତ ବୟସ୍କ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପୁଷ୍ପଲତା ଘରେ ଥିବା ସମୟରେ କ୍ରେନ୍ରୁ ପଥର ଖଣ୍ଡ ଖସି ତାଙ୍କ ଉପରେ ପଡ଼ିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସେହିପରି ଶିବ ପ୍ରସାଦ ପଣ୍ଡା ଗୋପୀନାଥଜିଉଙ୍କ ପାଇଁ ପ୍ରସାଦ ରାନ୍ଧୁଥିବା ସମୟରେ କ୍ରେନ୍ଟି ତାଙ୍କ ଘର ଉପରେ ପଡ଼ିଯାଇଥିଲା। ଫଳରେ ଘରର ଆଜବେଷ୍ଟସ୍ ଭାଙ୍ଗି ତାଙ୍କ ଉପରେ ପଡ଼ିବାରୁ ସେ ମଧ୍ୟ ଗୁରୁତର ହୋଇଥିଲେ।
ଘଟଣା ପରେ ଉଭୟ ଆହତଙ୍କୁ ତୁରନ୍ତ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ପୀଠରେ ଆତଙ୍କ ଖେଳିଯାଇଛି।
