Madhubabu Pension Scheme: ବାଲେଶ୍ୱରରୁ ମଧୁବାବୁ ପେନସନ ଯୋଜନାର ସମ୍ପୂର୍ଣ୍ଣତା ଘୋଷଣା, ଯୋଡ଼ିହେଲେ ଆଉ ୫.୦୫ ଲକ୍ଷ ହିତାଧିକାରୀ
ବାଲେଶ୍ୱରରେ ମଧୁବାବୁ ପେନସନ ଯୋଜନାର ସମ୍ପୂର୍ଣ୍ଣତା ଘୋଷଣା କଲେ CM ମୋହନ ମାଝୀ। ଯୋଡ଼ିହେଲେ ୫,୦୫,୮୧୭ ନୂଆ ହିତାଧିକାରୀ। UPMP ପୋର୍ଟାଲ ଉନ୍ମୋଚିତ।

ଭୁବନେଶ୍ବର: ଓଡ଼ିଶାର ସାମାଜିକ ସୁରକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ମଧୁବାବୁ ପେନସନ ଯୋଜନାରେ ସମ୍ପୂର୍ଣ୍ଣତା ବା ସାଚୁରେସନ ଲକ୍ଷ୍ୟ ହାସଲ ହୋଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ବାଲେଶ୍ୱର ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଏହି ଘୋଷଣା ସହିତ Unified Pension Management Portal (UPMP) ର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନୂତନ ଭାବେ ଆଉ ୫,୦୫,୮୧୭ ଜଣ ଯୋଗ୍ୟ ବ୍ୟକ୍ତିଙ୍କୁ ଯୋଜନାରେ ସାମିଲ କରାଯାଇଛି। ଫଳରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ୪୧,୮୦,୮୨୫ରେ ପହଞ୍ଚିଛି। ଏହାଦ୍ୱାରା ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଓ ଅସହାୟ ବ୍ୟକ୍ତିଙ୍କୁ ପେନସନ ପାଇଁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ପୂର୍ବରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ପେନସନ ପାଇଁ ନିର୍ଦ୍ଦିଷ୍ଟ କୋଟା ବ୍ୟବସ୍ଥା ରହିଥିଲା। ଜଣେ ହିତାଧିକାରୀଙ୍କ ମୃତ୍ୟୁ ପରେ ହିଁ ଅନ୍ୟ ଜଣଙ୍କୁ ସୁଯୋଗ ମିଳୁଥିଲା। ଏହି ବ୍ୟବସ୍ଥାକୁ ସମାପ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ନୂତନ ୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ପାଇଁ ବାର୍ଷିକ ଅତିରିକ୍ତ ୬୨୫ କୋଟି ଟଙ୍କା ବ୍ୟୟ ହେବ। ନୂତନ UPMP ପୋର୍ଟାଲ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିମାନେ ଅନଲାଇନରେ ଆବେଦନ କରିପାରିବେ। ଏହାବ୍ୟତୀତ ନିକଟସ୍ଥ ଜନସେବା କେନ୍ଦ୍ର ଓ ବିଡିଓ କାର୍ଯ୍ୟାଳୟରେ ମଧ୍ୟ ଆବେଦନ ସୁବିଧା ରହିବ। ଆବେଦନର ପରବର୍ତ୍ତୀ ମାସରୁ ନିୟମିତ ପେନସନ ମିଳିବ। ୮୦ ବର୍ଷ ବୟସ ପୂରଣ କଲେ ୩,୫୦୦ ଟଙ୍କାର ବର୍ଦ୍ଧିତ ଭତ୍ତା ସ୍ୱୟଂକ୍ରିୟ ଭାବେ ଲାଗୁ ହେବ।

ନୂତନ ହିତାଧିକାରୀମାନେ ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ଏକାଠି ପାଇବେ। ନଭେମ୍ବର ୧୧ରୁ ୧୩ ତାରିଖ ଜିଲ୍ଲାସ୍ତରରେ ଏବଂ ୧୮ରୁ ୨୦ ତାରିଖ ବ୍ଲକସ୍ତରରେ ବଣ୍ଟନ କାର୍ଯ୍ୟକ୍ରମ ହେବ। ବଞ୍ଚିତ ହିତାଧିକାରୀମାନେ ନଭେମ୍ବର ୨୫ରେ ପଞ୍ଚାୟତ କିମ୍ବା ମ୍ୟୁନିସିପାଲିଟିରୁ ଭତ୍ତା ଗ୍ରହଣ କରିପାରିବେ। ଡିସେମ୍ବରରୁ ପ୍ରତି ମାସର ୧୫ ତାରିଖରେ ଭତ୍ତା ପ୍ରଦାନ କରାଯିବ। ଏହି ଅବସରରେ ବାଲେଶ୍ୱର ଜିଲ୍ଲାରେ ପ୍ରାୟ ୩୪୦ କୋଟି ଟଙ୍କାର ୭୦ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସେଥିମଧ୍ୟରୁ ୭୮ କୋଟି ଟଙ୍କାର ୨୮ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ ୨୬୨ କୋଟି ଟଙ୍କାର ୪୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ, ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।
